ବିଜେପିରେ ଯୋଗ ଦେଲେ ତୃଣମୂଳ କଂଗ୍ରେସ ସାଂସଦ ଶିଶିର ଅଧିକାରୀ

କୋଲ୍‌କାତା: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଥିବା ରିପୋର୍ଟକୁ ଆଜି ତୃଣମୂଳ କଂଗ୍ରେସ ସାଂସଦ ତଥା ଶୁଭେନ୍ଦୁଙ୍କ ବାପା ଶିଶିର ଅଧିକାରୀ ସୁନିଶ୍ଚିତ କରିଛନ୍ତି। ମିଦନାପୁରର ସମ୍ମାନ ରକ୍ଷା କରିବା ଲାଗି ଆଗାମୀ ବିଧାନସଭା ନିର୍ବାଚନରେ ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବିପକ୍ଷରେ ଜୋର୍‌ଦାର ସଂଗ୍ରାମ କରିବେ ବୋଲି କହିଛନ୍ତି।

ବିଜେପିରେ ଯୋଗ ଦେଉଛନ୍ତି ବୋଲି ଶୁଣାଯାଉଥିବା କଥାକୁ ନନ୍ଦୀଗ୍ରାମର ଅଧିକାରୀ ପରିବାରର ଶିଶିର ସ୍ୱୀକାର କରିଛନ୍ତି। ଏଗ୍ରାରେ ହେବାକୁ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଲିରେ ମଧ୍ୟ ସେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି।

Image Courtesy of NDTV

ଏଗ୍ରା ଯିବା ପୂର୍ବରୁ ଶିଶିର ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ତୃଣମୂଳ କଂଗ୍ରେସର ନେତାମାନେ ମୋତେ ବିଜେପିରେ ଯୋଗ ଦେବାକୁ ବାଧ୍ୟ କଲେ। ସେମାନେ ଯାହା କରିବାର କରନ୍ତୁ, ମୁଁ ଯାହା ପାରିବି କରିବି।

ଶାସକ ଦଳ ତାଙ୍କୁ ଏବଂ ତାଙ୍କ ପୁଅ ଶୁଭେନ୍ଦୁଙ୍କୁ ଅପମାନିତ କରୁଛି ବୋଲି ସେ କହିଛନ୍ତି। ସେ ଦୃଢ଼ୋକ୍ତିର ସହ କହିଛନ୍ତି ଯେ, ବିପୁଳସଂଖ୍ୟକ ଭୋଟ୍‌ ପାଇ ଶୁଭେନ୍ଦୁ ନନ୍ଦୀଗ୍ରାମ ଆସନରେ ବିଜୟୀ ହେବେ। ଶୁଭେନ୍ଦୁଙ୍କ ଭାଇ ସୌମେନ୍ଦୁ ମଧ୍ୟ ଗୈରିକ ଶିବିରରେ ଯୋଗ ଦେଉଛନ୍ତି। ତାଙ୍କର ଅନ୍ୟ ଜଣେ ଭାଇ ତଥା ତାମଲୁକର ତୃଣମୂଳ ସାଂସଦ ଦିବ୍ୟେନ୍ଦୁ ମଧ୍ୟ ଆଜି ବାପାଙ୍କ ସହ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର