ରାଜ୍ୟ ବିଜେପି ଜାରି କଲା ନୂତନ କାର୍ଯ୍ୟକାରିଣୀ ଓ ପଦାଧିକାରୀଙ୍କ ତାଲିକା

ଭୁବନେଶ୍ବର: ରାଜ୍ୟ ବିଜେପି ନୂତନ କାର୍ଯ୍ୟକାରିଣୀ ଓ ପଦାଧିକାରୀଙ୍କ ତାଲିକା ଜାରି କଲା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଅନୁମୋଦନ କ୍ରମେ ଏହି ସୂଚୀ ପ୍ରକାଶ ପାଇଛି। ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହେବା ପରେ ସାଂଗଠନିକସ୍ତରରେ ଅଦଳବଦଳ କରାଯାଇଛି। ଆପାତତଃ ସଭାପତି ସମୀର ମହାନ୍ତି ଏହି ଟିମ୍ ନେଇ ତାଙ୍କର କାର୍ଯ୍ୟ ଆଗକୁ ବଢ଼ାଇବେ।

ନୂତନ ଟିମରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସଂପାଦକ ଓ ୯ ଜଣ ସଂପାଦକ ରହିଛନ୍ତି। ସଂଗୀତା ସିଂହଦେଓ, ଅପରାଜିତା ଷଢ଼ଙ୍ଗୀ, ବଳଭଦ୍ର ମାଝି, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ, ଭୃଗୁ ବକ୍ସିପାତ୍ର, ଅନୀତା ପଟ୍ଟନାୟକ, ପ୍ରଭାତି ପରିଡ଼ା ପ୍ରମୁଖଙ୍କୁ ଉପସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି।

ସେହିଭଳି ପୂର୍ବତନ ବିଧାୟକ ରବି ନାୟକ, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ମାନସ ମହାନ୍ତିଙ୍କୁ ସାଧାରଣ ସଂପାଦକ ଭାବେ ଦାୟିତ୍ବ ମିଳିଥିବା ବେଳେ ସୁଦର୍ଶନ ଗୋୟଲ୍ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

ଏଥିସହ ୧୦ ଜଣଙ୍କୁ ରାଜ୍ୟ ବିଜେପିର ମୁଖପାତ୍ର ଦାୟିତ୍ୱ ମିଳିଛି। ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ ଓ ଠାକୁର ରଣଜିତ ଦାସଙ୍କୁ ଦଳର ମୁଖପାତ୍ର ନିଯୁକ୍ତ କରାଯାଇଛି।

ନୂତନ ରାଜ୍ୟ କାର୍ଯ୍ୟକାରିଣୀରେ  ୭୫ ଜଣ ସଦସ୍ୟ ଥିବା ବେଳେ ୩୦ ଜଣଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରିଛି। ଏଥିସହ ୨୯ ଜଣଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର