ଶେଷ ଫଟୋ: କିଏ ଜାଣିଥିଲା ଏତେ କନ୍ଦାଇବ!

ଶ୍ରୀଦେବୀ ନିଜ ଭଣଜାଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଦୁବାଇ ଯାଇଥିଲେ। ପରିବାର ଓ ବନ୍ଧୁବର୍ଗଙ୍କ ଗହଣରେ ଶ୍ରୀଦେବୀ ମୃତ୍ୟୁର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ହସଖୁସିରେ ମସ୍‌ଗୁଲ ଥିଲେ। ଏହି ଉତ୍ସବ ପାଇଁ ସେ ଦୁଇ ସପ୍ତାହ ପୂର୍ବରୁ ଅନେକ ଯୋଜନା କରିଥିଲେ। ତେବେ ଅଚାନକ ହୃଦ୍‌କ୍ରିୟା ବନ୍ଦ ହୋଇଯିବାରୁ ଦୁବାଇରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଶନିବାର ରାତିରେ ଶ୍ରୀଦେବୀ ପାରିବାରିକ ନାଚଗୀତର ଆସରରେ ଯୋଗଦେଇଥିଲେ ଏବଂ ବହୁତ ଖୁସିଥିଲେ। ବିବାହ ଉତ୍ସବର ଅନେକ ଫଟୋ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ୍‍ କରିଥିବା ପରିବାର ସଦସ୍ୟ କହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଅସ୍ୱାଭାବିକତା ଦେଖିବାକୁ ମିଳିନଥିଲା। କିନ୍ତୁ ଅଚାନକ ସବୁକିଛି ଓଲଟପାଲଟ ହୋଇଗଲା।

ଶେଷ ସିନେମା ଆସିବା ଆଗରୁ ଚାଲିଗଲେ

ଦକ୍ଷ ଅଭିନୟ ଶୈଳୀ ସାଙ୍ଗକୁ ଶ୍ରୀଦେବୀଙ୍କର ବଳିଷ୍ଠ ନୃତ୍ୟ ନିପୁଣତା ସମସ୍ତଙ୍କୁ ମତୁଆଲା କରିଦେଇଥିଲା। ୨୦୧୨ରେ ଗୌରୀ ସିନ୍ଧେଙ୍କ ‘ଇଂଲିସ ଭିଂଲିସ’ରେ ଶ୍ରୀଦେବୀଙ୍କ ପ୍ରତ୍ୟାବର୍ତ୍ତନ ଦର୍ଶର୍କମାନଙ୍କୁ ପୂର୍ବପରି ମନ୍ତ୍ରମୁଗ୍ଧ କରିଦେଇଥିଲା। ସେହିପରି ୨୦୧୭ରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମମ୍‌’ ଅନୁରୂପ ଦର୍ଶକୀୟ ସ୍ୱୀକୃତି ସାଉଁଟିଥିଲା। ତେବେ ପ୍ରିୟ ସିନେପ୍ରେମୀମାନଙ୍କର ଅବସୋସ ଯେ ସେମାନଙ୍କର ଚୁଲୁବୁଲି ନାୟିକାଙ୍କ ଶେଷ ଚଳଚ୍ଚିତ୍ର ମେଗାଷ୍ଟାର ଶାହରୁଖ ଖାନ୍‌ଙ୍କ ଅଭିନୀତ ‘ଜିରୋ’ର ଶୁଭମୁକ୍ତି ବେଳକୁ ସେ ଆଉ ରହିଲେନି। ଆଗାମୀ ଡିସେମ୍ବରରେ ଏହା ରିଲିଜ୍‌ ହେବାର ଯୋଜନା ରହିଛି।

ବିଗ୍‌ ବିଙ୍କୁ ମିଳିଥିଲା ଆଗୁଆ ସଙ୍କେତ!

ଫେବ୍ରୁଆରି ୨୫, ଶନିବାର ରାତି ୧୨ଟା ଅତିକ୍ରମ କରି ରବିବାର ଆରମ୍ଭ ହେବା ମାତ୍ରେ ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ଟ୍ଵିଟ୍‌ କରି ସୋସିଆଲ ମିଡିଆକୁ ଚମକାଇ ଦେଇଥିଲେ। ଏହି ଟ୍ଵିଟ୍‌ରେ ଅମିତାଭ ଲେଖିଥିଲେ – କେଜାଣି କାହିଁକି ଅସ୍ୱାଭାବିକ ଭାବେ ବିଚଳିତ ଅନୁଭବ କରୁଛି। ରାତି ୧ଟା ୧୫ରେ ଅମିତାଭ ଏହି ଟ୍ଵିଟ୍‌ କରିଥିଲେ। ସତେ ଯେମିତି ତାଙ୍କୁ ଆଗୁଆ ସଙ୍କେତ ମିଳିଯାଇଥିଲା ଯେ କିଛି ଖରାପ ଘଟିବାକୁ ଯାଉଛି। ପରବର୍ତ୍ତୀ ସମୟରେ ଭୋର୍‌ ୩ଟା ପରେ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାକୁ ଆରମ୍ଭ ହେଲା। ଭୋର୍‌ ୩ଟା ୪୫ରେ ପରିବାର ସଦସ୍ୟମାନେ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର