ପ୍ଲାଷ୍ଟିକ ମୁକ୍ତ ଭାରତର ସ୍ୱପ୍ନ

ହରିହର ତ୍ରିପାଠୀ

‘ବିଶ୍ବକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ରକ୍ଷା କରିବା ଲାଗି ମୁଁ ନିଜେ ଆଜି ଠାରୁ ପ୍ଲାଷ୍ଟିକ ବର୍ଜନ କରିବି। ମୋର ଦୈନନ୍ଦିନ ଜୀବନରେ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ସ୍ଥାନ ନାହିଁ।’ ଏମିତି ଏକ ଶପଥ ଦେଶର ପ୍ରତ୍ୟେକ ବ୍ୟକ୍ତି ନେଲେ ହିଁ ଦେଶ ପ୍ଲାଷ୍ଟିକ୍‌ ମୁକ୍ତ ହୋଇପାରିବ। ନ ହେଲେ, କୌଣସି ସରକାର, ଆଇନକାନୁନ ଏହାକୁ ବନ୍ଦ କରିପାରିବ ନାହିଁ। ସବୁଠାରୁ ବଡ଼ କଥା ହେଉଛି ଜନସାଧାରଣଙ୍କ ଆତ୍ମ ସଚେତନତା ଓ ବ୍ୟକ୍ତିଗତ ବିବେକବୋଧ।

ଜାତିର ଜନକ ବାପୁଙ୍କ ଜନ୍ମଦିନରୁ ଦେଶକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ କରିବା ଲାଗି ପଦକ୍ଷେପ ନିଆଯାଇଛି। କିନ୍ତୁ ପ୍ଲାଷ୍ଟିକ ସାମଗ୍ରୀ ଆମର ଜନଜୀବନ ସହିତ ଏମିତି ଯୋଡି ହୋଇ ଯାଇଛି ଯେ ଆମେ ତହିଁରୁ ନିଜକୁ ମୁକ୍ତ କରିବାକୁ ହେଲେ କେବଳ ଦୃଢ଼ ସ˚କଳ୍ପ ହିଁ ଆବଶ୍ୟକ। ପୁଣି କେବଳ ସହରୀ ଜୀବନରେ ଏହା ସୀମିତ ନୁହେଁ, ଏହା ଗ୍ରାମାଞ୍ଚଳକୁ ବି ବ୍ୟାପିଛି। ତେବେ ସବୁଠାରୁ ଚିନ୍ତାଜନକ ହୋଇଛି ପ୍ଲାଷ୍ଟିକ ବୋତଲ ଓ ପଲିଥିନ୍‌ ଥଳି। କାରଣ ଥରେ ବ୍ୟବହୃତ ହେବା ପରେ ଏ ସବୁ ଆବର୍ଜନାରେ ଅନ୍ତର୍ଭୁକ୍ତ ହେଉଥିବାରୁ ଏଥି ଜନିତ ଆବର୍ଜନା ଏବେ ମଣିଷ ଲାଗି ମୁଣ୍ତବିନ୍ଧାର କାରଣ ପାଲଟିଛି।

ସହରରେ ଯେତେ ଆବର୍ଜନା ସ˚ଗୃହୀତ ହୋଇଥାଏ, ତାହାର ୮୦ ଭାଗ ପ୍ଲାଷ୍ଟିକ ଓ ପଲିଥିନ। ସମଗ୍ର ବିଶ୍ବରେ ଏହା କିଭଳି ଭୟାବହ ଆକାର ଧାରଣ କରିଛି, ଗୋଟିଏ ଉଦାହରଣରୁ ତାହା ସ୍ପଷ୍ଟ ହେବ। ପ୍ରଶାନ୍ତ ମହାସାଗରର ଉତ୍ତର-କେନ୍ଦ୍ର ଭାଗରେ ପ୍ରାୟ ୮୦ ହଜାର ମେଟ୍ରିକ୍‌ ଟନ୍‌ର ପ୍ଲାଷ୍ଟିକ ଜମା ହୋଇଛି ବୋଲି ଜଣାପଡ଼ିଛି। ଏହା ୧.୦୬ ନିୟୁତ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପି ରହିଛି ଏବ˚ ଏକ ବର୍ଗକିଲୋମିଟର ପିଛା ୧୦୦ କେଜି ପ୍ଲାଷ୍ଟିକ ଭାସୁଛି। ଏସବୁ ଏସିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆ ଆଦି ମହାଦେଶର ବିଭିନ୍ନ ଦେଶମାନଙ୍କରୁ ଏ ସବୁ ଆସି ଜମା ହୋଇଛି ବୋଲି ଜଣାପଡିଛି। ଏହାକୁ କୁହାଯାଉଛି ‘ଗ୍ରେଟ୍‌ ପାସିଫିକ୍‌ ଗାର‌୍‌ବେଜ୍‌ ପ୍ୟାଚ।’

ପ୍ଲାଷ୍ଟିକମୁକ୍ତ ଭାରତ ରାତାରାତି ହେବା ସମ୍ଭବ ନୁହେଁ। ଏଥିଲାଗି ପ୍ରଥମେ ଆମକୁ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବାକୁ ହେବ। ପ୍ଲାଷ୍ଟିକ୍‌ ବଦଳରେ ବିକଳ୍ପର ଅନୁସନ୍ଧାନ କରିବାକୁ ହେବ। ପଲିମର‌୍‌ରୁ ପ୍ରସ୍ତୁତ ପ୍ଲାଷ୍ଟିକ ବ୍ରହ୍ମାଙ୍କ ଠାରୁ ଅମରତ୍ବର ବର ପ୍ରାପ୍ତ ହୋଇଥିବା ଗୋଟିଏ ଦୈତ୍ୟ ବୋଲି କହିଲେ ଅତ୍ୟୁକ୍ତିି ହେବନାହିଁ। ତେଣୁ ଏହି ରାକ୍ଷସର ବିନାଶ ଲାଗି ଆମେ ସମସ୍ତେ ନିଜ ନିଜ ଯୋଗଦାନ ଦେବା ଉଚିତ। ପ୍ଲାଷ୍ଟିକ ବର୍ଜନ କଲା ବେଳେ ବି ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। ଯେଉଁ ପ୍ଲାଷ୍ଟିକ ପୁନଃଚକ୍ରଣକ୍ଷମ ତାକୁ ଅଲଗା କରି ପାରିଲେ ଆବର୍ଜନା ପରିଚାଳନା କାର୍ଯ୍ୟ ସହଜ ହେବ। ଏ କ୍ଷେତ୍ରରେ ସରକାରଙ୍କ ଦାୟିତ୍ବ ହେଲା ପ୍ଲାଷ୍ଟିକ ବ୍ୟବହାର ପ୍ରତି ଶୂନ୍ୟ ସହନଶୀଳ ହୋଇ ଉଚ୍ଚ ଜରିମାନା ଆଦାୟ କରନ୍ତୁ। ଆମ କୁଅଭ୍ୟାସ ନ ଗଲା ପର୍ଯ୍ୟନ୍ତ ଆମ ଉପରେ ଦଣ୍ତର ଭୟ ଝୁଲି ରହିଥାଉ।

ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା
ମୋ : ୯୪୩୯୯୦୩୨୨୦

ସମ୍ବନ୍ଧିତ ଖବର