ଇତି ଉଣେଇଶର ଘଟଣା ସମୂହ

ବାଲାକୋଟରେ ଭାରତର ପ୍ରତିଶୋଧ
ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୨ ଦିନ ପରେ ଫେବ୍ରୁଆରି ୨୬ରେ ଭାରତ ଏହାର ପ୍ରତିଶୋଧ ନେଇଥିଲା। ଭାରତୀୟ ବାୟୁସେନାର ମିରାଜ ବିମାନ ପାକିସ୍ତାନରେ ପଶି ସେଠାରେ ଚାଲିଥିବା ବିଶାଳ ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକୁ ଛାରଖାର କରିଦେଇଥିଲା। ୧୯୭୧ ଯୁଦ୍ଧ ପରେ ଭାରତୀୟ ବାୟୁସେନା ପ୍ରଥମ ଥର ପାଇଁ ଏଭଳି ବିମାନ ଆକ୍ରମଣ କରିଥିଲା। ଭାରତୀୟ ବାୟୁସେନାର ୧୨ଟି ମିରାଜ୍-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦର ତିନିଟି ଶିବିରକୁ ଧ୍ବଂସ କରିଦେଇଥିଲା। ଏଥିରେ ପ୍ରାୟ ୩ ଶହ ଆତଙ୍କବାଦୀ ନିପାତ ହୋଇଥିଲେ। ୧୨ଟି ମିରାଜ-୨୦୦୦ ଯୁଦ୍ଧ ବିମାନ ଭୋର୍‌ ୩ଟା ୪୩ରୁ ୪ଟା ୪ ମଧ୍ୟରେ ମାତ୍ର ୨୧ ମିନିଟ୍‌ରେ ଅପରେସନ ଶେଷ କରି ସୁରକ୍ଷିତ ଫେରି ଆସିଥିଲା। ପାକିସ୍ତାନରେ ଏହାଥିଲା ଭାରତର ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌।

CNBC.com

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବା ଚଳିତବର୍ଷର ଅନ୍ୟତମ ବଡ଼ ଖବର ଥିଲା। ଟ୍ରମ୍ପ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପ୍ରତିନିଧି ସଭା (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌)ରେ ଗୃହୀତ ହୋଇଥିଲା। ଏହା ସହିତ ଆମେରିକା ଇତିହାସରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନାମ ଭୁଲ୍‌ କାରଣ ପାଇଁ ସବୁଦିନ ନିମନ୍ତେ ସାମିଲ ହୋଇଥିଲା। ଏ ପର୍ଯ୍ୟନ୍ତ ଆମେରିକା ଇତିହାସରେ ୩ ଜଣ ରାଷ୍ଟ୍ରପତି ମହାଭିଯୋଗ ପ୍ରକ୍ରିୟାର ସମ୍ମୁଖୀନ ହୋଇଥିଲେ। ଆମେରିକାର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଡେମୋକ୍ରାଟ ଦଳର ସଂଖ୍ୟା ଗରିଷ୍ଠତା ଯୋଗୁଁ ରାଷ୍ଟ୍ରପତିଙ୍କ ବିରୋଧରେ ଏହି ପ୍ରସ୍ତାବ ଗୃହୀତ ହେବା ସମ୍ଭବ ହୋଇଥିଲା। ପ୍ରସ୍ତାବ ସପକ୍ଷରେ ୨୩୦ ଭୋଟ୍‌ ପଡ଼ିଥିବା ବେଳେ ପ୍ରସ୍ତାବ ବିରୋଧରେ ୧୯୭ ଭୋଟ୍‌ ପଡ଼ିଥିଲା।

News18.com

ଭାରତର ଚନ୍ଦ୍ର ଅଭିଯାନ: ଚନ୍ଦ୍ରଯାନ-୨
୨୦୧୯ ଜୁଲାଇ ୨୨ରେ ସତୀଶ ଧାୱନ୍‌ ମହା‌କାଶ କେନ୍ଦ୍ରରୁ ଭାରତ ଚନ୍ଦ୍ରଯାନ-୨ ପ୍ରେରଣ କରି ଏକ ନୂଆ ଇତିହାସ ରଚିଥିଲା। ‘ଇସ୍ରୋ’ ପକ୍ଷରୁ ଦ୍ବିତୀୟ ଥର ପାଇଁ ଚନ୍ଦ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଅର୍ବିଟର, ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାକୁ ନେଇ ଗଠିତ ଚନ୍ଦ୍ରଯାନ-୨ ଭାରତୀୟ ମହାକାଶ ଗବେଷଣା ପାଇଁ ଏକ ବଡ଼ ଉପଲବ୍‌ଧି ଥିଲା। ସେପ୍‌ଟେମ୍ବର ୨ରେ ଲ୍ୟାଣ୍ଡର୍‌ ଅର୍ବିଟରଠାରୁ ଅଲଗା ହୋଇଥିଲା। ତେବେ ସେପ୍‌ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫ୍‌ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲା।

dnaindia.com

ଏନ୍‌ଡିଏର ଐତିହାସିକ ବିଜୟ
୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଐତିହାସିକ ଥିଲା। କ୍ରମାଗତ ଦ୍ବିତୀୟ ଥର ଅଣକଂଗ୍ରେସ ସରକାର ପୁଣି କ୍ଷମତାସୀନ ହୋଇଥିଲା। ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ଯେଭଳି ସଫଳତା ମିଳିଲା ତାହା କଳ୍ପନା ବାହାରେ ଥିଲା। ମୋଦୀ ହାୱା ଏମିତି ଚାଲିଲା ଯେ ବିଜେପିକୁ ୩୦୩ ଆସନ ମିଳିଥିଲା। ବିଜେପି ନେତୃତ୍ବାଧୀନ ଏନଡିଏକୁ ମିଳିଥିଲା ୩୫୩ ଆସନ। କଂ‌ଗ୍ରେସକୁ ୫୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୯୦ କୋଟି ମଧ୍ୟରୁ ୬୭% ମତଦାନ କରରିଥିଲେ ଏବଂ ଏହା ଥିଲା ଏକ ରେକର୍ଡ। ବିଜେପିକୁ ୩୭ ଭାଗ ଭୋଟ୍ ମିଳିଥିବା ବେଳେ ଏନଡିଏକୁ ମିଳିଥଥିଲା ୪୫ ଭାଗ ଭୋଟ୍। ୟୁପିଏକୁ ୯୧ ଏବଂ ଅନ୍ୟମାନଙ୍କୁ ମିଳିଥିଲା ୯୮ ଆସନ।

କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଡ୍ରାମା
୨୦୧୯ରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ବଡ଼ ଧରଣର ରାଜନୈତିକ ନାଟକ ଦେଖା ଦେଇଥିଲା। କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ସରକାରର ପତନ ଘଟାଇ ବିଜେପି କ୍ଷମତାକୁ ଫେରିଥିବା ବେଳେ ଶିବସେନା ମହାରାଷ୍ଟ୍ରରେ ଏନ୍‌ସିପି-କଂଗ୍ରେସ ସହିତ ମେଣ୍ଟ କରି ସରକାର ଗଠନ କଲା।

ବ୍ରିଟେନ୍‌ରେ ଜନସନ୍‌ ରାଜ୍‌
ବ୍ରିଟେନ୍‌ରେ ଡିସେମ୍ବର ୧୨ରେ ଆସିଥିବା ନିର୍ବାଚନ ଫଳାଫଳ ବେକ୍ସିଟ୍‌କୁ ନେଇ ଏକ ନୂଆ ରାଜନୈତିକ ଅଧ୍ୟାୟ ଆରମ୍ଭ କରିଛି। କଞ୍ଜର୍‌ଭେଟିଭ୍‌ ପାର୍ଟିକୁ ସଂଖ୍ୟାଗରିଷ୍ଠତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ପୁଣି କ୍ଷମତା ଦଖଲ କରିଛନ୍ତି। କଶ୍ମୀର ପ୍ରସଙ୍ଗରେ କଞ୍ଜର୍‌ଭେଟିଭ୍‌ ଦଳ ଭାରତକୁ ସମର୍ଥନ କରି ଫାଇଦାରେ ରହିଥିଲା।

ସମ୍ବନ୍ଧିତ ଖବର