ପୁଲିସକୁ ଘାରିଛି କଟାମୁଣ୍ଡ ଚିନ୍ତା : ହତ୍ୟାକାରୀ ଅଭ୍ୟାସଗତ ଅପରାଧୀ!

ଭୁବନେଶ୍ବର : କମିସନରେଟ୍‌ ପୁଲିସକୁ ଘାରିଛି କଟାମୁଣ୍ଡ ଚିନ୍ତା। ରାଜଧାନୀ ଉପକଣ୍ଠ ଚନ୍ଦକା ଦାସପୁର ରାସ୍ତା କଡ଼ରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବ ଘଟଣାରେ ପରିଚୟ ଖୋଜିଖୋଜି ନୟାନ୍ତ ହେଲାଣି ପୁଲିସ। ଖାଲି ରାଜ୍ୟ ଭିତରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ତନାଘନା କରିସାରିଲାଣି। ଥାନାକୁ ଥାନା, ବସ୍ତିକୁ ବସ୍ତି ବୁଲି ବୁଲି ମହିଳାଙ୍କ ପରିଚୟ ଖୋଜୁଛି ପୁଲିସ। ଛୋଟ ଛୋଟ ସୁରାକ୍‌କୁ ବି ଗୁରୁତ୍ବର ସହ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଘଟଣା ଦିନ ସନ୍ଧ୍ୟାରେ ବାଇଓ ପାର୍କରେ କେଉଁମାନେ ବସିଥିଲେ, ସେ ନେଇ ଭରତପୁର ଥାନା ପୁଲିସ ଖୋଳତାଡ଼ କରି ୫ ଜଣଙ୍କୁ ପଚରାଉଚରା କରିଛି। ହେଲେ କିଛି ସୁଫଳ ମିଳିନାହିଁ। ବଛାବଛା ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ଏକାଧିକ ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାର ନିଖୋଜ ଏତଲାକୁ ନେଇ ତନାଘନା କରୁଥିଲେ ମଧ୍ୟ ମହିଳାଙ୍କର ପରିଚୟକୁ ନେଇ କୌଣସି ତଥ୍ୟ ମିଳିନଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।

ମନେ ହେଉଛି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ହତ୍ୟାକାରୀ କୌଣସି ସୁରାକ୍‌ ଛାଡ଼ି ଯାଇ ନାହିଁ। ସନ୍ଧାନୀ କୁକୁର ଫେଲ୍‌ ମାରିଥିବା ବେଳେ ରକ୍ତ ନମୁନା, ଫିଙ୍ଗର ପ୍ରିଣ୍ଟ, ପାରିପାର୍ଶ୍ବିକ ସ୍ଥିତି ପୁଲିସକୁ ସଫଳତା ଦେଇ ପାରିନାହିଁ। ପୁଲିସକୁ ଭୁଆଁ ବୁଲାଇବା ପାଇଁ ହତ୍ୟାକାରୀ ସୁଚିନ୍ତିତ ଭାବେ ସମସ୍ତ ଯୋଜନା କରିଛି। ତେଣୁ ହତ୍ୟାକାରୀ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ହତ୍ୟାକାଣ୍ଡ ଘଟିଲେ ଧସ୍ତାଧସ୍ତି ହେବା କଥା। ହେଲେ ମୃତ ମହିଳାଙ୍କ ହାତରେ ଟିକିଏ ହେଲେ ଦାଗ ନାହିଁ। ଚୂଡ଼ି ଯେମିତି ଥିଲା ସେମିତି ଅଛି। ହାତକୁ ମଧ୍ୟ ବନ୍ଧା ଯାଇ ନାହିଁ। ବନ୍ଧା ହୋଇଥିଲେ ଦାଗ ହେବା କଥା, ହେଲେ ଦାଗ ନାହିଁ। ମୁହଁରୁ ଚିହ୍ନା ପଡ଼ିବା ସହଜ। ହେଲେ ମୁଣ୍ଡକୁ ନେଇଯାଇଛି ହତ୍ୟାକାରୀ। ଶବ ଫିଙ୍ଗିବା ପାଇଁ ହତ୍ୟାକାରୀ ଏଭଳି ଜାଗା ବାଛିଛି, ଯେଉଁଠି ବହୁଦୂର ପର୍ଯ୍ୟନ୍ତ ସିସିଟିଭି ନାହିଁ। ସିସିଟିଭିରୁ ଘଟଣା ଦିନ ଏଠାକୁ ଯିବାଆସିବା କରିଥିବା ଗାଡ଼ିରୁ ଚିହ୍ନଟ କରିବା ସହଜ ହୋଇଥାନ୍ତା। ତାହା ମଧ୍ୟ ସମ୍ଭବ ହେଉ ନାହିଁ। ଏଭଳି ସମୟରେ କରାଯାଇଛି ଯେଉଁ ସମୟରେ କେହି ଆଖପାଖରେ ନାହାନ୍ତି। ଏଣୁ କେହି ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ନାହାନ୍ତି। ହତ୍ୟାକାରୀ ଭଲ ଭାବେ ଜାଣିଛି ଅଭିଯୋଗ କରିବାକୁ କେହି ନାହାନ୍ତି ବା ଅଭିଯୋଗ କରିବେ ନାହିଁ। ଏଣୁ ଜଣେ ଅଭ୍ୟାସଗତ ଅପରାଧୀ ହିଁ ଯୋଜନାବଦ୍ଧ ଭାବରେ ହତ୍ୟା କରିଛି ଏବଂ ପୁଲିସର ସମସ୍ତ ବାଟ ଯେମିତି ଏକ ପ୍ରକାର ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର