ଗାନ୍ଧୀଙ୍କ ପ୍ରତ୍ୟକ୍ଷ ସ˚ପର୍କରେ ଆସିଥିବା ଶେଷ ଲୋକ

ଅନାଦି ନାୟକ

୧୯୪୬ ମସିହାର କଥା। ଭାରତ ସ୍ବାଧୀନ ହୋଇ ନଥାଏ। ମାତ୍ର ସ୍ବାଧୀନ ହେବା ଅବଶ୍ୟମ୍ଭାବୀ ଜଣା ପଡୁଥାଏ। ଭାରତ ପାଇଁ ଏକ ନୂଆ ରକମର ଶିକ୍ଷା ପଦ୍ଧତି ଭାବରେ ମୌଳିକ ଶିକ୍ଷା ଆରମ୍ଭ କରା ଯାଇଥାଏ। ଏହି ପଦ୍ଧତିରେ ଟ୍ରେନି˚ ଦେବା ପାଇଁ ସେବାଗ୍ରାମ ଥାଏ ମୁଖ୍ୟ ଜାଗା ଓ ଆଶାଦେବୀ ଆର୍ଯ୍ୟନାୟକମ ଏହି ଟ୍ରେନି˚ ଦାୟିତ୍ବରେ ଥାଆନ୍ତି। ସୁମିତ୍ରା ବାନାର୍ଜୀ ବୋଲି ଜଣେ ଝିଅ କଲେଜ ପାଠ ପରେ ନୂଆ କରି ଆରମ୍ଭ ହୋଇଥିବା ଏହି ଶିକ୍ଷା ପଦ୍ଧତିରେ ଶିକ୍ଷୟିତ୍ରୀ ହେବା ପାଇଁ ସେଠାକୁ ଆସି ଥାଆନ୍ତି। ବାନାର୍ଜୀ ପରିବାର ସହିତ ଆଶା ଦେବୀଙ୍କର ପୂର୍ବରୁ ପରିଚୟ ଥିଲା। ସୁମିତ୍ରାଙ୍କର ବାପା ବିଭୂତି ଭୂଷଣ ବାନାର୍ଜୀ ଥିଲେ ଜଣେ ସ୍ବାଧୀନତା ସ˚ଗ୍ରାମୀ। ସେଥିପାଇଁ ସେ ଝିଅକୁ ସେବାଗ୍ରାମ ପଠଇ ଥାଆନ୍ତି।

୧୯୩୪ ମସିହାରୁ ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀ ବରୀ ଅଞ୍ଚଳକୁ ନିଜର କର୍ମ କ୍ଷେତ୍ର ଭାବରେ ବାଛିଥିଲେ। ଗାନ୍ଧୀଜି କହିଥିଲେ ଯେ ଲୋକଙ୍କ ଭିତରେ ଆତ୍ମସ˚ଚାର କରିବା ପାଇଁ ସ୍ବାଧୀନତା ସ˚ଗ୍ରାମୀମାନେ ଗାଆଁ ଲୋକଙ୍କ ସାଙ୍ଗରେ ମିଶି ଗାଆଁ ଭିତରେ କାମ କରିବା ଦରକାର। ତାହା ଦ୍ବାରା ସେମାନେ ଗାଆଁ ଭିତରେ ରହି ଲୋକଙ୍କ ପାଇଁ କାମ କରିବା ସାଙ୍ଗକୁ ବିଦେଶୀ ସରକାରର ବିରୋଧ କରି ପାରିବେ, ନୂଆ ରକମର ଶିକ୍ଷା ବ୍ୟବସ୍ଥା ଚଳାଇବେ। ଚୌଧୁରୀ ଦମ୍ପତି ପୁଅ ମନମୋହନ ଓ ଝିଅ ଅନ୍ନପୂର୍ଣ୍ଣାଙ୍କୁ ସାଙ୍ଗରେ ବରୀକୁ ନେଇଥିଲେ। ତାଙ୍କ ସହିତ ଅନ୍ୟମାନଙ୍କ ଭିତରେ ସାଙ୍ଗରେ ଥିଲେ ତରୁଣ ବୟସର ମଙ୍ଗଳା ସେନ୍‌ଗୁପ୍ତା, ବିନୋଦ କାନୁନଗୋ ଓ ସୁରେନ୍ଦ୍ର ପଟ୍ଟନାୟକ। ମନମୋହନ ଚୋଧୁରୀ ବରୀ ଅଞ୍ଚଳରେ ସୂତା କଟା, ମହୁ ଚାଷ, ଉନ୍ନତ ଧରଣର ଚାଷ କରିବା ପାଇଁ ଲୋକଙ୍କୁ ଶିଖାଇବା ସାଙ୍ଗେ ସାଙ୍ଗେ ନୈଶ ବିଦ୍ୟାଳୟ ଚଳାଉ ଥିଲେ। ୧୯୪୨ର ‘କର ବା ମର’ ଆନ୍ଦୋଳନ ଆସିଲା ତ ଗାନ୍ଧୀଜିଙ୍କ ଡାକରାରେ ସମୁଦାୟ ଚୌଧୁରୀ ପରିବାର ଭାଗ ନେଲେ ଓ ଜେଲ୍‌ ଗଲେ। ଅଢେଇ ବର୍ଷ ପରେ ଜେଲରୁ ବାହାରିଲା ପରେ ମନମୋହନ ଗଲେ ସେବାଗ୍ରାମକୁ। ସ୍ବାଧୀନତା ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବାକୁ ଗ୍ରାମୋନ୍ନୟନ ବିଷୟରେ ତାତ୍ତ୍ବିକ ଓ ବ୍ୟାବହାରିକ ଜ୍ଞାନ ସ˚ଗ୍ରହ କରିବା ପାଇଁ ସେ ସେଠାକୁ ଯାଇ ଥାଆନ୍ତି। ମନମୋହନଙ୍କର ଖୁଡ଼ୀ ମାଳତୀ ସେନ୍‌ ଶାନ୍ତି ନିକେତନରେ ଛାତ୍ରୀ ଥିବା ବେଳେ ଆଶା ଦେବୀ ଥିଲେ ଛାତ୍ରୀ ହଷ୍ଟେଲର ପରିଚାଳିକା। ଏଣୁ ଚୌଧୁରୀ ପରିବାରର ପିଲାମାନଙ୍କ ପାଇଁ ଆଶାଦେବୀ ଥିଲେ ମାସିମା ବା ମାଉସୀ। ମନମୋହନ ଓ ସୁମିତ୍ରାଙ୍କୁ ଆଶା ଦେବୀ ହିଁ ପରିଚିତ କରାଇ ଦେଇଥିଲେ। ଉଭୟଙ୍କର ବାହାଘର ହୋଇଥିଲା ସେବାଗ୍ରାମରେ, ଗାନ୍ଧୀଜିଙ୍କ ଆଶ୍ରମରେ। ସୁମିତ୍ରା ଚୌଧୁରୀ ହୋଇଗଲେ ବିଖ୍ୟାତ ଚୌଧୁରୀ ପରିବାରର ବୋହୂ।

ରମା ଦେବୀ ପୁଅ ବୋହୂଙ୍କୁ ସାଙ୍ଗରେ ଧରି ଆଶୀର୍ବାଦ ପାଇଁ ଗାନ୍ଧୀଜିଙ୍କ କୁଡ଼ିଆକୁ ଯାଇ ଥାଆନ୍ତି। ଗାନ୍ଧୀଜି ତାଙ୍କୁ ଦେଖି ପକାଇ ପଚାରିଲେ- ତୁ କେବେ ଆସିଲୁ? ଏହା ପୂର୍ବରୁ ବାପୁଜି କେତେ ଥର ତାଙ୍କୁ ସେବାଗ୍ରାମକୁ ଆସିବା ପାଇଁ ଲେଖିଥିଲେ। ମାତ୍ର ରମାଦେବୀ ଯାଇ ନଥିଲେ। କାରଣ କୌଣସି ଆଖିଦୃଶିଆ କାମର ରିପୋର୍ଟ ତାଙ୍କ ପାଖରେ ନଥିଲା। ସେ କିଛି କହିବା ପୂର୍ବରୁ ଆଶା ଦେବୀ କହିଲେ- ରମାଦି ପୁଅ ବାହାଘର ପାଇଁ ଆସିଛନ୍ତି। ଗାନ୍ଧୀଜି ସମସ୍ତଙ୍କୁ ଚାହିଁ ହସିଲେ। ଥଟ୍ଟାରେ ପାଟିରୁ ବାହାରି ପଡିଲା- ପୁଅ ବାହାଘର ବୋଲି ରମା ଏବେ ସେବାଗ୍ରାମ ଆସିଛି। ମୋ ବାହାଘର ହେଲେ ଯାଇ ସେ ଆର ଥରକୁ ଆସିବ। ୧୯୩୪ ମସିହାରେ ଗାନ୍ଧୀଜିଙ୍କର ପଦଯାତ୍ରା ଓଡ଼ିିଶାରେ ହୋଇଥିଲା ଓ ସେହି ଦିନରୁ ସେ ଓଡ଼ିଶାର ଚୌଧୁରୀ ପରିବାରକୁ ନିଜର କରି ନେଇ ଥିଲେ।

ମନମୋହନ ଚୌଧୁରୀଙ୍କୁ ସ୍ବାମୀ ଭାବରେ ପାଇଲା ପରେ ସୁମିତ୍ରାଙ୍କୁ ବରୀ ଗାଆଁକୁ ଆସି ରହିବାକୁ ହେଲା। ବରୀରେ ଥାଏ ଚରଖା କେନ୍ଦ୍ର ଓ ସେଠାରୁ ଚାରି କିଲୋମିଟର ଦୂରରେ ରାମଚନ୍ଦ୍ର ପୁରଠାରେ ଥାଏ ମୌଳିକ ସ୍କୁଲ ଓ କସ୍ତୁରବା ଟ୍ରଷ୍ଟର ତାଲିମ କେନ୍ଦ୍ର। ବାହାଘର ପରେ ଯେଉଁ ଦିନ ବର ବଧୂ ବରୀରୁ ରାମଚନ୍ଦ୍ରପୁର ଯାଏ ପ୍ରଥମ ଥର ପାଇଁ ଚାଲି କରି ଗଲେ, ସେଦିନ ବାଟରେ ଥିବା ସାହି ମାନଙ୍କରୁ ବୋହୂମାନେ ଆସି ତାଙ୍କୁ ବନ୍ଦାପନା କରିଥିଲେ। ଫୁଲ ମାଳ ପିନ୍ଧେଇ ଥିଲେ ଓ ଶଙ୍ଖ ବଜାଇ ଥିଲେ। ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀ ଥିଲେ ମାଆ ଓ ବାପା। ମନମୋହନ ଚୌଧୁରୀଙ୍କୁ ସମସ୍ତେ ଡାକୁଥିଲେ ବୁଲୁ ଭାଇ। ସେହି ହିସାବରେ ସୁମିତ୍ରା ଦେବୀ ହେଲେ ବରୀ ଗାଆଁରେ ଭାଉଜ।

ଚୌଧୁରୀ ପରିବାରରେ ବିଖ୍ୟାତ ଲୋକଙ୍କର ଅଭାବ ନଥିଲା। ଏଣୁ ନିଜ ପାଇଁ ସ୍ବତନ୍ତ୍ର ଭାବରେ ନାଆଁ କରିବାର କୌଣସି ଆବଶ୍ୟକତା ସେ ଦେଖୁ ନଥିଲେ। ମନମୋହନ ଚୌଧୁରୀ ବରୀରେ ଚାଷ ଓ ଲୋକଶକ୍ତିର ସ˚ଗଠନ ପାଇଁ କାମ କରୁଥିଲେ। ପରେ ଭୂଦାନ ଆନ୍ଦୋଳନ ପାଇଁ ବିଭିନ୍ନ ଅଞ୍ଚଳରେ ବୁଲିଲେ। ସର୍ବୋଦୟ ଆନ୍ଦୋଳନର ନେତା ଭାବରେ ଭାରତ ସାରା ଲୋକେ ତାଙ୍କୁ ଡାକିଥାଆନ୍ତି। ମାତ୍ର ସୁମିତ୍ରା ଦେବୀ ଥାଆନ୍ତି ରାମଚନ୍ଦ୍ରପୁରଠାରେ। କସ୍ତୁରବା ଟ୍ରଷ୍ଟ ତରଫରୁ କର୍ମୀ ହେବାକୁ ଆସିଥିବା ମହିଳା ମାନଙ୍କୁ ପଢାଇବାର ଦାୟିତ୍ବ ତାଙ୍କ ଉପରେ ଥାଏ। ପୁଅ, ଝିଅଙ୍କର ଖବର ବୁଝିବା ସାଙ୍ଗକୁ ଦୂର ଦୂରାନ୍ତରୁ ଆସିଥିବା ଅତିଥିମାନଙ୍କର ଚର୍ଚ୍ଚା କରିବା ଦାୟିତ୍ବ ମଧୢ ଥାଏ ତାଙ୍କ ଉପରେ। ଶାଶୁ ରମା ଦେବୀଙ୍କୁ ଅନୁକରଣ କରି ସେ ଆତିଥ୍ୟ କାମଟିକୁ ନିଖୁଣ ଭାବରେ ତୁଲାଇବାକୁ ଚେଷ୍ଟା କରନ୍ତି। ଶ୍ବଶୁର ଗୋପବନ୍ଧୁ ଚୌଧୁରୀ ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରି ବରୀ ଫେରିଲେ ନାତି ନାତୁଣୀଙ୍କୁ ଦେଖିବାକୁ ରାମଚନ୍ଦ୍ରପୁରକୁ ଆସନ୍ତି। ଅତିଥି ଭବନରେ ରହନ୍ତି। ସକାଳୁ ଗାଉଁଲୀ କମଳା (କାନ୍ଧିଆ)ର ରସ ପିଅନ୍ତି। ଆଚାର୍ଯ୍ୟ ମହାଶୟଙ୍କ ପାଇଁ କେତେବେଳେ କେମିତି ଚାହା ଟିକିଏ ଦରକାର। ଈଶ୍ବରଲାଲ ବ୍ୟାସ ଗୁଜୁରାଟର ଲୋକ। ରାତିରେ ଖାଆନ୍ତି ନାହିଁ। ତାଙ୍କ ପାଇଁ ଦି ପଟ ରୁଟି ଦରକାର। ବରୀ ଅଞ୍ଚଳରେ ସବୁ ଜିନିଷ ସବୁ ଦିନେ ମିଳେନା। ତଥାପି ସୁମିତ୍ରା ଦେବୀ ସମସ୍ତଙ୍କ ଲାଗି ବ୍ୟବସ୍ଥା କରି ଦିଅନ୍ତି।

ଭୂଦାନ କାମ, ମୌଳିକ ସ୍କୁଲରେ ପଢାଇବା, ସୂତା କାଟିବା , ନିଶା ନିବାରଣ ପାଇଁ କାମ, ଗାନ୍ଧୀ ବିଚାରର ପ୍ରଚାର, କସ୍ତୁରବା ଟ୍ରଷ୍ଟର ପରିଚାଳନା, କନ୍ୟାଶ୍ରମ, ଛାତ୍ରାବାସ – ଏମିତି ଅନେକ ପ୍ରକାରର କାମରେ ତାଙ୍କୁ ଜଣେ କର୍ମୀ ଭାବରେ ଲାଗିବାକୁ ପଡିଥିଲା। ନିରବ ଭାବରେ ସେ ସେସବୁ କାମକୁ ତୁଲାଉ ଥିଲେ। ପିଲା ଦୁହେଁ ବଡ ହୋଇ ଘର ଛାଡିବା ପରେ, କାମରୁ ରିହାତି ମିଳିଲେ, ଓଡ଼ିିଶା ବାହାରେ ସଭା ସମିତିକୁ ସେ ସ୍ବାମୀଙ୍କ ସହିତ ଯାଉଥିଲେ।

ଏକମାତ୍ର ପୁଅ କବୀରର ଅକାଳ ମୃତ୍ୟୁ ଘଟିଲା ଆମେରିକାରେ। ବୋହୂ ଆରତୀକୁ ସାହାଯ୍ୟ କରିବା ଲାଗି ମନମୋହନ ଚୌଧୁରୀ ଓ ସୁମିତ୍ରା ଦେବୀ ବିଭିନ୍ନ ସମୟରେ ଦୁଇ ବର୍ଷ କାଳ ଆସି ଆମେରିକାରେ ଥିଲେ। ତା ନହେଲେ ବରୀ ଓ ସତ୍ୟଭାମାପୁର (କସ୍ତୁରବା ଟ୍ରଷ୍ଟର କାର୍ଯ୍ୟାଳୟ) ହିଁ ଥିଲା ତାଙ୍କର ଅସଲ କର୍ମ କ୍ଷେତ୍ର। କଳାହାଣ୍ତିର ଦୁର୍ଭିକ୍ଷ ପରେ ସେ ସେଠାରେ ଛାତ୍ରାବାସଟି ଆରମ୍ଭ କରିଥିଲେ। ବୟସ ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ କାଳକ୍ରମେ ତାଙ୍କୁ ସବୁ ଛାଡି କଟକରେ ରହିବାକୁ ପଡିଲା। ବୟସରେ ଉପରୁ ଓ ତଳୁ ଘର ଭିତରେ ସମସ୍ତେ ଗୋଟି ଗୋଟି ହୋଇ ଚାଲିଯିବା ପରେ ସେ ସତେ ଯେମିତି ଏକୁଟିଆ ହୋଇଗଲେ। ପରିବର୍ତ୍ତନ ପାଇଁ ସେ ଜୀବନ ସାରା କାମ କରିଥିଲେ। ୯୩ ବର୍ଷ ବୟସ ଭିତରେ ସେ ଅନେକ ଦେଖିଥିଲେ, ଅନେକ ଶୁଣିଥିଲେ ଓ ଅନେକ ଅନୁଭବ ମଧ୍ୟ କରିଥିଲେ। ଏବେ ତାଙ୍କରି ଆଖି ଆଗରେ ଗାଆଁ ଗୁଡାକ ସହର ଭଳି ଦେଖା ଗଲେଣି। ପଇସାର ଯେତେ ହାଉଯାଉ ହେଲେ ବି ଲୋକ ଚରିତ୍ର ବଦଳୁ ନାହିଁ। ପରିବର୍ତ୍ତନ ପାଇଁ କାମ କରିବାକୁ ଆହୁରି ଅନେକ କଥା ତାଙ୍କ ପାଇଁ ବାକି ଥିଲା। ମାତ୍ର ସମୟ ତାଙ୍କ ପାଇଁ ଆଉ ନଥିଲା। ସେ ଚାଲିଗଲେ। ଗାନ୍ଧୀଜିଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ଭିତରେ ସୁମିତ୍ରା ଦେବୀ ଥିଲେ ଓଡ଼ିଶାରେ ଶେଷ ଲୋକ। ତାଙ୍କର ମୃତ୍ୟୁରେ ଗୋଟାଏ ଯୁଗ ସରିଗଲା। ଆମେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିବାର ସୁଯୋଗ ପାଇଛୁ, ସବୁ ଦିନ ପାଇଁ ନିଜକୁ ଭାଗ୍ୟବାନ ମନେ କରିବୁ।

[email protected]

ସମ୍ବନ୍ଧିତ ଖବର