ଜୀବନର ଜିତାପଟ

ଅଶୋକ କୁମାର ଶତପଥୀ

ଚଳିତ ବର୍ଷ ଭେଷଜ ବା ଚିକିତ୍ସା ବିଜ୍ଞାନ ଲାଗି ନୋବେଲ ପୁରସ୍କାର ପାଇଛନ୍ତି ତିନି ଜଣ ବୈଜ୍ଞାନିକ। ସେମାନଙ୍କ ଭିତରୁ ଦୁଇ ଜଣ ଆମେରିକୀୟ ଯଥାକ୍ରମେ ପ୍ରଫେସର ଵିିଲିଅମ ଜି. କେଲିନ ଓ ପ୍ରଫେସର ଗ୍ରେଗ୍‌ ଏଲ୍‌. ସେମେଞ୍ଜା। ତୃତୀୟ ଜଣକ ଜଣେ ବ୍ରିଟିସ ବିଜ୍ଞାନୀ ସାର ପିଟର ଜେ. ରାକ୍ଲିଫେ। ଏହି ତିନି ଜଣ ଯଥାକ୍ରମେ ହାର୍ଭାର୍ଡ ମେଡ଼ିକାଲ ସ୍କୁଲ୍‌, ଜନ୍‌ ହପକିନ୍‌ସ ୟୁନିଭରସିଟି ଓ ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ। ଏହି ତିନି ଜଣଙ୍କ ଗବେଷଣାର ଲକ୍ଷ୍ୟ ଥିଲା ଶରୀରର ଜୀବକୋଷ କିପରି ଉପଲବ୍‌ଧ ଅମ୍ଳଜାନକୁ ଠଉରାଇ ତା ସହିତ ଖାପ ଖୁଆଇବା କୋୖଶଳ ଆପଣାଏ, ତାହା ଜାଣିବା। ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଏହି ଉଚ୍ଚାଙ୍ଗ ଗବେଷଣା ଓ ତାର ନିଷ୍କର୍ଷ କ୍ୟାନ୍‌ସର, ହୃଦ୍‌ଘାତ ଓ ରକ୍ତହୀନତା ପରି ଅନେକ ଘାତକ ରୋଗର ସଫଳ ଚିକିତ୍ସା ପାଇଁ ବାଟ ଫିଟାଇଛି।

ଜୀବନ ପାଇଁ ଅମ୍ଳଜାନ କେତେ ଜରୁରୀ, ତାହା ସମସ୍ତେ ଜାଣନ୍ତି। ପ୍ରାଣୀ ହେଉ କି ଉଦ୍ଭିଦ; ପ୍ରତ୍ୟେକ ଜୀବ ପ୍ରଶ୍ବାସରେ ଗ୍ରହଣ କରୁଥିବା ଅମ୍ଳଜାନ ହିଁ ତାକୁ ବଞ୍ଚାଇ ରଖେ। ଏହି ଅମ୍ଳଜାନ ଶରୀରର ପ୍ରତ୍ୟେକ ଜୀବକୋଷରେ ପହଞ୍ଚିବା ପରେ ଯେଉଁ ପ୍ରକ୍ରିୟା ସ˚ପାଦିତ ହୁଏ, ତହିଁରୁ ଶକ୍ତି ଉତ୍ପାଦିତ ହୁଏ, ଯାହା ପ୍ରାଣୀକୁ ଚଳମାନ କରାଏ। ଏହି ପ୍ରକ୍ରିୟାକୁ କୋଷୀୟ ଶ୍ବାସ-କ୍ରିୟା ବୋଲି କୁହାଯାଏ। ରକ୍ତରେ ଥିବା ଲୋହିତ ରକ୍ତ କଣିକା ଫୁସ୍‌ଫୁସ୍‌ରୁ ଅମ୍ଳଜାନ ନେଇ ଶରୀରର ଅପରିମିତ ସ˚ଖ୍ୟକ କୋଷମାନଙ୍କ ଠାରେ ପହଞ୍ଚାଇଥାନ୍ତି।

ଶରୀରର ବ୍ୟବସ୍ଥା ବଡ଼ ବିଚିତ୍ର ଓ ଜଟିଳ। ଜୀବକୁ ପ୍ରତିକୂଳ ପରିସ୍ଥିତିରେ ବଞ୍ଚାଇ ରଖିବା ଲାଗି ଶରୀର ଭିତରେ ନାନା ଆୟୋଜନ ରହିଛି। ଉଦାହରଣ ସ୍ବରୂପ, କୌଣସି କାରଣରୁ ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ପାଇଲା। ସେଭଳି ସ୍ଥିତିକୁ ସମ୍ଭାଳିବା ଲାଗି ଏରିଥ୍ରୋପୋଇଏଟିନ୍‌ ନାମକ ହର‌୍‌ମୋନ୍‌ କ୍ଷରଣରେ ବୃଦ୍ଧି ହୁଏ। କିନ୍ତୁ ଏ ଦୁଇଟି ଭିତରେ କି ସ˚ପର୍କ ରହିଛି ସେଇ ଗୂଢ଼ ତତ୍ତ୍ବର ଉଜାଗର କରିଛନ୍ତି ବୈଜ୍ଞାନିକ ସେମେଞ୍ଜା ଓ ରାକ୍ଲିଫେ। ସେହିପରି ପ୍ରଫେସର କେଲିନ ଗବେଷଣା କରି ଜାଣିପାରିଛନ୍ତି ଯେ ଯେତେବେଳେ କୋଷରେ ଅମ୍ଳଜାନ ପରିମାଣ ବଢ଼ି ପୁଣି ସାଧାରଣ ସ୍ତରକୁ ଆସିଯାଏ, ସେତେବେଳେ ଶରୀର ଭିତରେ କି ସୂକ୍ଷ୍ମ ପ୍ରକ୍ରିୟା ସାଧିତ ହୁଏ। ‘କାର୍ସିନାମା’ କୋଷଗୁଡ଼ିକର ଦ୍ରୁତ ଓ ଅନିୟନ୍ତ୍ରିତ ବୃଦ୍ଧି କାରଣରୁ କ୍ୟାନସର ରୋଗ ଏତେ ଘାତକ ହୋଇଥାଏ। ଏହି ତିନି ବୈଜ୍ଞାନିକଙ୍କ ଗବେଷଣାରୁ ଜଣାପଡ଼ିଛି ଯେ କୋଷଗୁଡ଼ିକର ଏଭଳି ଦ୍ରୁତ ବୃଦ୍ଧି ପଛରେ ଥିବା ଗୂଢ଼ କାରଣଟି କ’ଣ? ଏହି ତିନି ବୈଜ୍ଞାନକଙ୍କ ଗବେଷଣାଲବ୍‌ଧ ଜ୍ଞାନ ଅନେକ ନୂତନ ଓାୖଷଧ ଉଦ୍ଭାବନ ପାଇଁ ବାଟ ଫିଟାଇଛି, ଯାହା ଦ୍ବାରା ଭବିଷ୍ୟତରେ କ୍ୟାନ୍‌ସର ରୋଗଗ୍ରସ୍ତଙ୍କ ଚିକିତ୍ସା ସହଜ ଓ ସଫଳ ହୋଇପାରିବ। ଏହା ଛଡ଼ା, ସେମାନଙ୍କ ଗବେଷଣା ଲବ୍‌ଧ ତଥ୍ୟ ଦ୍ବାରା ହୃଦ୍‌ଘାତ, ରକ୍ତହୀନତା ତଥା ବୃକ୍କ ଅଚଳ ହୋଇଯିବା ଭଳି ରୋଗର ମଧୢ ସଫଳ ଚିକିତ୍ସା ସମ୍ଭବ ହେବ।

ଏହି ତିନି ବୈଜ୍ଞାନିକଙ୍କ ଜୀବନବ୍ୟାପୀ ସାଧନା ଓ ଅବଦାନ ଏଭଳି ରୋଗର ସଫଳ ଚିକିତ୍ସା ଲାଗି ବାଟ ଫିଟାଇଛି ଯେ କୁହାଯାଉଛି ଏମାନଙ୍କ ଦ୍ବାରା ଜୀବନର ଜିତାପଟ ହୋଇଛି। ଯନ୍ତ୍ରଣା ଦୂର ହେବାର ସମ୍ଭାବନା ଦେଖାଦେଇଛି। ମୃତ୍ୟୁ କେଇ ପାଦ ପଛକୁ ହଟିଛି।

ମୋ-୯୪୩୭୨୬୮୦୬୮

ସମ୍ବନ୍ଧିତ ଖବର