ପଶ୍ଚିମବଙ୍ଗରେ ଦିଦି, ତାମିଲନାଡୁରେ ଡିଏମ୍‌କେ, କେରଳରେ ବାମ ମେଣ୍ଟ, ଆସାମରେ ବିଜେପି

ଟାଇମ୍ସ ନାଓ-ସି ଭୋଟର ଜନମତ ସର୍ଭେ

ନୂଆଦିଲ୍ଲୀ: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନୀ ବାତାବରଣ ସରଗରମ ରହିଛି। ଚଳିତମାସ ୨୨ ତାରିଖରୁ ଏପ୍ରିଲ୍‌ ୨୯ ତାରିଖ ପର୍ଯ୍ୟନ୍ତ ଏସବୁ ରାଜ୍ୟ ଗୁଡ଼ିକରେ ମତଦାନ ହେବ। ଭୋଟ୍‌ ଗ୍ରହଣ ତାରିଖର ଯଥେଷ୍ଟ ପୂର୍ବରୁ ଆଜି ଟାଇମ୍ସ ନାଓ-ସି ଭୋଟର ପକ୍ଷରୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତ୍ରୁଣମୂଳ କଂଗ୍ରେସକୁ  ବିଜେପି କଡ଼ା ଟକ୍କର ଦେବ କିନ୍ତୁ ଶାସନ କ୍ଷମତାକୁ ଆସିପାରିବ ନାହିଁ। ପଶ୍ଚିମବଙ୍ଗର ମୋଟ ୨୯୪ ଆସନରୁ ତ୍ରୁଣମୂଳ କଂଗ୍ରେସ ୧୫୪ଟି ଆସନ ଜିତି ଶାସନ କ୍ଷମତାରେ ପୁଣି ରହିବ। ବିଜେପି ପୂର୍ବାପେକ୍ଷା ଯଥେଷ୍ଟ ଆଗ୍ରଗତି ହାସଲ କରିବ ଏବଂ ୧୦୭ଟି ଆସନରେ ଜିତିବ। ଅନ୍ୟପକ୍ଷରେ କଂଗ୍ରେସ-ଆଇଏସ୍‌ଏଫ୍‌ ମେଣ୍ଟକୁ ୩୩ଟି ଆସନ ମିଳିବ।

ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁର ୨୩୪ଟି ଆସନ ମଧ୍ୟରୁ ଡିଏମ୍‌କେ କଂଗ୍ରେସ ମେଣ୍ଟ ୧୫୮ ଆସନରେ ଜିତି ସରକାର ଗଠନ କରିବ ବୋଲି କୁହାଯାଇଛି। ଏଆଇଏଡିଏମ୍‌କେ-ବିଜେପି ମେଣ୍ଟକୁ ଏଥର ଚଳିତ ନିର୍ବାଚନରେ ୬୫ଟି ଆସନ ମିଳିବ। କେରଳରେ ଏଲ୍‌ଡିଏଫ୍‌ ମେଣ୍ଟ ସରକାର ବଜାୟ ରହିବ। ୧୪୦ଟି ଆସନ ବିଶିଷ୍ଟ ଏହି ରାଜ୍ୟରେ ଏଲ୍‌ଡିଏଫ୍‌କୁ ୮୨ଟି ଏବଂ ୟୁଡିଏଫ୍‌କୁ ୫୬ଟି ଆସନ ମିଳିବ। ବିଜେପି ଏଠାରେ ଗୋଟାଏ ଆସନରେ ବିଜୟୀ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଆସାମରେ ବିଜେପି ସରକାର ବଜାୟ ରହିବ। ସେଠାରେ ୧୨୬ଟି ଆସନ ମଧ୍ୟରୁ ଏନ୍‌ଡିଏ ୬୭ଟି ଏବଂ ୟୁପିଏ ୫୭ଟି ଆସନରେ ବିଜୟୀ ହେବ। ପୁଡୁଚେରିର ୩୦ ଆସନ ମଧ୍ୟରୁ ବିଜେପି ୧୮ଟି ଏବଂ କଂଗ୍ରେସ ୨୧ଟି ଆସନରେ ବିଜୟ ହେବ ବୋଲି ଟାଇମ୍ଦ ନାଓ-ସି ଭୋଟର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର