ବିଜେପିରୁ ଇସ୍ତଫା ଦେଲେ ଶଶି ସାହୁ

ଔପଦା/ଖଇରା : ପଦ୍ମ ଛାଡ଼ି ଶଂଖ ଧରିବେ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବନେତା ଶଶି କୁମାର ସାହୁ। ସେ ଆଜି ବିଜେପିରୁ ଇସ୍ତଫା ଦେଇଥିବା ବେଳେ ବିଜେଡିରେ ଯୋଗଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୦୧୪ରେ ଯେଉଁ ଦଳରୁ ଶ୍ରୀ ସାହୁ ବିଧାୟକ ପ୍ରାର୍ଥୀ ହୋଇଥିଲେ, ୨୦୧୯ ନିର୍ବାଚନର କେଇଟା ଦିନ ଆଗରୁ ସେଇ ଦଳ ଛାଡ଼ି ବିଜେଡିରେ ମିଶିବା ତାଙ୍କ ପ୍ରତି ଦଳର ଶୁଭଦୃଷ୍ଟିକୁ ସୂଚାଉଛି। ଆଲୋଚନା ଏଇୟା ହେଉଛି ଯେ ଶ୍ରୀ ସାହୁ ଏଥର ସିମୁଳିଆ ବିଧାନସଭା ଆସନ ପାଇଁ ବିଜେଡି ଟିକଟରୁ ଲଢ଼ିପାରନ୍ତି! ଖଇରା ନଟାପଡ଼ା ଛକସ୍ଥିତ ଏକ ହୋଟେଲ୍‌ରେ ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ସେ ଏଥିରେ ବିଜେପି ତଥା ଦଳୀୟ ସମସ୍ତ ପଦରୁ ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି। ସେହିପରି ନିର୍ବାଚନ ମଣ୍ଡଳୀ ଅଧୀନ ୫୯ଟି ପଞ୍ଚାୟତର ୪ ଜଣ ସରପଞ୍ଚ, ୬ ଜଣ ସମିତିସଭ୍ୟା, ୬ ଜଣ ନିର୍ବାଚନ ଲଢ଼ିଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୩୮ ଜଣ ୱାର୍ଡସଭ୍ୟ ତଥା ୭ଟି ମଣ୍ଡଳ କମିଟିର ନେତା, ଜିଲ୍ଲା ସମ୍ପାଦକ, ବିଭିନ୍ନ ଶାଖାର ସଭାପତି, ପଞ୍ଚାୟତ ପ୍ରମୁଖ, ବୁଥ୍‌ ସଭାପତି ମଧ୍ୟ ଶ୍ରୀ ସାହୁଙ୍କ ସହ ଦଳ ଛାଡ଼ିଛନ୍ତି। ଆସନ୍ତା ୧୩ ତାରିଖ ସେ ବିଜେଡି‌‌ରେ ମିଶିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୋନ୍‌ ସଭାପତି ଗଜେନ୍ଦ୍ର ଦାସ, ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ଧିନ୍ଦା, ଜିଲ୍ଲା କୃଷକ ମୋର୍ଚ୍ଚାର ସମ୍ପାଦକ ଶ୍ରୀଧର ତ୍ରିପାଠୀ, ଗରସଙ୍ଗ ପଞ୍ଚାୟତର ସମିତିସଭ୍ୟ ରାଜେନ୍ଦ୍ର ଜେନା, ମଣ୍ଡଳ ସଭାପତି ଦୀଲ୍ଲିପ ଗିରି, ସାମନ୍ତ ମହାପାତ୍ର, ତିଳୋତ୍ତମା ତ୍ରିପାଠୀ, ନନ୍ଦୋର ସରପଞ୍ଚ ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର