ବିବାଦର ସୂତ୍ରପାତ : ବର୍ମା ବନାମ ଅସ୍ଥାନା

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଦୁଇ ପ୍ରମୁଖ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟ ଝଗଡ଼ା ବୁଧବାର ନାଟକୀୟ ମୋଡ଼ ନେଇଛି। ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଓ ତାଙ୍କ ବସ୍‌ ଆଲୋକ ବର୍ମାଙ୍କୁ ଛୁଟି‌େର ପଠାଯିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ପ୍ରଥମେ ଅସ୍ଥାନା ସିଭିସି (ଚିଫ୍‌ ଭିଜିଲାନ୍ସ କମିସନ୍‌)ଙ୍କ ନିକଟରେ ଆଲୋକ ବର୍ମାଙ୍କ ନିକଟରେ ଅଭିଯୋଗ କରିଥିଲେ। ହାଇଦ୍ରାବାଦର ବ୍ୟବସାୟୀ ସତୀଶ ସନାଙ୍କ ନିକଟରୁ ସେ ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅସ୍ଥାନା ସୂଚାଇଥିଲେ। କିନ୍ତୁ ଏହାପରେ ବର୍ମାଙ୍କ ନିର୍ଦ୍ଦେଶରେ ସିବିଆଇ ସିଧାସଳଖ ଅସ୍ଥାନାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଏହିଠାରୁ ହିଁ ବିବାଦର ସୂତ୍ରପାତ ‌େହାଇଥିଲା। ବିବାଦର ମୂଳରେ ମାଂସ ବେପାରୀ ମୋଇନ୍‌ କ୍ୟୁରେଶି ରହିଥିଲେ। ତାଙ୍କ ବିରୋଧରେ ଏକ ଅର୍ଥ ଠକେଇ ମାମଲା ଚାଲିଥିବା ବେଳେ ମାମଲାରେ ହାଇଦ୍ରାବାଦଭିତ୍ତିକ ବ୍ୟବସାୟୀ ସତୀଶ ସନାଙ୍କ ନାମ ଉଠିଥିଲା। ସନା ନିଜ ନାମକୁ ମାମଲାରୁ ପ୍ରତ୍ୟାହାର ପାଇଁ ମନୋଜ ପ୍ରସାଦ ନାମକ ଜଣେ ମଧ୍ୟସ୍ଥିଙ୍କ ସହ‌ ଯୋଗାଯୋଗ କରିଥିଲେ। ମନୋଜ ମଧ୍ୟ ସହଯୋଗ କରିବେ ବୋଲି କହିବା ସହିତ ୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ। ସନା ଏହି କଥା ସିବିଆଇ ନିକଟରେ ପ୍ରକାଶ କରିଛି। ସନା ଦର୍ଶାଇଛନ୍ତି ଯେ ଗତବର୍ଷ ଅକ୍ଟୋବରଠାରୁ ୧୦ ମାସ ମଧ୍ୟରେ ସେ ଅସ୍ଥାନାଙ୍କୁ ୨ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି। ସିବିଆଇର ଏଭଳି ଅଭିଯୋଗ ପରେ ଅସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଅସ୍ଥାନାଙ୍କୁ ପସନ୍ଦ କରୁନଥିଲେ ବର୍ମା

ଅସ୍ଥାନାଙ୍କୁ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯିବାକୁ ନେଇ ବର୍ମା ପ୍ରଶ୍ନ ଉଠାଇଥିଲେ। ଅସ୍ଥାନାଙ୍କ ପରିବର୍ତ୍ତେ ଆଉ କାହାକୁ ସ୍ବତନ୍ତ୍ର ନିର୍ଦ୍ଦେଶକ କରାଯାଉ ବୋଲି ସେ ପରୋକ୍ଷରେ କହୁଥିଲେ। ତେଣୁ ଆରମ୍ଭରୁ ହିଁ ଦୁଇଜଣଙ୍କ ମଧ୍ୟରେ ପଡ଼ିନଥିଲା। ତେବେ ଅସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ ହେବାର ୪ ଦିନ ପରେ ସେ ସିଭିସି ନିକଟରେ ପୁଣି ଫେରାଦ ହୋଇ ବର୍ମାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ। ପରେ ଏଫ୍ଆଇଆର୍‌ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ‌େହାଇଥିଲେ। ଇତିମଧ୍ୟରେ ଲାଞ୍ଚ ମାମଲାରେ ସିବିଆଇ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ ମଧ୍ୟ ଗିରଫ କରାଯାଇ ୧୦ ଦିନ ପାଇଁ ସିବିଆଇ ହାଜତରେ ରଖାଯାଇଛି।

ସୁପ୍ରିମ୍‌ କୋର୍ଟ ଗଲେ ଆଲୋକ ବର୍ମା : ବେଆଇନ ଭାବେ ଦାୟିତ୍ବରୁ ହଟାଯାଇଛି

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚ‌ାଲେଞ୍ଜ୍‌ କରି ବୁଧବାର ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଜ ଆବେଦନରେ ବର୍ମା ଦର୍ଶାଇଛନ୍ତି ଯେ ସିବିଆଇ ସ୍ବାଧୀନ ଭାବେ ନିଜ କାର୍ଯ୍ୟ କରୁଛି ଏବଂ ଏଥିପାଇଁ ଏହାକୁ ପୂର୍ଣ୍ଣାଙ୍ଗ କ୍ଷମତା ଦିଆଯିବା ଆବଶ୍ୟକ। କିନ୍ତୁ ସରକାର ବାରମ୍ବାର ହସ୍ତକ୍ଷେପ କରୁଛନ୍ତି। କେତେକ ନିର୍ଦ୍ଦିଷ୍ଟ ମାମଲା‌େର କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ତଦନ୍ତ ବେଳେ ସରକାରଙ୍କ ପରାମର୍ଶ ନିଆଯାଉ ନଥିବାରୁ ସରକାରଙ୍କ ପକ୍ଷେ ଏହା ଗ୍ରହଣୀୟ ହେଉନାହିଁ। ବର୍ମା ଆହୁରି କହିଛନ୍ତି ଯେ ସେ ଅତି ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ କରୁଛନ୍ତି ଏବଂ ଏଥିରୁ ତାଙ୍କୁ ହଟାଇ ଦିଆଯିବା ଦ୍ବାରା ତଦନ୍ତ ଗୁରୁତର ପ୍ରଭାବିତ ହେବ। ତାଙ୍କୁ ବେଆଇନ ଭାବେ ନିର୍ଦ୍ଦେଶକ ପଦରୁ ହଟାଯାଇଛି ବୋଲି ସେ କହିଛନ୍ତି। ତାଙ୍କୁ ପଦରୁ ହଟାଇବା କିମ୍ବା ବଦଳି କରିବାକୁ ହେଲେ ସିଭିସିଙ୍କୁ କ୍ଷମତାସମ୍ପନ୍ନ କମିଟିର ମଞ୍ଜୁରି ନେବାକୁ ପଡ଼ିବ। କିନ୍ତୁ ତାଙ୍କ କ୍ଷେତ୍ରରେ କମିଟିକୁ ଅଣଦେଖା କରାଯାଇଛି। ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ସ୍ଥାପନା ଆଇନ, ୧୯୪୬ ଅନୁସାରେ ଜଣେ ନିର୍ଦ୍ଦେଶକ ଦୁଇବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳରେ ରହିବେ। କିନ୍ତୁ ସରକାର ଏହି ନିୟମର ମଧ୍ୟ ଉଲ୍ଲଂଘନ କରିଛନ୍ତି। ବର୍ମା କହିଛନ୍ତି, ସିବିଆଇରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ତଙ୍କ ମଧ୍ୟରେ ସହମତି ପ୍ରକାଶ ପାଉଥିବା ବେଳେ ସ୍ବତନ୍ତ୍ର ନିର୍ଦ୍ଦେଶକ ଜାଣିଶୁଣି ଭିନ୍ନ ମତ ରଖି ନିଷ୍ପତ୍ତିରେ ବାଧକ ସାଜିଛନ୍ତି। ସେପଟେ ତାଙ୍କ ଦ୍ବାରା ହୋଇଥିବା ବିଭିନ୍ନ ଦୁର୍ନୀତିକୁ ଘୋଡ଼ାଇବା ସହ ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି। ବର୍ମା କହିଛନ୍ତି ଯେ ତାଙ୍କ ନିଯୁକ୍ତି ଓ ବଦଳି କ୍ଷେତ୍ରରେ କେବଳ କ୍ଷମତାସମ୍ପନ୍ନ କମିଟି ନିଷ୍ପତ୍ତି ନେଇପାରିବ। କିନ୍ତୁ ତାଙ୍କୁ ମନମୁଖି ଭାବେ ସିବିଆଇରୁ ବିଦା କରିଛନ୍ତି। ଶୁକ୍ରବାର ସୁପ୍ରିମ୍‌ କୋର୍ଟ ଏହାର ଶୁଣାଣି କରିବେ।

ସମ୍ବନ୍ଧିତ ଖବର