ଇତିହାସକୁ ଲିଭାଇବାର ଚେଷ୍ଟା!

କୁମାର ପ୍ରଶାନ୍ତ

ବନ୍ଦ ଦ୍ବାରଦେଶରେ ସ୍ବାଧୀନତା ଛିଡ଼ାହୋଇଥିଲା। ଜଵାହରଲାଲ ନେହରୁ ଓ ସର୍ଦ୍ଦାର ପଟେଲ ରାଜା-ଶାସିତ ରାଜ୍ୟଗୁଡ଼ିକର ଏକୀକରଣ ଯୋଜନା ବନାଇବାରେ ବ୍ୟସ୍ତ ଥିଲେ। କିପରି ଗୋଟି ଚାଳନା ହେବ ଏବ˚ କେଉଁ କେଉଁ ସର୍ତ୍ତ ଓ ବ୍ୟବସ୍ଥା ଅନୁଯାୟୀ ସେଗୁଡ଼ିକ ଭାରତରେ ବିଲୀନ ହେବେ, ସେହି ବାବଦରେ ଆଲୋଚନା ଚାଲିଥିଲା। ରଣନୀତି ପ୍ରସ୍ତୁତ କରାଯାଉଥିଲା। ଆଉ ଏକ ରଣନୀତି ସାମ୍ରାଜ୍ୟବାଦୀ ଶକ୍ତି ବନାଉଥିଲା। ତାହାର ଲଗାମ ସଦ୍ୟ ଇ˚ଲଣ୍ତ୍‌ ହାତରୁ ଆମେରିକା ଆଡ଼କୁ ଯାଉଥିଲା। ଏସିଆକୁ କିପରି ନିୟନ୍ତ୍ରିତ କରାଯାଇପାରିବ ଏବ˚ ସ୍ବାଧୀନ ହେବାକୁ ଯାଉଥିବା ଭାରତ ଉପରେ କିପରି ନଜର ରଖାଯାଇପାରିବ, ସାମ୍ରାଜ୍ୟବାଦୀ ଶକ୍ତି ସେଥିରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲା। ପାକିସ୍ତାନ ତ ସୃଷ୍ଟି ହେଉଥିଲା। କଶ୍ମୀର ଉପରେ ସମସ୍ତଙ୍କର ନଜର ମଧ୍ୟ ଥିଲା। ୧୮୮୧ରୁ ସାମ୍ରାଜ୍ୟବାଦ କ୍ରମାଗତ ଜାଲ ବିଛାଇଚାଲିଥିଲା। ଏବକୁ ତାହାର ପରିଚୟ ଓ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଆସୁଥିଲା।

କଶ୍ମୀର ସମସ୍ତଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇଚାଲିଥିଲା। ସେଠାକାର ଯୁବ-ନେତା ଶେଖ ମହମ୍ମଦ ଅବଦୁଲ୍ଲା ରାଜତନ୍ତ୍ର ବିରୋଧରେ ଲଢ଼ୁଥିଲେ ଏବ˚ କ˚ଗ୍ରେସ୍‌ ସହ ଥିଲେ। ସେ ଜଵାହରଲାଲଙ୍କ ଅନ୍ତରଙ୍ଗମାନଙ୍କ ମଧ୍ୟରେ ଜଣେ ଥିଲେ। ସ୍ଥାନୀୟ ଆନ୍ଦୋଳନ କାରଣରୁ ରାଜା ହରି ସି˚ହ, ତାଙ୍କୁ ଜେଲ୍‌ରେ ଭର୍ତ୍ତିକରିବାରୁ ନେହରୁ କ୍ଷୁବ୍‌ଧ ହୋଇ, ପ୍ରତିକାର ପାଇଁ କଶ୍ମୀରରେ ପହଞ୍ଚିଥିଲେ। ରାଜା, ତାଙ୍କୁ ମଧ୍ୟ ସେ ରହୁଥିବା ଡାକ ବଙ୍ଗଳାରେ ନଜରବନ୍ଦୀ କରିଦେଇଥିଲେ। ରାଜାଙ୍କ ପାଇଁ ସେ ବନିଯାଇଥିଲେ ଲାଲ ଝଣ୍ତାଧାରୀ ବିପ୍ଳବୀ। ସ୍ବାଧୀନତା ସହ ବିଭାଜନ! ଏ ଭଳି ପରିସ୍ଥିତିରେ କେହି ସେଠାକୁ ଯାଇ କାହାକୁ ଆଶ୍ବାସନା ଦେବା ତଥା କାହାର ବିବେକ ଜାଗ୍ରତ କରାଇବା ଏତେ ସହଜ ନ ଥିଲା। ମାଉଣ୍ଟ୍‌ବାଟେନ୍‌ ସାହେବ ପ୍ରସ୍ତାବ ଦେଲେ: ଆମେ ସେଠାକୁ ଯିବା ପାଇଁ କ’ଣ ମହାତ୍ମାଙ୍କୁ ଅନୁରୋଧ କରିପାରିବା?

ପ୍ରସ୍ତାବ ଦେଇଥିଲେ ମାଉଣ୍ଟ୍‌ବାଟେନ୍‌ ଏବ˚ ମହାତ୍ମାଙ୍କୁ ଜବାବ ଦେବାର ଥିଲା। ତାଙ୍କର ବୟସ ସେତେ ବେଳେ ସତସ୍ତରି ବର୍ଷ। ଯାତ୍ରା କଷ୍ଟକର ଥିଲା। କିନ୍ତୁ, ଦେଶ ପ୍ରସଙ୍ଗରେ ମହାତ୍ମାଙ୍କ ପାଇଁ କିଛି ବି କଷ୍ଟକର ନ ଥିଲା। ସେ ଏହା ମଧ୍ୟ ଭଲ ଭାବେ ଜାଣିଥିଲେ ଯେ, ସ୍ବାଧୀନ ଭାରତର ଭୌଗୋଳିକ ନକ୍ସା ମଜଭୁତ ନ ହେଲେ, ଆଗକୁ ଯାତ୍ରା କଷ୍ଟକର ହେବ। ସେ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ। କେହି ଜଣେ ପଚାରିଥିଲେ: ଏତେ କଷ୍ଟକର ଯାତ୍ରାରେ ଯିବା କ’ଣ ଜରୁରୀ? ପରାମର୍ଶ ଦେଇଥିଲେ: ଆପଣ ରାଜାଙ୍କୁ ପତ୍ର ଲେଖିପାରିବେ। ପ୍ରଶ୍ନ କରିଥିବା ବ୍ୟକ୍ତିଙ୍କ ମୁହଁକୁ ଚାହିଁ ସେ କହିଥିଲେ: ହଁ, ତାହା ହେଲେ ମୋ ପକ୍ଷେ ନୋଆଖଲୀ ଯିବା ବି ତ ଜରୁରି ନ ଥିଲା। ସେଠାକୁ ମଧ୍ୟ ପତ୍ର ଲେଖିପାରିଥାଆନ୍ତି। କିନ୍ତୁ, ଏହା ଦ୍ବାରା କାମ ହୁଏନାହିଁ।

ସ୍ବାଧୀନତାର ମାତ୍ର ଚଉଦ ଦିନ ପୂର୍ବରୁ ରାଵଲପିଣ୍ତିରୁ ଦୁର୍ଗମ ରାସ୍ତା ଦେଇ ମହାତ୍ମା ପ୍ରଥମ ଓ ଶେଷ ଥର ପାଇଁ କଶ୍ମୀରରେ ପହଞ୍ଚିଥିଲେ। ସେ କଶ୍ମୀର ଯାଉଥିବା କଥା ୨୯ ଜୁଲାଇ ୧୯୪୭ରେ ପ୍ରାର୍ଥନା ସଭାରେ ନିଜେ ହିଁ କହିଥିଲେ: ‘‘ମୁଁ ଏହା ବୁଝାଇବାକୁ ଯାଉନାହିଁ ଯେ, କଶ୍ମୀର ଭାରତ ସହ ରହିବା ଉଚିତ। ସେହି ନିଷ୍ପତ୍ତି ମୁଁ ବା ରାଜା ନୁହେଁ, କଶ୍ମୀର ଜନତା ନେବେ। କଶ୍ମୀରରେ ରାଜା ଅଛନ୍ତି, ପ୍ରଜା ବି। ତେବେ, କାଲି ରାଜା ମରିଗଲେ, କେବଳ ପ୍ରଜା ରହିବେ। ସେମାନେ ନିଜ କଶ୍ମୀର ବାବଦରେ ନିଜେ ନିର୍ଣ୍ଣୟ ନେବେ।’’

୧ ଅଗଷ୍ଟ ୧୯୪୭ରେ ମହାତ୍ମା କଶ୍ମୀରରେ ପହଞ୍ଚିଥିଲେ। ତାଙ୍କୁ ଦେଖିବା ପାଇଁ ସେଠାରେ ଅସ˚ଭବ ଭିଡ଼ ହୋଇଥିଲା। ଝେଲମ ନଦୀ ପୋଲ ଉପରେ ତିଳ ପକାଇବାକୁ ଜାଗା ନ ଥିଲା। ମହାତ୍ମାଙ୍କ ଗାଡ଼ି ସେତୁ ଉପର ଦେଇ ଶ୍ରୀନଗର ଯାଇପାରି ନ ଥିଲା। ତାଙ୍କୁ ନୌକାରେ ବସାଇ ନଦୀ ପାରିକରାଯାଇ, ସହରକୁ ନିଆଯାଇଥିଲା। ଦୂର-ଦୂରାନ୍ତରରୁ ଆସିଥିବା କଶ୍ମୀରୀବାସୀ, ଏଠି-ସେଠି ତାଙ୍କ ଝଲକ ପାଇ ଧନ୍ୟ ହୋଇଥିଲେ: ‘‘ବାସ୍‌, ମହାତ୍ମାଙ୍କ ଦର୍ଶନ ହୋଇଗଲା।’’

ସେତେ ବେଳେ ଶେଖ ଅବଦୁଲ୍ଲା ଜେଲ୍‌ରେ ଥିଲେ। ମହାତ୍ମାଙ୍କ ପାଇଁ ଦୁଇ ଦୁଇଟି ସ୍ବାଗତ ସଭା ଆୟୋଜିତ ହୋଇଥିଲା। ଗୋଟିଏ ରାଜାଙ୍କ ପକ୍ଷରୁ ରାଜମହଲରେ ଏବ˚ ଅନ୍ୟଟି ଜନତା ପକ୍ଷରୁ ଆୟୋଜିତ କରିଥିଲେ ବେଗମ ଅକବରଜହାଁ ଅବଦୁଲ୍ଲା। ରାଜା ହରି ସି˚ହ, ରାଣୀ ତାରା ଦେବୀ ଓ ରାଜକୁମାର କର୍ଣ୍ଣ ସି˚ହ ମହଲରୁ ବାହାରକୁ ଆସି ମହାତ୍ମାଙ୍କୁ ପାଛୋଟି ନେଇଥିଲେ। ମହଲରେ କ’ଣ ଆଲୋଚନା ହୋଇଥିଲା, ବିଶେଷ ଜଣାନାହିଁ। ତେବେ, ବେଗମଙ୍କ ପକ୍ଷରୁ ଆୟୋଜିତ ନାଗରିକ ସ୍ବାଗତ ସମାରୋହରେ ମହାତ୍ମା ସ୍ପଷ୍ଟ କହିଥିଲେ: ଏହି ରାଜ୍ୟର ଅସଲି ରାଜା ହେଉଛନ୍ତି ଏଠାକାର ପ୍ରଜା। ସେମାନେ ଯଦି ପାକିସ୍ତାନ ସହ ମିଶିବା ପାଇଁ ଚାହିଁବେ, ବିଶ୍ବର କୌଣସି ଶକ୍ତି, ସେମାନଙ୍କୁ ରୋକିପାରିବନାହିଁ। କିନ୍ତୁ, ଜନତାର ରାୟ କିପରି ନିଆଯିବ? ସେଥି ପାଇଁ ପ୍ରଥମେ ବାତାବରଣ ସୃଷ୍ଟି ହେବା ଦରକାର! ସେମାନେ ଯେପରି ସ୍ବାଧୀନ ଭାବେ ତଥା ସ୍ବଚ୍ଛନ୍ଦତାର ସହ ନିଜର ରାୟ ଦେଇପାରିବେ, ତାହାର ବ୍ୟବସ୍ଥା ହେବା ଦରକାର। ଆକ୍ରମଣ କରି, ଘର-ଦ୍ବାର ଜଳାଇ ତ ଆପଣ ରାୟ ନେଇପାରିବେନାହିଁ। ଆଉ ଯଦି ପ୍ରଜା କହିବେ, ଆମେ ମୁସଲମାନ ହୋଇ ମଧ୍ୟ ଭାରତରେ ରହିବୁ, କୌଣସି ଶକ୍ତି, ସେମାନଙ୍କୁ ରୋକିପାରିବେନାହିଁ। ଏଠାରେ ପାକିସ୍ତାନୀ ଅନୁପ୍ରବେଶକୁ ପାକିସ୍ତାନ ରୋକୁ। ନ ହେଲେ ତାହା ଉପରେ ଅଭିଯୋଗ ହେବ।

ମହାତ୍ମା ତାହା ପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ: କ˚ଗ୍ରେସ୍‌ ସର୍ବଦା ରାଜତନ୍ତ୍ରର ବିରୋଧୀ ରହିଆସିଛି; ତାହା ଇ˚ଲଣ୍ତ୍‌ର ହେଉ କି ଏଠାକାର। ଶେଖ ଅବଦୁଲ୍ଲା ଲୋକତନ୍ତ୍ର କଥା କହୁଛନ୍ତି, ଲୋକତନ୍ତ୍ର ପାଇଁ ଲଢ଼ୁଛନ୍ତି। ଆମେ, ତାଙ୍କ ସହ ଅଛୁ। ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯିବା ଦରକାର। ତାଙ୍କ ସହ ଆଲୋଚନା କରି ମାର୍ଗ ନିର୍ଦ୍ଧାରଣ କରାଯିବା ଆବଶ୍ୟକ। କଶ୍ମୀର ବାବଦରେ ନିଷ୍ପତ୍ତି ସ୍ଥାନୀୟ ଲୋକ ନେବେ। ଆଉ ସ୍ଥାନୀୟ ଲୋକ ହେଉଛନ୍ତି, ଏଠାକାର ମୁସଲମାନ, ଏଠାକାର ହିନ୍ଦୁ, କଶ୍ମୀରୀ ପଣ୍ତିତ, ଡୋଗରା ଓ ଶିଖ।

କଶ୍ମୀର ପ୍ରସଙ୍ଗରେ ଭାରତ ପକ୍ଷରୁ ଏହା ଥିଲା ପ୍ରଥମ ସ୍ପଷ୍ଟ ଘୋଷଣା। ମହାତ୍ମା ଏଠାରେ ଭାରତର ପ୍ରବକ୍ତା ନ ଥିଲେ। କାରଣ ଭାରତ ସ୍ବତନ୍ତ୍ର ହେବା ବାକି ଥିଲା ଏବ˚ ଔପଚାରିକ ଭାବେ ସରକାର ମଧ୍ୟ ଗଠିତ ହୋଇ ନ ଥିଲା। କିନ୍ତୁ, ସେ ଥିଲେ ସ୍ବାଧୀନତା ସ˚ଗ୍ରାମର ମୂଲ୍ୟବୋଧର ଜନକ ଏବ˚ ସ୍ବାଧୀନ ଭାରତର ସବୁଠାରୁ ବଡ଼ ଅଧିକାରିକ ପ୍ରବକ୍ତା। ଏହାକୁ କେହି ଅସ୍ବୀକାର କରିପାରିବେନାହିଁ। ମହାତ୍ମାଙ୍କ କଶ୍ମୀର ଗସ୍ତ ସଫଳ ହୋଇଥିଲା। ସେ ସ୍ଥାନୀୟ ଲୋକଙ୍କ ବିଶ୍ବାସ ଜିଣିପାରିଥିଲେ। ଏହାର ସୁଫଳ ସ୍ବରୂପ ଶେଖ ଅବଦୁଲ୍ଲାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ସେ ଭାରତ ସହ ରହିବା ପାଇଁ ଘୋଷଣା କରିଥିଲେ। ପାକିସ୍ତାନଠାରୁ ଦୂରେଇ ରହିବା ପାଇଁ ସେ କଶ୍ମୀରୀ ମୁସଲମାନମାନଙ୍କୁ ପ୍ରବର୍ତ୍ତାଇଥିଲେ। ପାକିସ୍ତାନ ବିରୋଧୀ ଅଭିଯାନର ନେତୃତ୍ବ ନେଇଥିଲେ। ନେହରୁ-ପଟେଲ-ଅବଦୁଲ୍ଲାଙ୍କୁ ମହାତ୍ମାଙ୍କ ଆଧାର ମିଳିଥିଲା ଏବ˚ ଆଗକୁ ଯାହା ଯାହା ଘଟିଥିଲା ଏବ˚ ଯେଉଁ ଇତିହାସ ରଚିତ ହୋଇଥିଲା, ତାହାକୁ ଲିଭାଇବା ପାଇଁ ଏବର ସରକାର ଲାଗିଛି। ଯେଉଁମାନେ କିଛି ଗଢ଼ିନାହାନ୍ତି, ସେମାନେ ଆଜି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।

କଶ୍ମୀର ପ୍ରସଙ୍ଗରେ ଆମେ ଏହା ମଧ୍ୟ ଭୁଲିବାନାହିଁ ଯେ, ଯେଉଁ ସେନା ତାକତ ବଳରେ ପାକିସ୍ତାନ କଶ୍ମୀର ଦଖଲ କରିବାକୁ ଚାହୁଁଥିଲା, ଭାରତ ସରକାର ତାହାର ମୁକାବିଲା ସେନା ବଳରେ ହିଁ କରିଥିଲେ ଏବ˚ ସେତେ ବେଳେ ମଧ୍ୟ ମହାତ୍ମା ଭାରତୀୟ ସେନାର ସେହି ଅଭିଯାନକୁ ସମର୍ଥନ ଦେଇଥିଲେ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର