ସଇତାନର ଥୋପ

କଥାଟିଏ - ଯାଯାବର

ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ତାଙ୍କ ପୁଅ ଆସି କହିଲା- ବାପା, ତୁମ ଦୃଷ୍ଟିରେ ପଡ଼ିଥିବ କି ନାହିଁ, ମୁଁ ଜାଣେନା। ତେବେ ସତ କଥାଟି ହେଲା, ମୁଁ ଯାହା ଚାହୁଁଛି ତାହା ମିଳି ଯାଉଛି। ମୋତେ ଲାଗୁଛି ଭଗବାନ ମୋ ଉପରେ ଖୁସି।

ମୁଲ୍ଲା ଏହା ଶୁଣି କହିଲେ- ବାବୁ, ଯାହା ଚାହିଁଲେ ଯଦି ତୋତେ ମିଳୁଛି, ଯଦି ତୋ ଲାଗି ସଇତାନ ଥୋପ ପକାଉଛି; ତୁ ସାବଧାନରେ ରହ।

ପୁଅ ପଚାରିଲା କେମିତି?

ମୁଲ୍ଲା କହିଲେ- ଆମ ଗଧକୁ ଦେଖିଛୁ? ଭାରି ଗେଲ ବସରରେ ତାକୁ ବଢ଼ାଉଛି। ସେ ଯାହା ଚାହୁଁଛି ତାକୁ ଖାଇବାକୁ ଦେଇ ଡଉଲଡାଉଲ କରିଛି। ଏବେ ସେ ଏମିତି ହେଲାଣି ଯେ ଅନବରତ ଢୋଳାଉଛି। ସେ ବି ତୋ ଭଳି ଭାବୁଥିବ ଯେ ତା ଭାଗ୍ୟ କେତେ ଭଲ! ତା ନ ହେଲେ ସେ ମୋ ଭଳି ମାଲିକ ପାଇଛି କିପରି?

ପୁଅ କହିଲା- ସତ କହିଛ। ହେଲେ ଗଧ କଥା ଉଠୁଛି କାହିଁକି?

ମୁଲ୍ଲା କହିଲେ- ବାବୁରେ ଯଦି ରାତିରେ ଘରେ ହେଟା ବାଘ ପଶେ, ଏ ଗଧ ଦଉଡ଼ି ପାରିବ ତ? ଆମ ପଡ଼ିଶା ଘର ଗଧକୁ ଦେଖିଛୁ ତ? ସିଏ ଆଖି ପିଛୁଳାକେ ଦଉଡ଼ି ପଳାଇ ନିଜକୁ ବଞ୍ଚାଇ ପାରିବ। କାରଣ ତା ମାଲିକ ମୋ ଭଳି ସଇତାନ ନୁହେଁ। ସେ ଗଧକୁ ଗଧ ଭଳି କରି ରଖିଛି। ସେ ଅଧିକ କଷ୍ଟ ସହି ପାରିବ, ନିଜକୁ ରକ୍ଷା କରି ପାରିବ।

ମୁଲ୍ଲାଙ୍କ ପୁଅ କହିଲା- ବାପା ବୁଝିଲି। ଭଗବାନ ଭାରି କଷ୍ଟରେ ଦିଅନ୍ତି। ପରିଶ୍ରମ କଲେ ଭଲ ଫଳ ଦିଅନ୍ତି। ପରିଶ୍ରମ ନ କରି କିଛି ପାଇଯିବାର ଅର୍ଥ ସଇତାନ ଥୋପ ପକାଉଛି! ସେ କ୍ରମେ ଅଥର୍ବ କରିଦେବ।

ସମ୍ବନ୍ଧିତ ଖବର