ମୁଁ ହେମା ମାଳିନୀ ହେବାକୁ ଚାହେଁନା: ‘ବିଜେପି’ ଅଫର୍‌ କଥା ଶୁଣି କହିଲେ ‘ଆର୍‌ଏଲ୍‌ଡି’ ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ: ସେ ହେମା ମାଳିନୀ ହେବାକୁ ଚାହାଁନ୍ତି ‌ନାହି ବୋଲି ‘ରାଷ୍ଟ୍ରୀୟ ଲୋକ ଦଳ’ (ଆର୍‌ଏଲ୍‌ଡି) ମୁଖ୍ୟ ଜୟନ୍ତ ଚୌଧୁରୀ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତାଙ୍କ ଦଳର ଜଣେ ସହଯୋଗୀଙ୍କୁ ‘ବିଜେପି’ରେ ଯୋଗ ଦେବାକୁ କହିଥିବା ଏବଂ ତାଙ୍କ (ଜୟନ୍ତ) ବିଷୟରେ ମଧ୍ୟ ସେଭଳି ଆଲୋଚନା ଚାଲିଥିବା କଥା କହୁଥିବା ବେଳେ ଚୌଧୁରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ଗୈରିକ ଦଳରେ ଯୋଗ ଦେବା ଲାଗି ଅମିତ ଶାହ ତାଙ୍କ ଦଳର ଜଣେ ସହକର୍ମୀଙ୍କୁ ଡାକି ତାଙ୍କୁ ହେମା ମାଳିନୀ (ଲୋକସଭା ସାଂସଦ) କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚୌଧୁରୀ କହିଛନ୍ତି, ଅମିତ ଶାହ ଯୋଗେଶଙ୍କୁ ଫୋନ୍‌ କରି କହିଲେ, ଚାଲିଆ ଯୋଗେଶ, ମୁଁ ତ‌େତେ ମୋ ହେମା ମାଳିନୀ କରିଦେବି।

Image Courtesy of Lokmat

ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ଚୌଧୁରୀ ଲଖିମ୍‌ପୁର ଖେରି ପ୍ରସଙ୍ଗରେ ଗୈରିକ ଦଳକୁ ବିଦ୍ରୂପ କରି କହିଛନ୍ତି, ମୁଁ ହେମା ମାଳିନୀ ହେବାକୁ ଚାହେଁନି, ମତେ ସନ୍ତୁଷ୍ଟ କରି ଆପଣ କ’ଣ ପାଇବେ? ୭ଜଣ କୃଷକଙ୍କ ପରିବାର ପାଇଁ ସେମାନେ କ’ଣ କରିପକାଇଛନ୍ତି? ତେନି ଏ ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଅଛନ୍ତି କାହିଁକି?

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜୟନ୍ତ ଚୌଧୁରୀ ‘ବିଜେପି’ ଅଫର୍‌ ପ୍ରତ୍ୟାଖ୍ୟାନ କରିଥିଲେ। ଜାଟ୍‌ ନେତୃବୃନ୍ଦଙ୍କୁ ଭେଟିବା ବେଳେ ଅମିତ ଶାହ କହିଥିଲେ, ଜୟନ୍ତ ଚୌଧୁରୀ ଭୁଲ୍‌ କରୁଛନ୍ତି। ତାଙ୍କ ପାଇଁ ‘ବିଜେପି’ର ଦ୍ବାର ଉନ୍ମୁକ୍ତ ଥିବା କଥା ମଧ୍ୟ ସେ ଇସାରା ଦେଇଥିଲେ।

ଏଥିରେ ପ୍ରତିକ୍ରିୟା ବ୍ୟକ୍ତ କରି ଚୌଧୁରୀ କହିଥିଲେ, ଅମିତ ଶାହ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ତେଣୁ, ସେ କଦାପି ଗୈରିକ ଦଳରେ ଯୋଗ ଦେବେନାହିଁ।

ସମ୍ବନ୍ଧିତ ଖବର