ଆସନ୍ତା କାଲି ରାଜ୍ୟସଭାରେ ଉପସ୍ଥାପନ ହେବ ତିନି-ତଲାକ ବିଲ, ହ୍ଵିପ ଜାରି କଲେ ବିଜେପି ଓ କଂଗ୍ରେସ

ନୂଆଦିଲ୍ଲୀ : ଆସନ୍ତା କାଲି କେନ୍ଦ୍ର ସରକାର ରାଜ୍ୟସଭାରେ ତିନି ତଲାକ ବିଲ୍‌ (  ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍‌ ୨୦୧୮) ଆଗତ କରିବେ । ଏହାକୁ ଦୃଷ୍ଟିରେ ରଖି ବିଜେପି ହ୍ଵିପ ଜାରି କରି ନିଜ ଦଳର ସଦସ୍ୟମାନଙ୍କୁ ରାଜ୍ୟସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି । ସେହିପରି କଂଗ୍ରେସ ମଧ୍ୟ ହ୍ଵିପ ଜାରି କରି ନିଜ ସଦସ୍ୟମାନଙ୍କୁ ଉପସ୍ଥିତ ରହିବାକୁ  ନିର୍ଦ୍ଦେଶ ଦେଇଛି ।

ତେବେ ଏହାକୁ ପ୍ରବଳ ବିରୋଧ କରାଯିବ ଓ ପାଶ ହେବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ କହିଛି । ବିଲ୍‌ର ବର୍ତ୍ତମାନ ସ୍ୱରୂପରେ କେତେକ ତ୍ରୁଟି ରହିଛି ଓ ଏହାକୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ ଦାବି କରୁଛନ୍ତି । ଏହି ବିଲକୁ ଆଗତ ହେବାକୁ ଦିଆଯିବ ନାହିଁ ବୋଲି ଏଆଇସିସିଇ ମହାସଚିବ କେସି ଭେନୁଗୋପାଳ କହିଛନ୍ତି । ଗତ ଗୁରୁବାରଦିନ ଲୋକସଭାରେ ବହୁଚର୍ଚ୍ଚିତ ତିନି ତଲାକ ବିଲ୍‌ ପାଶ ହୋଇଥିଲା । ବିଲର ସପକ୍ଷରେ ୨୪୫ଟି ଭୋଟ ପଡିଥିବାବେଳେ ବିପକ୍ଷରେ ମାତ୍ର ୧୧ଟି ଭୋଟ ପଡିଥିଲା । ତେବେ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାନଯିବାରୁ କଂଗ୍ରେସ, ଏଆଇଡିଏମକେ, ଟିଏମସି ଓ ଆରଜେଡି ଭୋଟ ପୂର୍ବରୁ କକ୍ଷ ତ୍ୟାଗ କରିଥିଲେ ।  ଏହି ବିଲ ପାଇଁ ବିରୋଧୀ ଦଳମାନେ ଅନେକ ପ୍ରକାରର ସଂଶୋଧନ ପାଇଁ ଦାବି କରିଥିଲେ ମଧ୍ୟ ସରକାର ସେଥିଲାଗି ରାଜି ହୋଇନଥିଲେ । ଗତ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍‌ ୨୦୧୮କୁ ଲୋକସଭାରେ ଉପସ୍ଥାପନ କରିଥିଲେ ।

 

ସମ୍ବନ୍ଧିତ ଖବର