ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଜାରି କଲା ଇସ୍ତାହାର

କେନ୍ଦ୍ର ଅନୁଦାନର ବାଟମାରଣା ରୋକିବ ବିଜେପି
ପିସି ବନ୍ଦ, ଷ୍ଟ୍ରିଟଲାଇଟ୍, ବର୍ଜ୍ୟ ପରିଚାଳନାକୁ ଗୁରୁତ୍ବ ଦେବ
ମହିଳାଙ୍କ ଭଳି ପୁରୁଷ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରାଯିବ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବା‌ଚନ ପାଇଁ ଗୁରୁବାର ଦିନ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ ବିଜେପି ପଞ୍ଚାୟତ ଦଖଲ କଲେ ପଞ୍ଚାୟତ ସ୍ତରରେ କ’ଣ କ’ଣ କରିବ ସେନେଇ ଲମ୍ବା ପ୍ରତିଶ୍ରୁତି ଦେଇଛି।

ନିର୍ବାଚନୀ ଇସ୍ତାହାର ‘ଆମ ପ୍ରତିଶ୍ରୁତି ଆମ ସଂକଳ୍ପ’କୁ ଉନ୍ମୋଚନ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଗ୍ରାମାଞ୍ଚଳର ବିକାଶ ପାଇଁ ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ଦେଉଛନ୍ତି। ଡିଏମ୍‌ଏଫ୍‌ ଏବଂ ଓମବାଡସି ପାଣ୍ଠିରେ ବି ବ୍ୟାପକ ଅର୍ଥ ଆସୁଛି। କେନ୍ଦ୍ର ସରକାରଙ୍କ ଅନୁଦାନ ଯେପରି ବାଟମାରଣା ହେବନାହିଁ ସେଥିପାଇଁ ଜଗୁଆଳି ଭଳି କାର୍ଯ୍ୟ କରିବ।

ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ଜିତିଲେ ପଞ୍ଚାୟତ ଓ ବ୍ଲକରୁ ପିସି ରାଜ୍ ବନ୍ଦ ହେବ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାହାକୁ ଲାଞ୍ଚ ଦେବାକୁ ପଡ଼ିବନି, ଯୋଗ୍ୟ ହିତାଧିକାରୀଙ୍କୁ ଘର ଓ ପାଇଖାନା ମିଳିବ, ପ୍ରତି ଗାଁରେ ଗ୍ରାମ ସଭା/ପଲ୍ଲୀ ସଭା ଜରିଆ‌ରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବ, ପଞ୍ଚାୟତକୁ ଯାଉଥିବା ଅର୍ଥକୁ ସରପଞ୍ଚମାନେ ୱାର୍ଡମେମ୍ବରଙ୍କ ସହ ଆଲୋଚନା କରି ଖର୍ଚ୍ଚ କରିବେ, ପଞ୍ଚାୟତସ୍ତରରେ ସରପଞ୍ଚଙ୍କ ମାର୍ଫତରେ ଧାନ ମଣ୍ଡି ଖୋଲିବା ପାଇଁ ଏଫ୍‌ସିଆଇ ଜରିଆରେ ବ୍ୟବସ୍ଥା କରାଯିବ, କୋ-ଅପରେଟିଭ୍ ସୋସାଇଟି ଦ୍ବାରା ଚାଷୀଙ୍କୁ ୨ପ୍ରତିଶତ ସୁଧ ହାରରେ ଋଣ, ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ, ସବୁ ନାଳ ନର୍ଦ୍ଦମା‌ ସଫା କରିବା, ବ୍ୟାପକ ଡଷ୍ଟବିନ୍ ରଖିବା, ସବୁ ଗାଁରେ ଷ୍ଟ୍ରିଟ ଲାଇଟ୍‌ ଲଗାଇବା ସହ ବର୍ଜ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ବ ଦିଆଯିବ, ପ୍ରତି ଘରକୁ ପାଣି, ବିଜୁଳି ଓ ରନ୍ଧନ ଗ୍ୟାସ, ମନରେଗାରେ ହେଉଥିବା ହରିଲୁଟ୍‌କୁ ବନ୍ଦ, ପଞ୍ଚାୟତ ସ୍ତରରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ଉତ୍ପାଦିତ ସାମଗ୍ରୀ ବିକ୍ରି ବ୍ୟବସ୍ଥା କରାଯିବ। ସେହିପରି ମହିଳାମାନଙ୍କ ଭଳି ପୁରୁଷମାନଙ୍କୁ ନେଇ ପୁରୁଷ ସ୍ବୟଂ ସହାୟିକ ଗୋଷ୍ଠୀ ଗଠନ କରାଯିବ। ମହିଳାମାନଙ୍କୁ ଯେପରି ସୁବିଧା ସୁଯୋଗ ମିଳିବ ସେହିପରି ସୁବିଧା ପୁରୁଷଙ୍କୁ ମିଳିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାପତି ବଳଭଦ୍ର ମାଝୀ, ଅନିତା ଶୁଭଦର୍ଶିନୀ, ଇସ୍ତାହାର କମିଟି ସଦସ୍ୟ ରମାରଂଜନ ବଳିୟାର ସିଂହ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଶଙ୍କର ପରିଡ଼ା, ଦିଲ୍ଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ, ଓବିସି ମୋଚ୍ଚା ସଭାପତି ସୁରଥ ବିଶ୍ବାଳ, ମୁଖପାତ୍ର ଉର୍ମିଳା ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର