କେନ୍ଦ୍ର ସରକାରଙ୍କୁ ସୋନିଆଙ୍କ ସମାଲୋଚନା: ଗଣତନ୍ତ୍ର ଅତ୍ୟନ୍ତ ଦୁଃସମୟ ମଧ୍ୟରେ ଗତି କରୁଛି

ନୂଆଦିଲ୍ଲୀ: ରବିବାର ଦିନ ଦଳର ସାଧାରଣ ସଚିବ ଏବଂ ରାଜ୍ୟ ପ୍ରଭାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଲେ ଯେ, ଗଣତନ୍ତ୍ର ଅତ୍ୟନ୍ତ ଦୁଃସମୟ ମଧ୍ୟରେ ଗତି କରୁଛି।

କଂଗ୍ରେସ୍‌ ଟୁଇଟର୍‌ ହ୍ୟାଣ୍ଡେଲ୍‌ ଦ୍ବାରା ପୋଷ୍ଟ୍‌ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଦେଶ ଲାଗି ସଂଗ୍ରାମ ଜାରି ରଖିବା ତାଙ୍କ ଦଳର ଲକ୍ଷ୍ୟ। ଏଥିରେ ସେ ଆହୁରି ମଧ୍ୟ କହିଛନ୍ତି, ଲୋକମାନଙ୍କର ସେବା କରିବା ଆମର ମୂଳମନ୍ତ୍ର। ଆଜି ଗଣତନ୍ତ୍ର ଅତ୍ୟନ୍ତ ଦୁଃସମୟ ମଧ୍ୟରେ ଗତି କରୁଛି, ପୀଡ଼ିତ ପରିବାରର ପାଟି ଚୁପ୍‌ କରାଇ ଦିଆଯାଉଛି।

Image Courtesy of The Wire

ଜନତାଙ୍କ ସମସ୍ୟା ଲାଗି ସଂଗ୍ରାମ କରିବା ନିମନ୍ତେ ମଧ୍ୟ ସେ ଦଳର ନେତାମାନଙ୍କୁ ଉତ୍ସାହ ଦେଇଥିଲେ।

ଆଜି ଅପରାହ୍ଣ ୪ଟାରେ ବୈଠକ ବସିବ ବୋଲି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା ପୂର୍ବରୁ ଟୁଇଟ୍‌ କରିଥିଲେ। ବିହାର ନିର୍ବାଚନ ଏବଂ ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ସମେତ କେତେକ ରାଜ୍ୟରେ ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନ ହେବାକୁ ଥିବାରୁ ଏହି ବୈଠକର ଖୁବ୍ ତାତ୍ପର୍ଯ୍ୟ ରହିଛି।

କୃଷି ବିଲ୍ ପାରିତ ହେବା, ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା, ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ପରିସ୍ଥିତି, ଦେଶ‌ର ଆର୍ଥିକ ସ୍ଥିତି ଓ ତାହାର ପରିଚାଳନା ଆଦି ପ୍ରସଙ୍ଗ ଉଠାଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରୁଛି।

ସମ୍ବନ୍ଧିତ ଖବର