ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ତଦନ୍ତ କମିସନଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ

୩୨୪ ପୃଷ୍ଠାର ରିପୋର୍ଟ; ଚାବି ହଜିବା ପଛରେ ଅନେକ କାରଣ, ନିୟମ ପାଳନ ନହେବାରୁ ଏଭଳି ସ୍ଥିତି

କଟକ : ଶ୍ରୀମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗର ତଦନ୍ତ କରି ଜଷ୍ଟିସ ରଘୁବୀର ଦାଶ କମିସନ୍ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଛନ୍ତି। କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ଭୁବନେଶ୍ବରଠାରେ ଗୃହ ବିଭାଗ ଅନୁସଚିବ ପି.କେ.ଦେଙ୍କୁ ବନ୍ଦ ଲଫାପାରେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ୭ ତାରିଖରେ ଶେଷ ହେଉଥିବାବେଳେ ସପ୍ତାହକ ପୂର୍ବରୁ କମିସନ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି।

୩୨୪ ପୃଷ୍ଠାର ଏହି ରିପୋର୍ଟରେ କମିସନ୍ ରତ୍ନଭଣ୍ଡାର ଚାବି ହଜିବା ଘଟଣା ପଛରେ ରହିଥିବା ତଥ୍ୟ ସଂପର୍କରେ ଉଲ୍ଲେଖ କରିଛନ୍ତି। ତଦନ୍ତ ସମୟରେ ରତ୍ନଭଣ୍ତାର ଚାବି ହଜିବାର ପୂର୍ବବର୍ତ୍ତୀ ଘଟଣା ସମୂହ ଓ ପରିସ୍ଥିତି ସଂପର୍କରେ ‌େକତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଥିବା କୁହାଯାଉଛି। ରତ୍ନଭଣ୍ଡାର ଚାବି ପାଇଁ କେଉଁମାନେ ଉତ୍ତରଦାୟୀ ଓ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଚାବି କେଉଁଠି ରହିବା କଥା ସେ ସଂପର୍କରେ ମଧ୍ୟ ତଥ୍ୟ ରହିଛି। ଏଥିସହିତ ଏପରି ଚାବି ହଜିବା ଘଟଣା ପଛରେ ପ୍ରତ୍ୟକ୍ଷରେ ଓ ପରୋକ୍ଷରେ କେଉଁ ବ୍ୟକ୍ତିବିଶେଷଙ୍କ ଭୂମିକା ରହିଛି ସେ ସଂପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନିୟମିତ ବ୍ୟବଧାନରେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବା ନିୟମ ରହିଥିଲେ ମଧ୍ୟ ବହୁ ବର୍ଷ ଧରି ଏପରି କରାଯାଇ ନଥିଲା। ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଘଟଣା ତଦନ୍ତ ସମୟରେ ସମ୍ମୁଖକୁ ଆସିଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଓ ଏ ସଂପର୍କିତ ନିୟମ ପାଳନ ରତ୍ନଭଣ୍ଡାର ଚାବି ପ୍ରସଂଗରେ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରତ୍ନଭଣ୍ତାର ଚାବି ହଜିବା ପ୍ରସ˚ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ଅଧୢକ୍ଷ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ୩ ମାସ ଭିତରେ କମିସନ୍‌ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ସେପ୍ଟେମ୍ବର ୭ରେ ତିନି ମାସ କାର୍ଯ୍ୟକାଳ ସରିବାକୁ ଥିବାବେଳେ ସରକାର କମିସନଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରିଥିଲେ।

କମିସନଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର, ନୀତି ପ୍ରଶାସକ ପ୍ରଦୀପ ଦାସ, ପୂର୍ବତନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ବର୍ତ୍ତମାନର ଜିଲ୍ଲାପାଳ ଜେ.ପି.ଦାସ, ଆଇନ ସଚିବ ଶଶୀକାନ୍ତ ମିଶ୍ର, ପୁରୀର ସମାଜସେବୀ ରାଜକୁମାର ମହାନ୍ତି, ଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ, ପୁରୀ ଜିଲ୍ଲା ଟ୍ରେଜେରି ଅଫିସର ପ୍ରମୁଖ ୧୦ଟି ସତ୍ୟପାଠ ଦାଖଲ କରିଥିଲେ। ଶ୍ରୀମନ୍ଦିରର ଦୁଇ ପୂର୍ବତନ ପ୍ରଶାସକ କାଳୀ କୁମାର ରଥ ଓ ରବୀନ୍ଦ୍ର ନାରାୟଣ ମିଶ୍ର କମିସନଙ୍କ ନିକଟରେ ବୟାନ ରଖିଥିଲେ। ଏହି ଦୁଇ ପୂର୍ବତନ ପ୍ରଶାସକଙ୍କ ସମୟରେ ରତ୍ନଭଣ୍ଡାର ଖୋଲାଯାଇଥିବାବେଳେ ଏଥିପାଇଁ ଚାବି ‌କିଏ ଦେଇଥିଲେ ଓ ଭଣ୍ଡାର ବନ୍ଦ୍ କରାଯିବା ପରେ ଚାବି କାହାକୁ ହସ୍ତାନ୍ତର କରାଯାଇଥିଲା ସେ ସଂପର୍କରେ ସାକ୍ଷ୍ୟ ଗ୍ରହଣ ସମୟରେ ତଥ୍ୟ ସମ୍ମୁଖକୁ ଆସିିଥିଲା। କମିସନଙ୍କ ମୁଖ୍ୟ କାର୍ଯ୍ୟାଳୟ କଟକ ସର୍କିଟ୍ ହାଉସ କରାଯାଇଥିବା ବେଳେ ପୁରୀରେ ଜୁଲାଇ ୩୦ ତାରିଖ ଦିନ କମିସନଙ୍କ ପ୍ରଥମ ବୈଠକ ବସିଥିଲା। ତଦନ୍ତ ପ୍ରକ୍ରିୟା ମଧ୍ୟରେ କମିସନଙ୍କ ୧୨ଟି ବୈଠକ ବସିଥିଲା। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅଯୋଧ୍ୟା ରଂଜନ ଦାଶ ଅକ୍ଟୋବର ୧୫ ତାରିଖ ଦିନ କମିସନଙ୍କ ନିକଟରେ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ପରବର୍ତ୍ତୀ ସମୟ‌େର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଆଇନଜୀବୀ ରାମ ପ୍ରସାଦ ଦାସ ଲିଖିତ ଯୁକ୍ତି ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର