ଅନୁପଙ୍କ ଖେଳ ଖତମ୍‌ : ଅବୈଧ ସଂପର୍କ, ପ୍ରତାରଣା ଓ ଯୋଜନାବଦ୍ଧ ହତ୍ୟାର ଏକ ଜଘନ୍ୟ ଅପରାଧ କାହାଣୀ

ମା’ ଝିଅ ଡବଲ ମର୍ଡରର ଲୋମହର୍ଷକ କାହାଣୀ

ଝାରସୁଗୁଡ଼ା: ସତ କେବେ ଲୁଚି ରହେନା। ଦିନେ ନା ଦିନେ ସେ ଆତ୍ମପ୍ରକାଶ କରେ। ଏହି ଉକ୍ତି ପୁଣି ଥରେ ପ୍ରମାଣିତ ହୋଇଛି। ତିନିଥର ବିଧାୟକ ହୋଇଥିବା ବ୍ରଜରାଜନଗରର ହେଭିୱେଟ୍‌ ନେତା ଅନୁପ ସାଏ ଆଡ୍‌ଭୋକେଟ୍‌ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ଓରଫ ପ୍ରଭାତୀ ଦାଶଙ୍କ ହତ୍ୟା ମାମଲାରେ ଛତିଶଗଡ଼ ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍‌ ଯାଇ ସାରିଛନ୍ତି। ପୁଲିସ କହୁଛି, ମାରାଥନ୍‌ ଜେରା ବେଳେ କଳ୍ପନା ଓ ତାଙ୍କ ଝିଅଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଛନ୍ତି ଅନୁପ। ଏଥିସହ ଅବୈଧ ସଂପର୍କ, ପାପପ୍ରଣୟ, ଲିଭ୍‌ ଇନ୍‌, ପ୍ରତାରଣା ଓ ଯୋଜନାବଦ୍ଧ ହତ୍ୟାର ଏକ ଜଘନ୍ୟ ଅପରାଧ କାହାଣୀର ପର୍ଦ୍ଦାଫାସ୍‌ ହୋଇଛି।

କଳ୍ପନା ଓ ଅନୁପଙ୍କ ଏହି କାହାଣୀରେ କଳ୍ପନାଙ୍କୁ ଜୀବନ ହରାଇବାକୁ ପଡ଼ିଥିବା ବେଳେ ଅନୁପଙ୍କୁ ହରାଇବାକୁ ପଡ଼ିଛି ତାଙ୍କ ବ୍ୟକ୍ତିଗତ ମର୍ଯ୍ୟାଦା, ପାରିବାରିକ ପ୍ରତିଷ୍ଠା ଓ ରାଜନୈତିକ ଜୀବନ। କୌଣସି ମସାଲା ଫିଲ୍ମର କାହାଣୀଠାରୁ ଆଦୌ କମ୍‌ ନଥିଲା ଦୁହିଁଙ୍କ ପରକୀୟା ସଂପର୍କର ଗାଥା। ସେଥିରେ ଉଚ୍ଚାଭିଳାଷ ଥିଲା, ରାଜନୀତି ଥିଲା, ଲଭ୍‌, ସେକ୍ସ ଓ ଧୋକା ବି ଥିଲା। ତା ସାଙ୍ଗକୁ ଥିଲା ୪ ବର୍ଷ ଧରି ରହସ୍ୟ ହୋଇ ରହିଥିବା ଏକ ସୁପରିକଳ୍ପିତ ଡବଲ୍‌ ମର୍ଡରର ଯୋଜନାବଦ୍ଧ ଅନୁସନ୍ଧାନ ଓ ଶେଷରେ ଖିଅରେ ଖିଅକୁ ଯୋଡ଼ି ପୁଲିସ ଅଭିଯୁକ୍ତକୁ ଗିରଫ କରିବାର ରହସ୍ୟ-ରୋମାଞ୍ଚଭରା କାହାଣୀ।
ଏହି କାହାଣୀର କିଛି ଫର୍ଦ୍ଦ:

ମା’ ଝିଅ ଡବଲ ମର୍ଡରର ଲୋମହର୍ଷକ କାହାଣୀ

ସୁନ୍ଦରପଦାରୁ ହମିରପୁର ମାର୍ଗ
କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିକୁ ହତ୍ୟା କରିବାକୁ ପୂର୍ବ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା ଭୁବନେଶ୍ବରରୁ। ବିବାହ ଓ ସୁନ୍ଦରପଦା କୋଠାକୁ ତାଙ୍କ ନାଁରେ କରିବା ପାଇଁ କଳ୍ପନା ବାରମ୍ବାର ଜିଦି ଧରିବାରୁ ଅନୁପ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର। ତେବେ ଭୁବନେଶ୍ବର କିମ୍ବା ଓଡ଼ିଶାରେ ହତ୍ୟା କରିବା ସହଜ ନଥିବାରୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲାକୁ ଚୟନ କରିଥିଲେ। ଡ୍ରାଇଭର ବର୍ମନ ଟପ୍ପୋ ମଧ୍ୟ ଏଥିରେ ସାମିଲ ହୋଇଥିଲେ। କଳ୍ପନାଙ୍କୁ ସୁନ୍ଦରପଦାରୁ ଓଲା କାର୍‌ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ସେଠାରୁ ବସ୍‌ରେ ଝାରସୁଗୁଡ଼ା ପଠାଇଇଥିଲେ। ଝାରୁଗୁଡ଼ାରେ ଅନୁପ ମା’ ଓ ଝିଅଙ୍କୁ ମେଘଦୁତ ହୋଟେଲ୍‌ରେ ରଖିଥିଲେ। ସେଠାରୁ ରାୟଗଡ଼ ଯାଇ ଏକ ମନ୍ଦିରରେ ବିବାହ କରିବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ବିବାହ ଖୁସିରେ କଳ୍ପନା ଅନୁପଙ୍କ ‌ଷଡ଼ଯନ୍ତ୍ରର ଗନ୍ଧ ବାରିପାରି ନଥିଲେ। ଶେଷରେ ହମିରପୁର ମାର୍ଗ ମା’ ଶାକମ୍ବରୀ ପ୍ଲାଣ୍ଟକୁ ଯାଇଥିବା ନିକାଞ୍ଚନ ରାସ୍ତାରେ ଅନୁପ ମା’ ଝିଅଙ୍କୁ ଜଘନ୍ୟ ଭାବେ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କରିବା ପରେ ଶବ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ।

ଓଡ଼ିଶାରେ ୬ ମାସ ଛତିଶଗଡ଼ ପୁଲିସ
ରାୟଗଡ଼ ଡବଲ ମର୍ଡର ଘଟଣାରେ ଓଡ଼ିଶାର ହାଇ ପ୍ରୋଫାଇଲ୍‌ ରାଜନେତା ତଥା ୩ ଥର ବିଧାୟକ ଥିବା ଅନୁପ ସାଏ ସନ୍ଦେହ ଘେରକୁ ଆସିବା ପରେ ପୁଲିସ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତାଙ୍କର ଗତିବିଧି ଓ ଯାତାୟାତ ଉପରେ ନଜର ରଖିବାକୁ ଛତିଶଗଡ଼ ପୁଲିସ ଏକ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ଗୁପ୍ତରେ ଓଡ଼ିଶା ଆସି ଅନୁପଙ୍କ ଉପରେ ନଜର ରଖିଥିଲା। ଅନୁପ କୁଆଡ଼େ ଯାଉଛନ୍ତି, କାହା ସହିତ ମିଶୁଛନ୍ତି ଓ କି ପ୍ରକାର ଯୋଜନା କରୁଛନ୍ତି ସେ ସଂପର୍କରେ ତଥ୍ୟ ଏକଜୁଟ କରୁଥିଲା। ପ୍ରାୟ ୬ ମାସ ଧରି ତାଙ୍କ ଉପରେ ନଜର ରଖିବା ପରେ ପୁଲିସ ଅନେକ ପ୍ରମାଣ ଯୋଗାଡ଼ କରିଥିଲା।

୭୦୦ ଲୋକଙ୍କୁ ପଚରାଉଚରା
ଏହି ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ଛତିଶଗଡ଼ ପୁଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ମୃତଦେହ ଠାବ ପରେ ଏହା ଯେ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ତାହା ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ପୁଲିସ ସ୍ପଷ୍ଟ ଜାଣି ପାରିଥିଲା। ତେବେ ପୁଲିସ ପାଇଁ ଶବ ଚିହ୍ନଟ କରିବା କାଠିକର ପାଠ ଥିଲା। ଆଖପାଖ ଗାଁ, ଜିଲ୍ଲା ଓ ଥାନାରେ ନିଖୋଜ ମାମଲାର ଖୋଳତାଡ଼ କରିବା ପରେ ମଧ୍ୟ ପୁଲିସ ଶବ ଚିହ୍ନଟ କରିପାରି ନଥିଲା। ଏପରିକି ପୁଲିସର ଟିମ୍‌ ଓଡ଼ିଶା, ଝାରଖଣ୍ଡ, ମହାରାଷ୍ଟ୍ର, ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଯାତ୍ରା କରି ସେଠାକାର ଲୋକଙ୍କୁ ପଚରାଉଚରା କରିଥିଲା। ଏହି ଜିଲ୍ଲାଗୁଡ଼ିକରେ ପ୍ରାୟ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ ପୁଲିସକୁ ଠୋସ୍‌ ସଫଳତା ମିଳି ନଥିଲା। ମାତ୍ର ମୃତଦେହର ଫଟୋକୁ ବିଭିନ୍ନ ଥାନାକୁ ପଠାଇବା ଓ ଖବରକାଗଜରେ ବିଜ୍ଞାପନ ଦେବା ପରେ ମହିଳାଙ୍କ ପୂର୍ବ ସ୍ବାମୀ ତଥା ବିହାରର ସୁନିଲ ଶ୍ରୀବାସ୍ତବ ଶବ ଦ୍ବୟକୁ ଚିହ୍ନଟ କରିଥିଲେ।

ଅନୁପଙ୍କ ହେବ ଡିଏନ୍‌ଏ ଓ ନାର୍‌କୋ ଟେଷ୍ଟ
ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହଙ୍କ କହିବା ଅନୁଯାୟୀ ଅନୁପ ସାଏଙ୍କର ଡିଏନ୍‌ଏ ଟେଷ୍ଟ କରାଯାଇପାରେ; ଯାହା ତାଙ୍କ ବିରୋଧରେ ଥିବା ପ୍ରମାଣକୁ ବଳିଷ୍ଠ କରିବ। ସେହିପରି କୋର୍ଟଙ୍କ ଅନୁମତି ଅଣାଯାଇ ତାଙ୍କର ନାର୍କୋଟେଷ୍ଟ୍‌ ମଧ୍ୟ କରାଯିବ। ପରେ ଅନ୍ୟତମ ଅଭିଯୁକ୍ତ ବର୍ମନ ଟପ୍ପୋକୁ ଧରାଯିବା ପରେ ଅନୁପଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ପି ଶ୍ରୀ ସିଂହ କହିଛନ୍ତି।

କଳ୍ପନାଙ୍କ ସହିତ ଗପିବାକୁ ସ୍ବତନ୍ତ୍ର ନମ୍ବର
ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଥିବା ଅନୁପ ସାଏ ୨ଟି ଫୋନ୍‌ ବ୍ୟବହାର କରୁଥିଲେ। ଗୋଟିଏ ଫୋନ୍‌ରେ ସେ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ କଥାବାର୍ତ୍ତା କରୁଥିବା ବେଳେ ଅନ୍ୟ ନମ୍ବରଟି ସେ କେବଳ କଳ୍ପନାଙ୍କ ସହିତ କଥାବାର୍ତ୍ତା କରିବାକୁ ବ୍ୟବହାର କରୁଥିଲେ। ୨୦୧୬ ମେ ମାସ ୫ ତାରିଖ ହତ୍ୟାକାଣ୍ଡ ଦିନ ଏହି ଫୋନ୍‌ ନମ୍ବର ଦ୍ବୟ ହମିରପୁର ମାର୍ଗ ଅଞ୍ଚଳରେ ଥିବା ଟାୱାର ଅଧୀନରେ ଆସୁଥିବା ପୁଲିସ ମୋବାଇଲ୍‌ ଟାୱାର ତଥ୍ୟ ବିଶ୍ଳେଷଣ କରି ଜାଣିବାକୁ ପାଇଥିଲା। ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାରେ ଏହି ମୋବାଇଲ୍‌ ନମ୍ବର ସହାୟକ ହୋଇଥିବା ପୁଲିସ ସୂଚନା ଦେଇଛି।

ଧରାଇଦେଲା ମୋବାଇଲ୍‌ ନମ୍ବର
କୁହାଯାଇଛି ଯେ ହତ୍ୟାକାରୀ ଯେତେ ଚାଲାଖ ହୋଇଥାଉ ନା କାହିଁକି କେଉଁଠି ନା କେଉଁଠି ତାର ପ୍ରମାଣ ଛାଡ଼ି ଦେଇ ଯାଇଥାଏ। କିନ୍ତୁ ଏହି ହତ୍ୟାକାଣ୍ଡରେ ହତ୍ୟାକାରୀ କୌଣସି ପ୍ରମାଣ ଛାଡ଼ି ନଥିଲା। ମାତ୍ର ଶବ ଚିହ୍ନଟ ପରେ ମୃତା କଳ୍ପନାଙ୍କ ସଂପୂର୍ଣ୍ଣ ପରିଚୟ ଓ ଫୋନ୍‌ ନମ୍ବର ଯୋଗାଡ଼ କରିବା ସମ୍ଭବ ହୋଇଥିଲା। ପରେ ଏହି ମୋବାଇଲ୍‌ ନମ୍ବର ପୁଲିସକୁ ତଦନ୍ତରେ ସଫଳତା ଦେଇଥିଲା। ପୁଲିସ ତାଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରିବା ପରେ ଅନେକ ତଥ୍ୟ ହାସଲ କରିଥିଲା। ବିଶେଷକରି ଜଣେ ସାଧାରଣ ମହିଳାଙ୍କ ମୋବାଇଲ୍‌କୁ ଓଡ଼ିଶାର ଜଣେ ରାଜନେତା ତଥା ପୂର୍ବ ବିଧାୟକଙ୍କ ନମ୍ବରରୁ ବାରମ୍ବାର ଫୋନ୍‌ ଆସିବା ପୁଲିସର ସନ୍ଦେହକୁ ବଢ଼ାଇ ଦେଇଥିଲା। ଶେଷରେ ପୁଲିସ ଅନୁପଙ୍କ ପଛରେ ପଡ଼ିଯାଇଥିଲା।

ସମ୍ବନ୍ଧିତ ଖବର