ନିଆରା ଓ ବିସ୍ମୟକର! ୮୦ ବର୍ଷିଅ ବାପା ଓ ୬୫ ବର୍ଷୀୟା ମାଆ ଜନ୍ମ ଦେଲେ ସଂପୂର୍ଣ୍ଣ ସୁସ୍ଥ କନ୍ୟା ସନ୍ତାନ

ଶ୍ରୀନଗର: କଶ୍ମୀରର ଏକ ମୁସଲ୍‌ମାନ ଦମ୍ପତି ଏକ ସନ୍ତାନ ଜନ୍ମ ଦେଇ ଏବେ ଚର୍ଚ୍ଚା ପାଲଟିଛନ୍ତି। ଆପଣ ଭାବୁଥିବେ ନିଶ୍ଚୟ ଯେ, ସନ୍ତାନ ଜନ୍ମ ଦେବା କୌଣସି ବିସ୍ମୟ କଥା ନୁହେଁ ଯେତେବେଳ ଏ ଚର୍ଚ୍ଚା ପୁଣି କାହିଁକି? ଶୀର୍ଷକ ପଢ଼ି ଆପଣ ଅନୁମାନ ଲଗାଇ ସାରିବେଣି ନିଶ୍ଚୟ ଯେ ସନ୍ତାନ ଜନ୍ମ ଦେଇଥିବା ମାଆଙ୍କ ବୟସ ୬୫ ବର୍ଷ ହୋଇଥିବା ବେଳେ ବାପାଙ୍କ ବୟସ ୮୦ ବର୍ଷ। ଆଶ୍ଚର୍ଯ୍ୟର କଥା ହେଉଛି, ଜନ୍ମ ନେଇଥିବା ଶିଶୁଟି ସଂପୂର୍ଣ୍ଣ ସୁସ୍ଥ। ନିଜ ପିଲାର ମୁହଁ ଦେଖିବା ପରେ ୮୦ ବର୍ଷର ବୃଦ୍ଧ ବାପା ହକିମ ଦିନ୍‌ ଆଲ୍ଲାଙ୍କୁ ଏପରି ବହୁମୂଲ୍ୟ ଉପହାର ଦେଇଥିବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ବୃଦ୍ଧାଙ୍କ ପତ୍ନୀ ନିଜକୁ ବିଶ୍ୱର ସବୁଠୁ ବୟସ୍କା ପ୍ରସୂତି ବୋଲି ଦାବି କରିଛନ୍ତି।

ଜମ୍ମୁ-କଶ୍ମୀର ପୋଞ୍ଚ୍‌ ଜିଲ୍ଲାଠାରେ ମହିଳା ବକ୍ସିଂ ଡେ, ଅର୍ଥାତ ଖ୍ରୀଷ୍ଟମାସ ପରଦିନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଏହି ଦମ୍ପତିଙ୍କର ଏକ ୧୦ ବର୍ଷର ପୁଅ ମଧ୍ୟ ଅଛି। ମହିଳାଙ୍କର ଲେବର୍‌ ପେନ୍‌ ହେବାରୁ ତାଙ୍କୁ ବୁଧବାର ପୁଞ୍ଚ୍‌ର ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନରେ ମହିଳା ଜଣକ ତାଙ୍କର ଦ୍ୱିତୀୟ ପିଲାକୁ ଜନ୍ମ ଦେଇଛନ୍ତି।

ସାଧାରଣତଃ ଭାରତରେ ୪୭ ବର୍ଷ ବୟସରେ ମହିଳାମାନଙ୍କ ରଜୋନିବୃତି ହୋଇଥାଏ। ଥରେ ରଜୋନିବୃତି ହେଲା ପରେ ଆଉ ପିଲା ଜନ୍ମ କରିବାର ସମ୍ଭାବନା ନଥାଏ। ମାତ୍ର ଏହି ଘଟଣାଟି ନିଶ୍ଚିତ ଭାବେ ସ୍ୱତନ୍ତ୍ର ବୋଲି କଶ୍ମୀରର ପ୍ରସୂତି ବିଶେଷଜ୍ଞ ମତ ଦେଇଛନ୍ତି।

ଏହି ମହିଳାଙ୍କ ପୂର୍ବରୁ ୬୬ ବର୍ଷୀୟା ସ୍ପେନ୍‌ର ମାରିଆ ଡେଲ୍‌ କାରମେନ ବୁସଡା ଦେ ଲାରା ନାମ୍ନୀ ମହିଳା ଆଇଭିଏଫ୍‌ ଜରିଆରେ ଯାଆଁଳା ସନ୍ତାନ ପ୍ରସବ କରିଥିଲେ। ମାତ୍ର ପ୍ରାକୃତିକ ଉପାୟରେ ଏତେ ବର୍ଷ ବୟସରେ ସନ୍ତାନ ଜନ୍ମ ଦେବାରେ କାଶ୍ମୀରର ଏହି ମହିଳା ଜଣକ ପ୍ରଥମ। ସେ ନିଜକୁ ବିଶ୍ୱର ସବୁଠାରୁ ବୟସ୍କା ପ୍ରସୂତି ବୋଲି ଦାବି କରିବାରେ ନିଶ୍ଚୟ ଯଥାର୍ଥତା ରହିଛି।

ସମ୍ବନ୍ଧିତ ଖବର