ବିଜୟଙ୍କ ପ୍ରତ୍ୟାବର୍ତ୍ତନ ପରେ କେନ୍ଦ୍ରାପଡା ରାଜନୀତି ଚଳଚଞ୍ଚଳ; ଜଗନ୍ନାଥଙ୍କ ଦର୍ଶନ ସାରି ପ୍ରଚାରକୁ ଓହ୍ଲାଇଲେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅତନୁ

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ପୁଣି ବିଜେପିକୁ ଫେରି ଆସିବା ପରେ ସେ ନିର୍ବାଚନରେ ପ୍ରାର୍ଥୀ ହେବା ପ୍ରସଙ୍ଗ ସାମ୍ନାକୁ ଆସିଛି। ବିଜେପିରେ ଅଲୋଡା ହୋଇଥିବା ବିଜୟ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରି ୨୦୧୮ ରେ ଇସ୍ତଫା ଦେଇଥିଲେ। ଏହାପରେ ସେ ପଛ କଥା ଭୁଲି ପୁଣି ଫେରିଛନ୍ତି ଦଳକୁ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ସାମ୍ବାଦିକଙ୍କୁ ବିଜୟ କହିଛନ୍ତି, ଦଳ ଯେଉଁଠି ଚାହିଁବ ସେଠାରୁ ସେ ନିର୍ବାଚନ ଲଢ଼ିବେ। ମୋଟାମୋଟି, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡାରୁ କିମ୍ବା ତାଙ୍କର ପୁରୁଣା ଗଡ଼ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ନିର୍ବାଚନ ଲଢ଼ିବା ନେଇ ସଂକେତ ମିଳୁଛି।

ତେଣେ ବିଜୟ ମହାପାତ୍ରଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ବିଜୟଙ୍କ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ୱ ଦେଇନାହାନ୍ତି। ସେ କହିଛନ୍ତି ଗତ ତିନିଟି ନିର୍ବାଚନରେ ବିଜୟ ପରାଜିତ ହୋଇଛନ୍ତି। ତେଣୁ ସେ କେନ୍ଦ୍ରାପଡାର କୌଣସି ବି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଲେ ତା’ର କୌଣସି ପ୍ରଭାବ ପଡ଼ିବ ନାହିଁ। ଅତନୁଙ୍କ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାବାସୀଙ୍କ ଦୃଦୟରେ ଅଛନ୍ତି । ତାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଜିଲ୍ଲାରେ ବିକାଶ ଧାରା ଜାରି ରହିଛି। ତେଣୁ ଆଉ କାହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।

ତେବେ ରାଜନୈତିକ ବିଶ୍ଲେଷକଙ୍କ ମତାନୁଯାୟୀ ମହାକାଳପଡା କିମ୍ବା ପାଟକୁରାରୁ ପ୍ରାର୍ଥୀ ଭାବେ ବିଜୟଙ୍କ ଆବିର୍ଭାବ ବିଜେପିକୁ ସହାୟକ ହେବ। ଅନ୍ୟପକ୍ଷରେ ଏହା ବିଜେଡିର ସହଜ ବିଜୟକୁ କିଛି ମାତ୍ରାରେ କଷ୍ଟସାଧ୍ୟ କରିପାରେ।

ଦୁଇ ଦୁଇ ଥର ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସମର୍ଥନ ହାସଲ କରିଥିବା ଅତନୁ ସବ୍ୟସାଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି। ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବିଧିବଦ୍ଧ ଭାବେ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର