ବୈଜୟନ୍ତଙ୍କ ବିରୋଧରେ ଗର୍ଜିଲେ ସୂଚନା ଅଧିକାର କର୍ମୀ

ଭୁବନେଶ୍ବର : ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ନାମରେ ବାହାମାସ ଭୂତ କମ୍ପାନି ମାଧ୍ୟମରେ କଳା ଧନ କାରବାର ଅଭିଯୋଗର ତଦନ୍ତ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ଭୂପିନ୍ଦର ସିଂହ ପଟେଲ।

ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବାହାମାସ୍ ଭୂତ କମ୍ପାନି ଜରିଆରେ ବୈଜୟନ୍ତ ଓ ତାଙ୍କ ପତ୍ନୀ କଳା ଧନ କାରବାର କରିଥିବା ଜଣାପଡ଼ିଛି। ଦୁଇ ବର୍ଷ ତଳେ ଏକ ଇଂରାଜି ଖବରକାଗଜ ବାହାମାସ୍‌ର ୧୩ ଲକ୍ଷ ଭୂତ କମ୍ପାନିର ନାଁ ପଦାକୁ ଆଣିଥିଲା। ଏହି ତାଲିକାକୁ ଅନୁସନ୍ଧାନ କାଳରେ ଫିନଲେ, ପିକିକା ଓ ମେସିନା ନାମକ ତିନିଟି କମ୍ପାନି ସହ ବୈଜୟନ୍ତ ଓ ତାଙ୍କ ପତ୍ନୀଙ୍କ ସମ୍ପର୍କ ଜଣାପଡ଼ିଥିଲା। ଏହି ତିନିଟି କମ୍ପାନି କେବଳ କାଗଜ କଲମରେ ଚାଲୁଥିଲା। ବାହାମାସ୍‌ରେ ସେହି କମ୍ପାନିର କେହି ମାଲିକ ନ ଥିଲେ। ବାହାମାସରେ ଏହି କମ୍ପାନିର ଏଜେଣ୍ଟ୍‌ ଥିଲା କର୍ପୋରେଟ୍‌ ସର୍ଭିସେସ୍ ଲିମିଟେଡ୍‌। ପଣ୍ଡା ପରବାରର ଜଣେ ଅନ୍ତରଙ୍ଗ ବ୍ୟବସାୟୀ ସହ‌େଯାଗୀ ଫିନ୍‌ଲେ କମ୍ପାନିର ଆଟର୍ଣ୍ଣି ହୋଲ୍‌ଡର୍‌ ଥିଲେ। ତାଙ୍କ ଜରିଆରେ ବାହାମାସ୍‌ରୁ କୋଟି କୋଟି ଟଙ୍କା ଆସୁଥିଲା। ଏହି ତିନିଟି ବାହାମାସ୍ କମ୍ପାନି ବୈଜୟନ୍ତଙ୍କ ପରିବାର ମାଲିକାନାରେ ଥିବା ଓର୍‌ଟେଲ୍‌, ମେଟ୍ରୋ ସ୍କାଏନେଟ୍‌, ଓଟିଭି ଏବଂ ଏମ୍‌ଏସ୍‌ ଟେଲିକମ୍‌ରେ ଟଙ୍କା ବିନିଯୋଗ କରୁଥିଲେ। କୋଟି କୋଟି ଟଙ୍କା ଋଣ ଦେଇ ସେୟାର କିଣୁଥିଲେ ଏବଂ ପରେ ସେହି ‌େସୟାରଗୁଡ଼ିକୁ ଅତି ଶସ୍ତାରେ ଫେରସ୍ତ କରୁଥିଲେ। ଏହି କାରବାର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦେଶର ସବୁ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଯାଇଛି। ତାହା ସତ୍ତ୍ବେ ତଦନ୍ତ କରାଯାଉ ନାହିଁ। ତଦନ୍ତ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ଶ୍ରୀ ପଟେଲ କହିଥିଲେ।

ସମ୍ବନ୍ଧିତ ଖବର