ଜରାବସ୍ଥାରେ ବି ସୁସ୍ଥ ମସ୍ତିଷ୍କ
ମନ ପରିଭାଷା - ଡ. ଫକୀର ମୋହନ ସାହୁ
ବାର୍ଦ୍ଧକ୍ୟରେ ମସ୍ତିଷ୍କରେ କିଛି ପରିବର୍ତ୍ତନ ହୋଇଥାଏ। ବୟସ ପଚାଶ-ଷାଠିଏରୁ ଅଧିକ ହେବା ପରେ ମସ୍ତିଷ୍କର ଆକୃତିରେ ପରିବର୍ତ୍ତନ ଆସେ। ବୃଦ୍ଧାବସ୍ଥାରେ ମସ୍ତିଷ୍କର ଆୟତନ କମେ। ସ୍ମୃତି ଭଣ୍ତାର (ହିପୋକ୍ୟାମ୍ପସ୍), ଶରୀରର ଗତି ସଞ୍ଚାଳନ କରୁଥିବା ଅ˚ଶ (ସେରେବେଲ୍ମ) ଏବ˚ ଅଗ୍ରମସ୍ତିଷ୍କ ସଂକୁଚିତ ହୁଏ। ଯୋଜନା ଓ ନିଷ୍ପତ୍ତି ଗ୍ରହଣ କରିବାରେ ଅଗ୍ର ମସ୍ତିଷ୍କ ସାହାଯ୍ୟ କରୁଥିବାରୁ ଏହାର ପ୍ରଭାବ ଦୈନନ୍ଦିନ ଜୀବନ ଉପରେ ପଡ଼ିଥାଏ। ସ୍ମୃତି ଭଣ୍ଡାର ସଂକୁଚିତ ହେଉଥିବାରୁ ସ୍ମୃତି କ୍ଷୟ ଆରମ୍ଭ ହୁଏ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କିଛି କ୍ଷେତ୍ରରେ ବୃଦ୍ଧମାନଙ୍କ ମସ୍ତିଷ୍କ ତରୁଣଙ୍କ ତୁଳନାରେ ଭଲ କାମ କରେ। ତହିଁରୁ ଗୋଟିଏ ହେଲା, ସମସ୍ୟା ସମାଧାନ କ୍ଷେତ୍ର। କାରଣ ପୁରୁଣା କଥାକୁ ସ୍ମରଣକୁ ଆଣି ଅନୁଭୂତିକୁ ଉପଯୋଗ କରିବାରେ ତରୁଣମାନଙ୍କ ତୁଳନାରେ ବୟସ୍କମାନଙ୍କ ମସ୍ତିଷ୍କର ଅପେକ୍ଷାକୃତ ଅଧିକ ଅ˚ଶ ସମ୍ପୃକ୍ତ ହୁଏ। ସେହିଭଳି ବାର୍ଦ୍ଧକ୍ୟ ବେଳେ ମସ୍ତିଷ୍କର ନିଷ୍କ୍ରିୟ ନେଟ୍ଵାର୍କ (Default Network) ଭଲ କାମ କରେ। କିଛି ନକରି ବସି ରହିଥିବା ସମୟରେ ମସ୍ତିଷ୍କ ଏହି ନିଷ୍କ୍ରିୟ ନେଟ୍ଵାର୍କର ନିୟନ୍ତ୍ରଣରେ ରହିଥାଏ। ଦେଖାଯାଇଛି ଯେ ବୟସ୍କମାନଙ୍କର ‘ନିଷ୍କ୍ରିୟ ନେଟ୍ଵାର୍କ’ର ଆୟତନ ତରୁଣମାନଙ୍କ ତୁଳନାରେ ଅଧିକ। ତେଣୁ ଖାଲି ବସିଥିବା ବେଳେ ବୟସ୍କମାନେ ତରୁଣମାନଙ୍କ ତୁଳନାରେ ଅଧିକ ଗଭୀରକୁ ଯାଇ ଚିନ୍ତା କରିପାରନ୍ତି।
ତେବେ, ବାକି ଅନେକ କ୍ଷେତ୍ରରେ ବାର୍ଦ୍ଧକ୍ୟ ବେଳେ ମସ୍ତିଷ୍କ ନିଷ୍ପ୍ରଭ ହୋଇପଡ଼େ। ତେବେ, ଦେଖାଯାଇଛି ଯେ ଯେଉଁ ବର୍ଷିଆନ୍ ବ୍ୟକ୍ତିମାନେ କର୍ମପ୍ରବଣ, ସେମାନଙ୍କର ବୃଦ୍ଧିମତ୍ତା ଓ ସ୍ମରଣ ସାମର୍ଥ୍ୟ ଖୁବ୍ କମ୍ ମାତ୍ରାରେ ହ୍ରାସ ପାଏ। କର୍ମପ୍ରବଣ ରହିଥିବା ପର୍ଯ୍ୟନ୍ତ ବୃଦ୍ଧମାନେ ନକରାତ୍ମକ ମସ୍ତିଷ୍କ ପରିବର୍ତ୍ତନ ଦ୍ବାରା ବିଶେଷ ଆକ୍ରାନ୍ତ ହୁଅନ୍ତିି ନାହିଁ। ସେମିତି ବୃଦ୍ଧାବସ୍ଥାରେ ନିୟମିତ ବ୍ୟାୟାମ କରୁଥିବା ଲୋକେ ବ୍ୟାୟାମ କରୁ ନ ଥିବା ବୃଦ୍ଧମାନଙ୍କ ତୁଳନାରେ ଅଧିକ ଅମ୍ଳଜାନ ମସ୍ତିଷ୍କକୁ ପ୍ରେରଣ କରୁଥିବାରୁ ସେମାନଙ୍କ ଠାରେ ‘ଆଲ୍ଝେମର୍’ ଭଳି ସ୍ମୃତିି ବିଭ୍ର˚ଶକାରୀ ରୋଗର ଆଶଙ୍କା ହ୍ରାସ ପାଏ। ଯେଉଁସବୁ ବ୍ୟାୟାମରେ ଶ୍ବାସକ୍ରିୟାର ଅଧିକ ଉପଯୋଗ ହୁଏ, ସେପରି ବ୍ୟାୟାମ ବୃଦ୍ଧାବସ୍ଥାରେ ମଧ୍ୟ ଚିନ୍ତନ ପ୍ରକ୍ରିୟାକୁ ଦୃଢ଼ ରଖେ।
ବୃଦ୍ଧାବସ୍ଥାରେ ମସ୍ତିିଷ୍କକୁ ଅଧିକ ସକ୍ରିୟ କରି ରଖିବା ଲାଗି ଲୋକସମ୍ପର୍କ ଓ ସାମାଜିକ ସମ୍ପର୍କ ମଧ୍ୟ ବେଶ୍ ସହାୟକ ହୋଇଥାଏ। ସାମାଜିକ ସ୍ତରରେ ଭାବର ଆଦାନପ୍ରଦାନ ମସ୍ତିଷ୍କର କ୍ରିୟାକଳାପକୁ ପ୍ରଶସ୍ତ କରିଥାଏ। ସେହିଭଳି ଗୋଟିଏ ଗବେଷଣା ଲବ୍ଧ ସିଦ୍ଧାନ୍ତରୁ ଜଣାପଡ଼ିଛି ଯେ ଏକାଧିକ ଭାଷା ସମ୍ବନ୍ଧୀୟ ଜ୍ଞାନ (ଲିଖନ, ପଠନ ଓ କଥନ) ଓ ତାର ଉପଯୋଗ ମସ୍ତିଷ୍କର ବିସ୍ତୃତ ଅଞ୍ଚଳକୁ ସକ୍ରିୟ ରଖେ। ଏହା ଦ୍ବାରା ମସ୍ତିଷ୍କର ବାମ ପାର୍ଶ୍ବ ଓ ଡାହାଣ ପାର୍ଶ୍ବ ଅଧିକ କ୍ରିୟାଶୀଳ ହୁଏ। ଏହା ବାଦ୍ଧର୍କ୍ୟଜନିତ ସ୍ମୃତିଭ୍ର˚ଶ ଓ ‘ଆଲ୍ଝେମର୍’ ପରି ଅବସ୍ଥା ବା ରୋଗରୁ ବୃଦ୍ଧମାନଙ୍କୁ ଦୂରରେ ରଖେ।
ଜୀବନରେ ଜରା ଅବସ୍ଥା ଆସିବା ଅନିବାର୍ଯ୍ୟ। କିନ୍ତୁ କିଭଳି ନିଜ ମସ୍ତିଷ୍କକୁ ସକ୍ରିୟ ରଖି ଜରାବସ୍ଥାରେ ବି ନିଜକୁ ଉତ୍ତମ ରୂପେ ପରିଚାଳନା କରାଯାଇପାରିବ, ତାହା ଆମ ଉପରେ ହିଁ ନିର୍ଭର କରେ।
ରିସର୍ଚ୍ଚ ପ୍ରଫେସର
ଜାଭିଅର୍ ବିଶ୍ବବିଦ୍ୟାଳୟ
ଭୁବନେଶ୍ବର-୧୩