ଫିନ୍‌ଲାଣ୍ଡ୍‌ର ପତ୍ନୀବୋହା ଦୌଡ଼

ଦାମ୍ପତ୍ୟ ଜୀବନକୁ ଅଧିକ ରୋମାଞ୍ଚକର କରିବା ଲାଗି ଫିନ୍‌ଲାଣ୍ଡ୍‌ରେ ପ୍ରଚଳିତ ଏକ ନିଆରା ପ୍ରତିଯୋଗିତା ବିଶ୍ବବ୍ୟାପୀ ଉତ୍ସାହୀ ଦମ୍ପତିଙ୍କ ମନରେ ଭିନ୍ନ ପୁଲକ ଭରିଚାଲିଛି। ରାଜଧାନୀ ହେଲସିଙ୍କି ଠାରୁ ୩୦୦ ମାଇଲ୍‌ ଦୂର ସୋଙ୍କାଜାର୍ବି ମ୍ୟୁନିସିପାଲିଟିରେ ଆୟୋଜିତ ହୋଇ ଆସୁଥିବା ଏହି ବାର୍ଷିକ ଉତ୍ସବରେ ଜଣେ ପୁରୁଷ ନିଜ ପତ୍ନୀଙ୍କୁ କାନ୍ଧରେ ବସାଇ ନିର୍ଦ୍ଧିଷ୍ଟ ଦୂରତା ଅତିକ୍ରମ କରିଥା’ନ୍ତି। ଫିନ୍‌ଲାଣ୍ଡ୍‌ର ଊନବିଂଶ ଶତାବ୍ଦୀର ଏକ ଗଳ୍ପ ଅନୁସାରେ କିଂବଦନ୍ତି ଲୁଟେରା ‘ରୋଙ୍କାଇନେନ୍‌’ ନିଜ ସହଯୋଗୀମାନଙ୍କ ସହ ବିଭିନ୍ନ ଗ୍ରାମରେ ପଶି ଅନ୍ୟର ପତ୍ନୀମାନଙ୍କୁ ଅପହରଣ କରି ନେଉଥିଲା।

ଉକ୍ତ କାହାଣୀ ଦ୍ବାରା ଅନୁପ୍ରାଣିତ ହୋଇ ‘ପତ୍ନୀବୋହା ଦୌଡ଼ ପ୍ରତିଯୋଗିତା’ ଅନୁଷ୍ଠିତ ହୋଇ ଆସୁଛି। ଏଥିରେ ଭାଗ ନେବା ପାଇଁ ସଂପୃକ୍ତ ମହିଳା(ପ୍ରତିଯୋଗୀଙ୍କ ସାଥୀ)ଙ୍କର ବୟସ ସର୍ବନିମ୍ନ ୧୭ ବର୍ଷ ଏବଂ ଓଜନ ୪୯ କି.ଗ୍ରା. ହେବା ଜରୁରୀ। ଯଦିଓ ପ୍ରତିଯୋଗିତାରେ କେବଳ ଦମ୍ପତିମାନେ ଭାଗ ନେବା ଯଥାର୍ଥ, ତେବେ କୌଣସି ପୁରୁଷଙ୍କର ଉପଯୁକ୍ତ ପତ୍ନୀ ନଥିଲେ ଯୋଗ୍ୟା ପଡ଼ୋଶିନୀଙ୍କୁ ସାଙ୍ଗରେ ଆଣିବା ପାଇଁ ଆୟୋଜକମାନେ ଅନୁମତି ଦେଇଛନ୍ତି। ତେବେ ପ୍ରତିଯୋଗିତାର ପଥଟି ସରଳ ଓ ସୁଗମ ନହୋଇ ସେଥିରେ ନାନା ପ୍ରତିବନ୍ଧକ ରହିଥାଏ।

କେଉଁଠି ପ୍ରତିଯୋଗୀଙ୍କୁ କାଠଗଣ୍ଡି ଉପରେ ଚାଲିବାକୁ ପଡ଼ିଥାଏ ତ କେଉଁଠି ଅଣ୍ଟାଏ ପାଣି ଭିତରେ ପଶି ଯିବାକୁ ହୋଇଥାଏ। ସେହିପରି ଏହି ପ୍ରତିଯୋଗିତାର ବିଜେତାଙ୍କୁ ମଧ୍ୟ ପତ୍ନୀଙ୍କ ଓଜନର ସୁରା ପରି ଏକ ନିଆରା ପୁରସ୍କାର ମିଳିଥାଏ। ପତ୍ନୀ ଯେତେ ଓଜନିଆ ହେବେ, ସ୍ବାମୀଙ୍କୁ ସେତେ ଅଧିକ ସୁରା ମିଳିବ। ଏହି ପ୍ରତିଯୋଗିତା ଏବେ ଫିନ୍‌ଲାଣ୍ଡ୍‌ ବାହାରେ ଅଷ୍ଟ୍ରେଲିଆ, ପୋଲାଣ୍ଡ୍‌, ଇଂଲଣ୍ଡ୍ ଏବଂ ଆମେରିକା ଆଦି ଦେଶରେ ଆଦୃତ ହେବାରେ ଲାଗିଛି। ଏପରିକି ଚୀନ୍‌ ମଧ୍ୟ ଏହା ଆୟୋଜନ କରିବ ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର