ବହୁତ ଖୋଜାଖୋଜି ପରେ ଚାକିରି ନମିଳିବାରୁ ଟ୍ରାଫିକ ସିଗନାଲରେ ଏଭଳି କାମ କଲେ ବ୍ୟକ୍ତି

ନୂଆଦିଲ୍ଲୀ: ଚାକିରିଟିଏ ପାଇବା ପାଇଁ ଲୋକମାନେ ଅନେକ ଚେଷ୍ଟା କରି ଥାଆନ୍ତି। କିଛି ଲୋକ ଦିନରାତି ବସି ୱେବସାଇଟରେ ଚାକିରି ଖୋଜି ଥାଆନ୍ତି। ବହୁ ଖୋଜାଖୋଜି ପରେ ଚାକିରି ନମିଳିବାରୁ କିଛି ଲୋକ ହତାଶ ହୋଇ ବସିପଡ଼ୁଥିବା ବେଳେ ଆଉ କିଛି ଲୋକ ନିଜର ଅଦ୍ଭୁତ ବୁଦ୍ଧିକୁ ଆପଣାଇ ଥାଆନ୍ତି।

ନିକଟରେ ଦୁବାଇରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଚାକିରି ୱେବସାଇଟରେ ଚାକିରି ନ ପାଇବା ପରେ ଜଣେ ବ୍ୟକ୍ତି ଟ୍ରାଫିକ ସିଗନାଲରେ ଚକୋଲେଟ୍ ସହିତ ତାଙ୍କ ସିଭି ଦେବା ଆରମ୍ଭ କରିଥିଲେ। ଏହି ରିଜ୍ୟୁମର ବିଶେଷ କଥା ହେଲା ସେଥିରେ ଚକୋଲେଟ୍ ଖଞ୍ଜା ଯାଇଥିଲା ।

ଏହା ସହିତ ଏକ ନୋଟ୍ ମଧ୍ୟ ଥିଲା, ଯେଉଁଥିରେ ଲେଖା ହୋଇଥିଲା, ‘ଯଦି ତୁମେ ମୋତେ ଚାକିରି ପାଇବାରେ ସାହାଯ୍ୟ କର, ମୁଁ ତୁମ ନିକଟରେ ଋଣୀ ରହିବି। ମୁଁ ତୁମକୁ ପ୍ରେମ ଏବଂ ସୁଖରେ ପରିପୂର୍ଣ୍ଣ ଏକ ସୁନ୍ଦର ଦିନ କାମନା କରିବ।’

ନୋଟରେ ବ୍ୟକ୍ତିଙ୍କ ନାମ ଏବଂ ଯୋଗାଯୋଗ ବିବରଣୀ ମଧ୍ୟ ଉଲ୍ଲେଖ ରହିଥିଲା।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଦୁବାଇ ମରିନାରେ ଟ୍ରାଫିକ ସିଗନାଲରେ ଚକୋଲେଟ ସହିତ ତାଙ୍କ ସିଭି ଲୋକଙ୍କୁ ଦେଉଥିବା ଦେଖିବାକୁ ମିଳୁଥିଲା। ସେ ଅଲ ଜାର୍କା ବିଶ୍ୱବିଦ୍ୟାଳୟରେ ବ୍ୟବସାୟ ଅଧ୍ୟୟନ କରିଥିବା କଥା ବି ସିଭିରେ ଉଲ୍ଲେଖ  କରିବା ସହିତ ଆରବୀ ଏବଂ ଇଂରାଜୀ ଭାଷା ଜାଣିଛନ୍ତି ବୋଲି କହିଛନ୍ତି। ଜଣେ ବିକ୍ରେତା ଭାବରେ ଅନେକ ବର୍ଷର ଅଭିଜ୍ଞତା  ରହିଛି ବୋଲି ନୱର କହିଛନ୍ତି।

ନୱର ମୌଖଲାତି ଲିଙ୍କଡଇନ ଆକାଉଣ୍ଟରେ  ଏହି ବିଷୟରେ ପୋଷ୍ଟ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, ‘ଲିଙ୍କଡଇନରେ ଚାକିରି ପାଇବାରେ ବିଫଳ ହେବା ପରେ ମୁଁ ଦୁବାଇର ସିଗନାଲରେ ମୋର ସିଭି ବଣ୍ଟନ କରିବା ଆରମ୍ଭ କଲି।’

ତାଙ୍କର ଉଜ୍ଜ୍ୱଳ ଚିନ୍ତାଧାରାରେ ପ୍ରଭାବିତ ହୋଇ ନୱରଙ୍କୁ ଶୀଘ୍ର ଚାକିରି ମିଳି ଯାଉ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର