ମହିଳା ଆତ୍ମହତ୍ୟା ମାମଲା : ଅସହ୍ୟ ହେଲା କରଜଦାତାଙ୍କ ନିର୍ଯାତନା! ଅଭାବୀ ସଂସାର ଚଳାଇବାକୁ କରଜ କରିଥିଲେ

ଭୁବନେଶ୍ବର : ରାଜଧାନୀ ଗୌତମନଗର ନିକଟ ବସ୍ତିରେ ଘଟିଥିବା ମିନିଲତାଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ସଂଗିନ୍ ତଥ୍ୟ ସାମ୍ନାକୁ ଆସିଛି। କରଜଦାତାଙ୍କ ନିର୍ଯାତନା ଅସହ୍ୟ ହେବାରୁ ମିନିଲତା ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ପୁଲିସ ଏହି ଦିଗକୁ ନେଇ ଆଜି ଛାନ୍‌ଭିନ୍ ଆରମ୍ଭ କରିଛି। ଖୁବ୍‌ ଶୀଘ୍ର ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ଅଭାବୀ ସଂସାର ଚଳାଇବା ଲାଗି ସ୍ଥାନୀୟ ଏକ ଗୋଷ୍ଠୀଠାରୁ ଟଙ୍କା କରଜ ଆଣିଥିଲେ ମିନିଲତା। ତାଲାବନ୍ଦ ପାଇଁ ସ୍ବାମୀ ବେରୋଜଗାର ହୋ‌ଇପଡ଼ିବା ପରେ କରଜ ଶୁଝିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ୫୦ ଦିନରୁ ଅଧିକ ସମୟ ହେଲା ହୋଟେଲ ବନ୍ଦ ଯୋଗୁ ରୋଷେୟା ଭାବେ କାମ କରୁଥିବା ସ୍ବାମୀ ବାବୁଲାଙ୍କର ଦରମା ବନ୍ଦ ହୋଇଯିବାରୁ ମିନି କରଜ ଶୁଝି ପାରିନଥିଲେ। କିନ୍ତୁ କରଜ ଟଙ୍କା ଶୁଝିବା ପାଇଁ ଉକ୍ତ ଗୋଷ୍ଠୀର ସଦସ୍ୟାମାନେ ବାରମ୍ବାର ତାଙ୍କ ଉପରେ ଚାପ ପକାଉଥିଲେ। ଏପରିକି ଗାଳିଗୁଲଜ ମଧ୍ୟ କରୁଥିଲେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଘଟଣା ଦିନ ମଧ୍ୟ କରଜଦାତା ମିନିଙ୍କ ଘରକୁ ଆସି ଗାଳିଗୁଲଜ କରିଥିଲେ। କଦର୍ଯ୍ୟ ଭାଷା ପ୍ରୟୋଗ କରି ଗାଳି ଦେଇଥିଲେ। ତେଣୁ ମିନି ପୂରା ଭାଙ୍ଗି ପଡ଼ିଥିଲେ। ବାବୁଲା ଓ ତାଙ୍କ ପୁଅ ଘର ବାହାରକୁ ଯାଇଥିବା ବେଳେ ମିନିଲତା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ଆଜି ବଡ଼ଗଡ଼ ଥାନା ପୁଲିସ ଗୌତମନଗର ଯାଇ ବାବୁଲା ରହୁଥିବା ଘର ମାଲିକ, ପଡ଼ୋଶୀଙ୍କୁ ଆତ୍ମହତ୍ୟା ସମ୍ପର୍କରେ ପଚରାଉଚରା କରିଥିଲା। ଧାରକରଜ ବାବଦରେ କିଛି ଲୋକ ପୁଲିସକୁ କହିଛନ୍ତି। ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ବଡ଼ଗଡ଼ ଥାନାର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର