କୌଣସି ପ୍ରଭାବ ପଡ଼ିବନି: ବିଜେପି

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦଳ ଛାଡିଲେ ଦିଲୀପ, ବିଜୟ ମହାପାତ୍ର ଗୋଷ୍ଠୀବାଦ ରାଜନୀତି କରନ୍ତି

ଭୁବନେଶ୍ବର : ବିଜୟ ମହାପାତ୍ରଙ୍କୁ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ଦଳକୁ ନିଜର ଭାବିଲେ ନାହିଁ । ଘର ପୁଅ ଘର ଭିତରେ ରହି ଘର ବିରୋଧରେ ବକ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳ ଛାଡିବା ପ୍ରସଙ୍ଗରେ ଦଳର ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଥିଲେ, ଅନ୍ୟ ସହିତ ମିଳିମିଶି କାମ କରିବା ବିଜୟ ମହାପାତ୍ରଙ୍କ ଡିଏନଏରେ ନାହିଁ। ଦଳକୁ ଗୋଷ୍ଠୀରେ ବିଭକ୍ତ କରିବା ପାଇଁ ଶତ ଚେଷ୍ଟା ବିଫଳ ହେବା ପରେ ବିଜୟ ବାବୁ ଦୀର୍ଘ ଦିନରୁ ଦଳୀୟ କାର୍ଯ୍ୟରୁ ନିଜକୁ ଦୂ‌ରେଇ ରଖୁଥିଲେ। ଦୀର୍ଘ ବର୍ଷ ବର୍ଷ ଧରି ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳୀୟ ରାଜ୍ୟ କାର୍ଯ୍ୟାଳୟ ବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ। ଏପରିକି ନା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନା ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଭୟ ଆସୁଥିଲେ। ଦଳର ସଫଳତା ବା ବିଫଳତା ସହିତ ଉଭୟ ନେତାଙ୍କର କୌଣସି ସମ୍ପର୍କ ନଥିଲା, ଏକଥା ସେମାନଙ୍କ ଆଚରଣରୁ ଜଣାପଡୁଥିଲାା ସେ ଦଳରେ ରହିଲେ ବା ଦଳ ଛାଡିଲେ ଦଳ ଉପରେ ଏହାର କୌଣସି ବି ପ୍ରଭାବ ପଡିବ ନାହିଁ ବୋଲି କହିବା ସହ ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର କେବେ ବିଜେପିରେ ଥିଲେ ବୋଲି ଶ୍ରୀ ମହାନ୍ତି କଟାକ୍ଷ କରିଥିଲେ।

ଶ୍ରୀ ମହାନ୍ତି କହିଥିଲେ, କୋଲ ବ୍ଲକ ଆବଣ୍ଟନ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଦିଲ୍ଲୀପ ରାୟ ସିବିଆଇ ତଦନ୍ତର ସାମନା କରୁଛନ୍ତି। ମୋଦିଙ୍କ ନୀତି ‘‘ନା ଖାଉଙ୍ଗା ନା ଖାନେ ଦୁଙ୍ଗା’’ ନୀତି କାରଣରୁ ଯଦି ଦିଲ୍ଲୀପ ରାୟଙ୍କ କ୍ରୋଧ ସିବିଆଇ ଉପରେ ଏବଂ ତାଙ୍କ ବିରୋଧରେ କାହିଁକି ମାମଲା ରୁଜୁ କଲା, ତାହେଲେ ବିଜେପି ଏହି ମାମଲାରେ ନାଚାର। ଦିଲୀପ ରାୟ ରାଉରକେଲାବାସୀଙ୍କ ସ୍ବାର୍ଥକୁ ନେଇ ମିଛ ନାଟକ କରୁଛନ୍ତି। ଗତ ୟୁପିଏ ସରକାର ଶାସନ କାଳରେ ବୀରମିତ୍ରପୁର- ବ୍ରାହ୍ଣଣୀ-ରାଜାମୁଣ୍ଡା- ବାରକୋଟ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଦୁଇ ଥର ଉଦ୍ୟମ ବିଫଳ ହୋଇଥିଲ। ମାତ୍ର ମୋଦି ସରକାର ଏହି ପ୍ରକଳ୍ପ ବ୍ୟବସ୍ଥା କରିବା ସହ ବ୍ରାହ୍ମଣୀ ଦ୍ୱିତୀୟ ପୋଲକୁ ଚାରି ଲେନ୍‌ରୁ ଛଅ ଲେନ୍‌ କରିବାର କାର୍ଯ୍ୟ ଆରମ୍ଭ ହୋଇସାରିଛି। ମାତ୍ର ରାଜ୍ୟ ସରକାର ଜମି, ଜଙ୍ଗଲ ନିୟମ, ଗଛ କଟା ଅନୁମତି ଆଳରେ ଏହି ପ୍ରକଳ୍ପକୁ ନକରାଇ ଦେବାର ଷଡଯନ୍ତ୍ର କରୁଛନ୍ତି। ହେଲେ ଦିଲୀପ ସବୁ ଜାଣି ସୁଦ୍ଧା କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କୋଏଲ ନଦୀରେ ବ୍ୟାରେଜ ଓ ସେତୁ କରାଯାଇ ଇସ୍ପାତ ନଗରୀର ଜଳ କଷ୍ଟ ଦୂର କରିବାକୁ ଗତ ତା.୯.୭.୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏପର୍ଯ୍ୟନ୍ତ ଇଟା ଖଣ୍ଡେ ବି ପଡି ପାରିଲା ନାହିଁ। ରାଉରକେଲାବାସୀ ଖରା ଦିନେ ଉତ୍କଟ ଜଳ କଷ୍ଟରେ ରହୁଛନ୍ତି। ଏହି ପ୍ରସଙ୍ଗକୁ ଦିଲ୍ଲୀପ ବିଧାନସଭାରେ ବା ଗଣମାଧ୍ୟମ ଆଗରେ ଥରଟିଏ ବି ନ ଉଠାଇବା ପଛର କାରଣ କଣ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର