କରୋନା ବିଭୀଷିକା : ୨୫୬ ଟ୍ରେନ୍‌ରେ ଫେରିଥିଲେ ୩,୫୮,୪୦୧ଜଣ

ଭୁବନେଶ୍ବର : କରୋନା ସମୟରେ ବାହାର ରାଜ୍ୟରେ ବହୁ ପ୍ରବାସୀ ଓଡ଼ିଆଙ୍କୁ ଖାଇବାକୁ ମିଳିଲାନି। ଶହ ଶହ ଲୋକ ଚାଲି ଚାଲି ଆସି ଘରେ ପହଞ୍ଚିଲେ। କିଏ ଟ୍ରକ୍‌ ଡାଲାରେ ଆସିଲା ତ କିଏ ସମୁଦ୍ରରେ ଡଙ୍ଗାରେ ଆସିଲା। କେମିତି ଘରେ ପହଞ୍ଚିବେ ସେ ଚିନ୍ତା ସମସ୍ତଙ୍କୁ ଘାରିଥିଲା। ଗୁଜୁରାଟ, ତାମିଲନାଡୁ ଭଳି ରାଜ୍ୟରୁ ଓଡ଼ିଆମାନେ ବସ୍‌ ଭଡ଼ା କରି ଆସିଲେ। ହେଲେ ସମସ୍ତଙ୍କ ପାଇଁ ବସ୍‌ରେ ଆସିବା ସମ୍ଭବ ନଥିବାରୁ ରାଜ୍ୟ ସରକାର ଟ୍ରେନ୍‌ ବ୍ୟବସ୍ଥା କରିଥିଲେ। ଜୁଲାଇ ୭ତାରିଖ ସୁଦ୍ଧା ୨୫୬ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ୩,୫୮,୪୦୧ଜଣ ଫେରିଥିଲେ।

ଏଥିରେ ଗୁଜୁରାଟକୁ କେବଳ ୧,୩୦,୫୩୭ଜଣ ଫେରିଥିବାବେଳେ ତେଲେଙ୍ଗାନାରୁ ୬୦,୦୫୩ଜଣ, ତାମିଲନାଡୁରୁ ୫୪,୯୬୮ଜଣ, କର୍ଣ୍ଣାଟକରୁ ୨୫,୩୩୯ଜଣ, କେରଳରୁ ୨୩,୭୧୬ଜଣ ଫେରିଥିଲେ। ବାକି ରାଜ୍ୟରୁ ୬୩,୭୮୮ଜଣ ଫେରିଛନ୍ତି।

ସ୍ବତନ୍ତ୍ର ବିମାନରେ ଫେରିଥିଲେ ୩୨୨୭
ଯେଉଁ ଅଞ୍ଚଳରୁ ଟ୍ରେନ୍‌ରେ ଲୋକ ଆସିବା ସମ୍ଭବ ନଥିଲା ସେଠାରୁ ରାଜ୍ୟ ସରକାର ସ୍ବତନ୍ତ୍ର ବିମାନରେ ଲୋକଙ୍କୁ ଆଣିଲେ। ଏଥିରେ ବିଶେଷ କରି ବିଦେଶରୁ ଲୋକମାନଙ୍କୁ ଅଣାଯାଇଥିଲା। ବିଭିନ୍ନ ଦେଶରେ ଥିବା ପ୍ରବାସୀ ଓଡ଼ିଆ ସଂଘ ମାଧ୍ୟମରେ ରାଜ୍ୟ ସରକାର ୩୨୨୭ଜଣଙ୍କୁ ଆଣିଲେ। ବନ୍ଦେ ଭାରତ ମିସନ୍‌ରେ ବି ଓଡ଼ିଆମାନେ ନିଜ ଘରକୁ ଫେରିଲେ। ଏଥିରେ ସବୁଠୁ ଅଧିକ ଲୋକ ୟୁଏଇରୁ ଫେରିଥିଲେ। ୟୁଏଇରୁ ୧୨୯୩ଜଣ ଫେରିଥିବାବେଳେ କୁଏତ୍‌ରୁ ୩୧୪ଜଣ, ସାଉଦି ଆରବରୁ ୨୭୫ଜଣ, ୟୁନାଇଟେଡ୍‌ ଷ୍ଟେଟ୍‌ସରୁ ୨୨୨ଜଣ, ଓମାନରୁ ୧୭୬ଜଣ, ଅନ୍ୟ ଦେଶରୁ ୯୪୭ଜଣ ଫେରିଥିଲେ। ଜୁଲାଇ ୭ ପର୍ଯ୍ୟନ୍ତ ସ୍ବତନ୍ତ୍ର ବିମାନରେ ପ୍ରବାସୀ ଓଡ଼ିଆମାନେ ସ୍ବତନ୍ତ୍ର ବିମାନରେ ଫେରିଥିବାବେଳେ ଏହାପରେ ବି ବହୁ ଓଡ଼ିଆ‌ ସେମାନଙ୍କ ଖର୍ଚ୍ଚରେ ବିଦେଶରୁ ଫେରିଥିଲେ।

Scroll.in

ପ୍ରବାସୀଙ୍କ ପାଇଁ ଖୋଲିଲା ୧୬ ହଜାର ୮୨୪ଟି ଟିଏମ୍‌ସି କେନ୍ଦ୍ର
ଭୁବନେଶ୍ବର : ଗତବର୍ଷ କରୋନା ମହାମାରୀ ସମୟରେ ୭ ଲକ୍ଷ ୬୦ ହଜାର ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିଥିଲେ। ସେମାନଙ୍କୁ ଏକାନ୍ତବାସରେ ରଖିବା ପାଇଁ ୧୬ ହଜାର ୮୨୪ଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ବା ଟିଏମ୍‌ସି ପ୍ରତିଷ୍ଠା ହୋଇଥିଲା। ସେଠାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରହଣି, ଖାଦ୍ୟ ପେୟ, ଶୋଇବା ପାଇଁ ଖଟିଆର ବ୍ୟବସ୍ଥା କରାଯାଇଥିଲା। ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ସେମାନଙ୍କ ପାଇଁ ଇନଭର୍ଟର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏତେ ସବୁ ପରେ ବି କେତେକ ଜିଲ୍ଲାରେ ଟିଏମ୍‌ସି କେନ୍ଦ୍ରରେ ଖାଦ୍ୟର ମାନ, ଗାଧୋଇବା ବାଲତି ଓ ମଗ୍‌ ନମିଳିବା ନେଇ ଅଭିଯୋଗ ଉଠିଥିଲା। କେତେକ ଟିଏମ୍‌ସି କେନ୍ଦ୍ରରୁ ରାତିଅଧିଆ ପ୍ରବାସୀମାନେ ମଧ୍ୟ ଚମ୍ପଟ ମାରିଥିଲେ। ଏଥିପାଇଁ ସରକାରଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା।

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା
ଭୁବନେଶ୍ବର : ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଫେରିଲେ ରାଜ୍ୟରେ ସଂକ୍ରମଣ ଆହୁରି ବଢ଼ିଯିବ। ସେମାନେ ପ୍ରଥମେ ୧୪ ଦିନ ପାଇଁ ଏକାନ୍ତବାସରେ ରଖିବା ପରେ ସେମାନଙ୍କ ଘରକୁ ଯିବେ। ଏହି ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରାଯିବ ସେଥିପାଇଁ ରାଜ୍ୟ ସରକାର ଗୋଟିଏ ସୁଚିନ୍ତିତ ଉପାୟ ବାହାର କଲେ। ପ୍ରବାସୀମାନଙ୍କୁ ଏକାନ୍ତବାସରେ ରଖି ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିବା କଷ୍ଟକର ବ୍ୟାପାର। କିନ୍ତୁ ରାଜ୍ୟ ସରକାର ଏହି ଆହ୍ବାନକୁ ମୁକାବିଲା କରିବା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ। ସରପଞ୍ଚମାନେ ସ୍ଥାନୀୟ ଜନପ୍ରତିନିଧି ହୋଇଥିବାରୁ ପ୍ରବାସୀଙ୍କୁ ସଚେତନ ଓ ବୁଝାଇବାରେ ସମର୍ଥ ହୋଇପାରିବେ। କରୋନା ଯୋଦ୍ଧା ଭାବେ ସେମାନଙ୍କୁ ସାମିଲ କରାଯିବା ସହିତ ମହାମାରୀରେ ପ୍ରାଣ ହରାଇଲେ ସେମାନଙ୍କ ପରିବାରରୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ସରକାର ଘୋଷଣା ବି କରିଥିଲେ। କରୋନା ଲଢ଼େଇରେ ସଂଗ୍ରାମ କରି କେତେକ ସରପଞ୍ଚ ବି ନିଜ ଜୀବନ ହରାଇଲେ।

ମୁକାବିଲା ପାଇଁ ନିୟୋଜିତ ହେଲେ ୩୩ ଲକ୍ଷ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ
ଭୁବନେଶ୍ବର : କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପାରାମେଡିକାଲ କର୍ମଚାରୀ, ପଞ୍ଚାୟତ ପ୍ରତିନଧିଙ୍କୁ ମିଶାଇ ପ୍ରାୟ ୩୩ ଲକ୍ଷ ୩୦ ହଜାର ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ। ଏଥିପାଇଁ ସେମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ ରୋଗୀଙ୍କ ଚିକିତ୍ସା କରିବା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଫଳରେ ମହାମାରୀ ପ୍ରତିହତ ପାଇଁ ସରକାର ଯୋଜନା ମୁତାବକ ଆଗେଇ ପାରିଥିଲେ।

ସମ୍ବନ୍ଧିତ ଖବର