ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ବ ଲୁପସ୍ ଦିବସ

ଭୁବନେଶ୍ୱର: ଆଇଏମ୍‌ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ବ ଲୁପସ୍ ଦିବସ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାସହ ଆଜି ସକାଳେ ସମ୍ ହସ୍ପିଟାଲର କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ୍ ରୁୢମାଟୋଲୋଜି ବିଭାଗ ପକ୍ଷରୁ ମାଷ୍ଟରକ୍ୟାଟିନ୍ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା।

ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ ରୁୢମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ସମ୍ ହସ୍ପିଟାଲର ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ୍ ମିନତି ମିଶ୍ର ଓ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଏହି ମାରାତ୍ମକ ରୋଗ ବିଷୟରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଦେଉଥିବା ବେଳେ ଶରୀରରେ ବିଭିନ୍ନ ପ୍ରକାର ଦାଗ, ଜ୍ବର, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ହୃଦ୍‌ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଥିପାଇଁ ଠିକ ସମୟରେ ରୋଗର ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଓ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ ମତ ଦେଇଥିଲେ।

ସେହିପରି ସମ୍ ହସ୍ପିଟାଲରେ ଏହି ଅବସରରେ ଏକ ସିଏମଇର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଫେସର ସାମନ୍ତସିଂହାର ଓ ପ୍ରଫେସର ପାତ୍ରୋଙ୍କ ସମେତ ପ୍ରଫେସର ଗଙ୍ଗାଧର ସାହୁ ଲୁପସ୍ ରୋଗ ବିଷୟରେ ସଚେତନତା ନେଇ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧିତ ଖବର