ବ୍ଲାକ୍ ଫଙ୍ଗସ୍ ପୂର୍ବରୁ ବି ଥିଲା

ଡାକ୍ତର ମଧୁସ୍ମିତା ବେହେରା

କରୋନାରୁ ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତିଙ୍କ ଠାର ମ୍ୟୁକରମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) ସଂକ୍ରମଣ ଦେଖିବାକୁ ମିଳୁଛି।

ମ୍ୟୁକରମାଇକୋସିସ୍ କିଛି ନୂଆ ନୁହେଁ। ପୂର୍ବରୁ ଏହା ଥିଲା। କିନ୍ତୁ ଏବେ କରୋନାରୁ ଆରୋଗ୍ୟ ଲାଭ କରି ଫେରୁଥିବା ବ୍ୟକ୍ତିଙ୍କଠାରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ମୁଖ୍ୟତଃ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଏବଂ ରୋଗପ୍ରତିରୋଧକ ଶକ୍ତି କମିଯାଇଥିବା ବ୍ୟକ୍ତି ଯେଉଁମାନେ ଦୀର୍ଘଦିନ ଧରି ଭେଣ୍ଟିଲେଟର, ଆଇସିୟୁ ଆଦିରେ ରହୁଛନ୍ତି ସେମାନଙ୍କ ଠାରେ ମ୍ୟୁକରମାଇକୋସିସ୍ ଦେଖାଦେବାର ଆଶଙ୍କା ଅଧିକ।

କୋଭିଡ-୧୯ କେବଳ ଜଣେ ବ୍ୟକ୍ତିର ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଉ ନାହିଁ, ବରଂ ତାହାର ରୋଗପ୍ରତିରୋଧକ ଶକ୍ତିକୁ କମାଇ ଦେଉଛି। ତେଣୁ ରୋଗୀ ଫଙ୍ଗସ୍‌ରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ସାଇନସ୍ ଏବଂ ଫୁସ୍‌ଫୁସ୍‌ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇପାରେ। ତେଣୁ ବିଭିନ୍ନ ପ୍ରକାର ଜଟିଳ ରୋଗ ଏବଂ ପ୍ରତିରୋଧକ ଶକ୍ତି କମ ଥିବା ଏବଂ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଠାରେ ଆଗାମୀ ଦିନରେ ମ୍ୟୁକରମାଇକୋସିସ୍ ଭଳି ଫଙ୍ଗସ୍‌ ରୋଗ ଦେଖାଦେବାର ଆଶଙ୍କା ଅଧିକ ରହିଛି।

ଯେଉଁ ବ୍ୟକ୍ତିର ମୁଣ୍ଡ ଏବଂ ବେକ ସଂକ୍ରମିତ ହେଉଛି ତାଙ୍କଠାରେ ସେହି ଫଙ୍ଗସ୍ ନିଶ୍ବାସପ୍ରଶ୍ବାସ ନେବାର ପଥ ଯାଥା ନାକ ଏବଂ ସାଇନସକୁ ବ୍ୟାପିବା ଆଶଙ୍କା ରହିଛି। ଏହାପରେ ଏହି ଫଙ୍ଗସ୍ ଆଖି ଚାରିପଟେ ଥିବା ହାଡ଼ ଏବଂ ମସ୍କିଷ୍କ ମଧ୍ୟକୁ ବ୍ୟାପିବା ସମ୍ଭାବନା ଥାଏ। ତେଣୁ ଏହାର ଆଗୁଆ ଚିହ୍ନଟ ଏବଂ ଚିକିତ୍ସାର ଆବଶ୍ୟକତା ରହିଛି।

ଫଙ୍ଗଲ ସଂକ୍ରମଣ ଗୁଡ଼ିକ ମଧ୍ୟରେ ଏହା ସବୁଠୁ ଅଧିକ ହଠାତ୍ ଦେଖାଯାଉଥିବା ଏବଂ କ୍ଷତିକାରକ ରୋଗ। ଉକ୍ତ ରୋଗକୁ ଚିହ୍ନଟ କରିବା କଷ୍ଟସାଧ୍ୟ। ଏଥିଯୋଗୁ ରୋଗୀ ଆରୋଗ୍ୟ ହେବା ବିଳମ୍ବ ହୋଇଥାଏ। ଜର, ମୁଣ୍ଡ ବିନ୍ଧା, ନାକ ଏବଂ ଆଖି ଚାରିପଟେ ଚର୍ମ ଲାଲ ଏବଂ ଫୁଲିବା, ଆଖିପତା ଫୁଲିବା, ମୁହଁରେ ଯନ୍ତ୍ରଣା, ଦୃଷ୍ଟିଶକ୍ତି ନଷ୍ଟ ହୋଇଯିବା ଭଳି ବିଭିନ୍ନ ଲକ୍ଷଣ ‌ଏହି ରୋଗରେ ଦେଖାଯାଇଥାଏ।

ଅନ୍ୟ କୌଣସି ରୋଗ ଥିବା ପ୍ରମାଣିତ ହୋଇ ନଥିଲେ ମ୍ୟୁକରମାଇକୋସିସ୍‌ରେ ଆକ୍ରାନ୍ତ ହୋଇଥିବା ଧରିନେବା। ଏଥିପାଇଁ ଇଏନଟି ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ ନେବା, ନାଜାଲ ଏଣ୍ଡୋସ୍କୋପି, ନାଜାଲ ସ୍ବାବ ଏବଂ ଏମ୍‌ଆର୍‌ଆଇ ସ୍କାନ ଆଦି କରାଇ ନେବା ଆବଶ୍ୟକ। ଉଭୟ ଔଷଧ ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ଏହି ରୋଗର ଚିକିତ୍ସା କରାଯାଇ ପାରିବ।

ଡାକ୍ତରୀ ଚିକିତ୍ସାରେ ଆଇ ଭି ଆଣ୍ଟିଫଙ୍ଗାଲ ଏବଂ ଓରାଲ ଆଣ୍ଟିଫଙ୍ଗାଲ ‌ଔଷଧ ବ୍ୟବହାର କରାଯାଇଥାଏ। ଏଥିସହିତ ସର୍ଜରି ଚିକିତ୍ସା ମଧ୍ୟ ରହିଛି।

ରୋଗର ଆଗୁଆ ଚିହ୍ନଟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ସପ୍ତାହ ବିଳମ୍ବ ହୋଇଗଲେ ‌ରୋଗୀଙ୍କ ପାଇଁ ସଙ୍କଟ ହୋଇପାରେ। ତେଣୁ ସତର୍କ ରହିବା ସହିତ ଯଦି କୌଣସି ପ୍ରକାର ଅସ୍ବାଭାବିକ ଲକ୍ଷଣ ଦେଖାଦିଏ ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ରୋଟାରି ନାରାୟଣ ନେତ୍ରାଳୟ, କୋଲକାତା

ସମ୍ବନ୍ଧିତ ଖବର