ଭୁବନେଶ୍ୱର : ଚଉଦରେ ନିର୍ବାଚିତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ଖାଲି ହୋଇଥିବା ବିଜେପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଲାଗି ତଥାପି ଦିନ ଧାର୍ଯ୍ୟ ହୋଇ ନାହିଁ। ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦ୍ୱାରା ଆଗତ ନିର୍ବାଚନ ମାମଲା ହାଇକୋର୍ଟରେ ଖାରଜ ହୋଇଯାଇଛି। ଫଳରେ ଉପ-ନିର୍ବାଚନ ପାଇଁ ବାଟ ପରିଷ୍କାର ହୋଇ ଯାଇଛି। ଏବେ ମୁଖ୍ୟ ନିର୍ବାଚନ କମିସନରଙ୍କ ଦ୍ୱାରା ଯେ କୌଣସି ଦିନ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ତେବେ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଥିବା ବେଳେ ନିର୍ବାଚନମଣ୍ଡଳୀରେ ଭୋଟ ବାସ୍ନା ସ୍ପଷ୍ଟ ବାରି ହେଉଛି। ପ୍ରତିଦ୍ୱନ୍ଦ୍ୱୀଙ୍କ ବ୍ୟଗ୍ରତା ଓ ଭୋଟରଙ୍କ ଉତ୍କଣ୍ଠା ମଧ୍ୟରେ ତିନିଟି ବ୍ଲକ୍‌ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳକୁ ନେଇ ଗଠିତ ଏହି ଆସନରେ ନିର୍ବାଚନ ତାତି ବଢ଼ିଚାଲିଛି। ପ୍ରାୟ ୨ ଲକ୍ଷ ୧୯ ହଜାର ମତଦାତା ବିଶିଷ୍ଟ ବରଗଡ଼ ଜିଲ୍ଲାର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଭୋଟରଙ୍କ ମନ ଜିଣିବା ଲାଗି ଆରମ୍ଭ ହୋଇଗଲାଣି ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କ ମଧ୍ୟରେ ଛକାପଞ୍ଝା। ତିନି ପ୍ରମୁଖ ରାଜନୈତିକ ଶକ୍ତି ରାଜ୍ୟରେ କ୍ଷମତାସୀନ ବିଜେଡି, କେନ୍ଦ୍ରରେ କ୍ଷମତାସୀନ ତଥା ରାଜ୍ୟରେ କ୍ଷମତା ହାସଲ ଲାଗି ବ୍ୟଗ୍ର ବିଜେପି ଏବଂ ୨୦୦୪ରୁ ଲଗାତାର ଏହି ଆସନରୁ ବିଜୟୀ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଇଁ ବିଜେପୁର ଆସନ ଏକ ମର୍ଯ୍ୟାଦାର ପ୍ରଶ୍ନ।

Advertisment

ଇତିମଧ୍ୟରେ ଆସନ ପାଇଁ ଦୁଇ ମୁଖ୍ୟ ଦାବିଦାରଙ୍କ ଶିବିରରେ ମିଶ୍ରଣ ପର୍ବ ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି। ଊଣେଇଶ ମୁକାବିଲା ଆଗରୁ ରାଜନୈତିକ ପାଣିପାଗ ପାଇଁ ଦିଗବାରେଣୀ ଏ ଲଢ଼େଇ ନେଇ ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କ ଶିବିରରେ ରଣକୌଶଳ ଉପରେ ଚାଲିଛି ଅହରହ ମନ୍ତ୍ରଣା, ନିର୍ଣ୍ଣାୟକ ଯୁଦ୍ଧ ପାଇଁ ଚାଲିଛି ନୀଳ ନକ୍ସାର ପ୍ରସ୍ତୁତି। ବିଜେପୁର ଉପ-ନିର୍ବାଚନ ଏକ ସାଧାରଣ ଉପ-ନିର୍ବାଚନ ନୁହେଁ, ଏହା ମହା ଉପ-ନିର୍ବାଚନ। ‘ମଦର ଅଫ୍‌ ଅଲ୍‌ ବାଇ- ଇଲେକ୍‌ସନ୍‌’ ବୋଲି କହିଲେ ବି ଅତିରଞ୍ଜନ ହେବ ନାହିଁ। ତେବେ ଏ କୋଳାହଳ ଭିତରେ ବିଜେପୁରର ସାଧାରଣ ଭୋଟର ଭଗବାନଙ୍କ ମନରେ କ’ଣ ଅଛି? ମତଦାତାଙ୍କ ମତରେ ଆସନ୍ନ ଭୋଟ ଲଢ଼େଇରେ ମୁଖ୍ୟ ପ୍ରସଙ୍ଗ କ’ଣ ହେବ? ନିର୍ବାଚନ ପୂର୍ବରୁ ଦଳ ବଦଳକୁ ଭୋଟର କିପରି ବିଚାର କରୁଛନ୍ତି? ନିର୍ବାଚନରେ ଟଙ୍କାର କ’ଣ ଭୂମିକା ରହିବ? ଏ ସବୁ ପ୍ରଶ୍ନର ଉତ୍ତର ଜାଣିବା ଉଦ୍ଦେଶ୍ୟରେ ‘ସମ୍ବାଦ’-‘କନକ ନ୍ୟୁଜ୍‌’ ପକ୍ଷରୁ ଏକ ଜନମତ ସର୍ଭେ କରାଯାଇଥିଲା। ଗତ ଅକ୍ଟୋବର ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ହୋଇଥିବା ଏହି ସର୍ଭେରେ ବରପାଲି ବ୍ଲକ୍‌ ଓ ଏନ୍‌ଏସି, ବିଜେପୁର, ଗାଇସିଲଟ ବ୍ଲକ୍‌ର ୨୦୪ଟି ବୁଥ୍‌ର ପାଖାପାଖି ଦୁଇହଜାର ମତଦାତାଙ୍କ ଠାରୁ ଘରକୁ ଘର ବୁଲି ମତ ସଂଗ୍ରହ କରାଯାଇଥିଲା। ସର୍ଭେରୁ ମିଳିଥିବା ତଥ୍ୟ ଆଧାରରେ ‘ସମ୍ବାଦ’ର ଏ ବିଶେଷ ରିପୋର୍ଟ।

ମତଦାନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଥିବା ବିଜେପୁର ଉପ-ନିର୍ବାଚନରେ ସ୍ଥାନୀୟ ଅଞ୍ଚଳର ବିକାଶ ମୁଖ୍ୟ ପ୍ରସଙ୍ଗ ହେବ। ‘ସମ୍ବାଦ’-‘କନକ ନ୍ୟୁଜ୍‌’ ପକ୍ଷରୁ ହୋଇଥିବା ଜନମତ ସର୍ଭେରୁ ଏହା ଜଣାପଡ଼ିଛି। ସର୍ଭେରେ ଭାଗ ନେଇଥିବା ମତଦାତାଙ୍କ ମଧ୍ୟରୁ ଅଧାରୁ ଅଧିକ ନିର୍ବାଚନର ପ୍ରସଙ୍ଗ ଭାବେ ସ୍ଥାନୀୟ ଅଞ୍ଚଳର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ମତଦାତାଙ୍କ ମଧ୍ୟରୁ ୫୬ ପ୍ରତିଶତଙ୍କ ବିଚାରରେ ନିର୍ବାଚନ ମଣ୍ଡଳୀର ବିକାଶ ଉପରେ ପ୍ରତିଦ୍ୱନ୍ଦ୍ୱୀ ଓ ଦଳମାନଙ୍କ ଆଭିମୁଖ୍ୟ ଓ ପ୍ରଦର୍ଶନ ଭୋଟରଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ। ଏହି ସାଧାରଣ ମତଦାତାଙ୍କ ବିଚାରରେ ମୁଖ୍ୟତଃ ଗ୍ରାମାଞ୍ଚଳ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପ-ନିର୍ବାଚନରେ ଚାଷ ଓ ଚାଷୀଙ୍କ ସମସ୍ୟା ଦ୍ୱିତୀୟ ମୁଖ୍ୟ ପ୍ରସଙ୍ଗ ହେବ।

ଅଞ୍ଚଳର ବିକାଶ ୫୬ ପ୍ରତିଶତ ଭୋଟରଙ୍କ ବିଚାରରେ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ୨୩ ପ୍ରତିଶତ ଚାଷ ଓ ଚାଷୀଙ୍କ ସମସ୍ୟାକୁ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ଭାବେ ଦେଖନ୍ତି।

ତିନି ଚତୁର୍ଥାଂଶରୁ ଅଧିକ (୭୯ ପ୍ରତିଶତ) ମତଦାତା ଅଞ୍ଚଳର ବିକାଶ କିଂବା କୃଷି ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ ଭାବେ ସର୍ବାଧିକ ପ୍ରାଥମିକତା ଦେବା ଆଗାମୀ ଭୋଟ ଲଢ଼େଇ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ଦେଉଛି। ସଂକେତ ହେଲା, ହ୍ୟାଟ୍ରିକ୍‌ ବିଧାୟକଙ୍କ ଅକାଳ ବିୟୋଗ ଫଳରେ ନିର୍ବାଚନ ହେଉଥିବାରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀଙ୍କ ପ୍ରତି ‘ଅନୁକମ୍ପା’ର ଭୋଟ ଉପରେ ଏକ ନିର୍ଣ୍ଣାୟକ ପ୍ରଭାବ ରହିବ ବୋଲି ପର୍ଯ୍ୟବେକ୍ଷକ ମହଲରେ ଯେଉଁ ମତ ପ୍ରକାଶ ପାଇଥିଲା, ସେଥିରେ ସଂଖ୍ୟାଗରିଷ୍ଠ ଭୋଟର ଏକମତ ନୁହନ୍ତି। ସର୍ଭେ ଅନୁଯାୟୀ, ମାତ୍ର ୪ ପ୍ରତିଶତ ଭୋଟରଙ୍କ ମନରେ ‘ଅନୁକମ୍ପା’ ମୁଖ୍ୟ ପ୍ରସଙ୍ଗ। ସେହି ଭଳି ପ୍ରାର୍ଥୀଙ୍କ ଭାବମୂର୍ତ୍ତି ମଧ୍ୟ ବିକାଶ ଓ ଚାଷୀଙ୍କ ସମସ୍ୟା ତୁଳନାରେ ଗୌଣ ପ୍ରସଙ୍ଗ। ମାତ୍ର ୫ ପ୍ରତିଶତ ମତଦାତାଙ୍କ ବିଚାରରେ ପ୍ରାର୍ଥୀଙ୍କ ଭାବମୂର୍ତ୍ତି ମୁଖ୍ୟ ପ୍ରସଙ୍ଗ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦର୍ଶନ, ଦରଦାମ ବୃଦ୍ଧି, ବେକାରି ଆଦିକୁ ଖୁବ୍‌ କମ୍‌ ଭାଗ ଭୋଟର ମୁଖ୍ୟ ପ୍ରସଙ୍ଗ ଭାବେ ବିଚାର କରନ୍ତି।

ଅବଶ୍ୟ, ଏଠାରେ ଏହା ଉଲ୍ଲେଖ କରିବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ, ଜନମତ ସର୍ଭେରୁ ‘ଅନୁକମ୍ପା’ର ବିଶେଷ ପ୍ରଭାବଶାଳୀ ଭୂମିକା ରହିବ ନାହିଁ ବୋଲି ସଂକେତ ମିଳୁଛି। ଅଥଚ ବିଜେପୁର ନିର୍ବାଚନୀ ଇତିହାସରେ ଏହାର ବିପରୀତ ପ୍ରାମାଣିକ ସ୍ୱାକ୍ଷର ରହିଛି। ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ତତ୍କାଳୀନ ବିଧାୟକ ନିକୁଞ୍ଜ ସିଂହଙ୍କ ଆକସ୍ମିକ ବିୟୋଗରେ ବିଜେପୁର ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ନିର୍ବାଚନରେ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ କିଶୋରୀ ମଣି ସିଂହ ନିର୍ବାଚିତ ହୋଇଥିଲେ, ଯାହା ସେ ନିର୍ବାଚନରେ ‘ଅନୁକମ୍ପା’ର ଏକ ନିର୍ଣ୍ଣାୟକ ଭୂମିକା ଥିବାର ପ୍ରମାଣ ଦିଏ। ଜନତା ଦଳ ପ୍ରାର୍ଥୀ କିଶୋରୀ ମଣି ସିଂହ, ଜନତା ଦଳ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମୋହନ ନାଗଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। କିଶୋରୀ ମଣି ସିଂହ ୪୪,୭୫୬ ଭୋଟ ପାଇଥିବା ବେଳେ ମୋହନ ନାଗଙ୍କ ଖାତାକୁ ୨୪,୨୬୪ ଖଣ୍ଡ ଭୋଟ ଯାଇଥିଲା। ଏହି ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ଘନଶ୍ୟାମ ସାହୁ ୮,୩୮୬ ଭୋଟ ପାଇଥିଲେ। ୧୯୯୧ ଉପ-ନିର୍ବାଚନରେ ଦୁଇଥର (୧୯୮୫ ଓ ୧୯୯୦) ନିର୍ବାଚିତ ବିଧାୟକ ସ୍ୱର୍ଗତ ନିକୁଞ୍ଜ ସିଂହଙ୍କ ପତ୍ନୀ କିଶୋରୀ ମଣି ସିଂହଙ୍କ ଭୂମିକାରେ ଏବେ ପ୍ରାୟ ଛବିଶ ବର୍ଷ ପରେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ। ରୀତାଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ସାରିଛି।

ରାଜନୈତିକ ଓ ପର୍ଯ୍ୟବେକ୍ଷକ ମହଲ ଉପ-ନିର୍ବାଚନରେ ଅନୁକମ୍ପା, ପ୍ରାର୍ଥୀଙ୍କ ଭାବମୂର୍ତ୍ତି, ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କ ସାଂଗଠନିକ ଶକ୍ତି ଓ ତୁଙ୍ଗ ନେତାଙ୍କ ଭାବମୂର୍ତ୍ତିର ପ୍ରଭାବ ଉପରେ ବିଶେଷ ଗୁରୁତ୍ୱ ଦେଇ ଅଙ୍କ କଷୁଛନ୍ତି। ଅଥଚ, ବିଜେପୁରର ସାଧାରଣ ମତଦାତା ବିକାଶ ଓ ନିର୍ବାଚନମଣ୍ଡଳୀର ଅଶୀ ଭାଗ ଲୋକଙ୍କ ଜୀବିକା କୃଷି ସଂକ୍ରାନ୍ତ ସମସ୍ୟା ନେଇ ଚିନ୍ତିତ। ସେଥିପାଇଁ ଏହି ପ୍ରସଙ୍ଗକୁ ଭୋଟ ଲଢ଼େଇର କେନ୍ଦ୍ରରେ ରଖିବାକୁ ଚାହାନ୍ତି। ଏହି ଦୁଇ ପ୍ରସଙ୍ଗ ସହ ଯୋଡ଼ି ହୋଇଛି ବିଜେପୁରବାସୀଙ୍କ ସାମୂହିକ ଆଶା ଓ ଆକାଂକ୍ଷା। ଏହା ପୂରଣ ସକାଶେ ଏହା ଠାରୁ ଆଉ ଭଲ ଅବସର କିଛି ହୋଇ ନପାରେ ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଚଳାଉଥିବା ବଡ଼ ବଡ଼ ନେତା ମାନେ ଭୋଟ ପାଇଁ ସେମାନଙ୍କ ଦୁଆର ମୁହଁରେ ଛିଡ଼ା ହେବେ। ବିଜେପୁରବାସୀଙ୍କ ଆଶା ଅତି ସରଳ- ରାସ୍ତାଘାଟର ଉନ୍ନତି, ପାନୀୟଜଳ ସୁବିଧା ଓ ଜଳସେଚନର ସଂପ୍ରସାରଣ। ଗାଇସିଲଟବାସୀ ଚାହାନ୍ତି ଅଙ୍ଗ ଉପରେ ପୂଜାରିପାଲି ଓ ସୁକ୍‌ତେଲ ଉପରେ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉ। ଜଳସେଚନର ବ୍ୟବସ୍ଥା ହେଲେ ଚାଷର ଉନ୍ନତି ହେବ ଏବଂ ଅଞ୍ଚଳରୁ ଦାଦନ ରୋକାଯାଇ ପାରିବ। ବିଜେପୁର ବ୍ଲକ୍‌ବାସୀ ଆଶା କରନ୍ତି ଦୁଇଟି ବିଶାଳ କଣ୍ଟା (ଜଳାଶୟ)ର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ ହେଉ। ବରପାଲିବାସୀ ଚାହାନ୍ତି କୁମ୍ଭାରୀ-ଆଗଲପୁର ରାସ୍ତା ନିର୍ମାଣ। ଗାଇସିଲଟବାସୀ ଚାହାନ୍ତି ପଡ଼ୋଶୀ ବଲାଙ୍ଗୀର ଜିଲ୍ଲା ସହ ସିଧାସଳଖ ସଂଯୋଗ। ଅଞ୍ଚଳର ବିକାଶ ପାଇଁ ବିଜେପୁର ମତଦାତାଙ୍କ ଆଶାର ତାଲିକା ଆହୁରି ଲମ୍ବା। ଉପ-ନିର୍ବାଚନ ଫଳାଫଳ ନିର୍ବିଶେଷରେ ସମୟ କହିବ ସେ ଆଶା କେତେ ପୂରଣ ହେବ!

ବୁଣାକାର ବହୁଳ ଏ ନିର୍ବାଚନ ମଣ୍ଡଳୀର ଜୀବନ ଜୀବିକା ସହ ଯୋଡ଼ି ହୋଇଛି ଆଉ ଏକ ପ୍ରସଙ୍ଗ। ବୁଣାକାର ଚାହାନ୍ତି ହାତବୁଣା ଲୁଗା ଉପରୁ ଜିଏସ୍‌ଟି ଛାଡ଼। ନିର୍ବାଚନମଣ୍ଡଳୀର ବୁଣାକାର ପରିବାରଙ୍କ ସଂଖ୍ୟା ଷୋହଳ ହଜାରରୁ ଅଧିକ।

ଦଳବଦଳ-ସୁବିଧାବାଦୀ

ସ୍ୱର୍ଗତ କଂଗ୍ରେସ ବିଧାୟକଙ୍କ ବିଧବା ପତ୍ନୀ ରୀତା ସାହୁ ବହୁସଂଖ୍ୟକ ସୁବଳ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ଶାସକ ଦଳର ଟିକଟ ଆଶାୟୀ ୨୦୦୦ରେ ବିଧାନସଭାକୁ ନିର୍ବାଚିତ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେଡି ପକ୍ଷରୁ ଶ୍ରୀମତୀ ସାହୁଙ୍କୁ ଦଳୀୟ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରାଯାଇ ସାରିଛି। ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ପାଣିଗ୍ରାହୀଙ୍କୁ ବିଜେପିର ପ୍ରାର୍ଥୀ କରାଯିବ ବୋଲି ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ତେବେ ବିଜେପୁର ଭୋଟର ଏ ଦଳ ବଦଳକୁ କେମିତି ଦେଖୁଛନ୍ତି? ‘ସମ୍ବାଦ’-‘କନକ ନ୍ୟୁଜ୍‌’ ଜନମତ ସର୍ଭେ ଅନୁଯାୟୀ, ୪୧ ପ୍ରତିଶତ ମତଦାତାଙ୍କ ନଜରରେ ଏହା ସୁବିଧାବାଦୀ। ଅନ୍ୟପକ୍ଷରେ ୨୩ ପ୍ରତିଶତଙ୍କ ମତରେ ‘ରାଜନୀତିରେ ଚଳେ’ ଏବଂ ୬ ପ୍ରତିଶତଙ୍କ ବିଚାରରେ ଏ ଦଳବଦଳ ରାଜନୈତିକ ବାଧ୍ୟବାଧକତା। ଅବଶ୍ୟ ୩୦ ପ୍ରତିଶତ ମତଦାତା ଏହା ଉପରେ କୌଣସି ମତ ରଖି ନାହାନ୍ତି। ନିର୍ବାଚନ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ୬୭ ପ୍ରତିଶତ ମତ ଦେଇଥିବା ବେଳେ ୨୫ ପ୍ରତିଶତଙ୍କ ମତରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ଟଙ୍କାର ପ୍ରଭାବ

ଭାରତୀୟ ରାଜନୀତିରେ, ବିଶେଷକରି ନିର୍ବାଚନରେ ଅର୍ଥବଳର ପ୍ରଭାବ ବୃଦ୍ଧି ନେଇ ଚର୍ଚ୍ଚା ପରିପ୍ରେକ୍ଷୀରେ ‘ସମ୍ବାଦ’-‘କନକ ନ୍ୟୁଜ୍‌’ ଜନମତ ସର୍ଭେରେ ବିଜେପୁର ଭୋଟରଙ୍କୁ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା। ଉପ-ନିର୍ବାଚନରେ ଟଙ୍କାର ପ୍ରଭାବ ପଡ଼ିବ କି? ଏହାର ଉତ୍ତରରେ ୬୬ ପ୍ରତିଶତ ମତଦାତା କହୁଛନ୍ତି ଯେ ଟଙ୍କାର ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ୨୪ ପ୍ରତିଶତ ଭୋଟରଙ୍କ ମତରେ ନିର୍ବାଚନ ଉପରେ ଟଙ୍କାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏ ସମ୍ପର୍କରେ ୧୦ ପ୍ରତିଶତ ମତଦାତାଙ୍କ କୌଣସି ମତ ନାହିଁ।