ଚମ୍ବଲ ଦସ୍ୟୁମାନଙ୍କ ଆତ୍ମସମର୍ପଣର ସ୍ୱର୍ଣ୍ଣଜୟନ୍ତୀ ଉତ୍ସବ ପାଳନ, ଜାଣନ୍ତୁ କିଭଳି ହିଂସାରୁ ଅହିଂସା ମାଗକୁ ଆସିଥିଲେ

ମୋରୈନା: ଚମ୍ବଲ ଦସ୍ୟୁମାନଙ୍କ ଆତ୍ମସମର୍ପଣର ୫୦ ବର୍ଷ ପୂର୍ତ୍ତି ଉତ୍ସବ ମୋରୈନା ଜିଲ୍ଲାର ଜୌରାଠାରେ ପାଳନ କରାଯାଇଛି । ଏପ୍ରିଲ୍‌ ୧୪ ତାରିଖର ସେହି ସ୍ମରଣୀୟ ଦିବସରେ ଆତ୍ମସମର୍ପଣକାରୀଙ୍କ ସ୍ମୃତିରେ ଏକ ଭବ୍ୟ ଉତ୍ସବ ଜୌରାସ୍ଥିତ ମହାତ୍ମାଗାନ୍ଧୀ ସେବା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜଣାଶୁଣା ସମାଜସେବୀ ପି.ଭି. ରାଜଗୋପାଳ ଓ ସେବା ଆଶ୍ରମର ସଞ୍ଚାଳକ ରଣସିଂହ ପର୍‌ମାରଙ୍କ ନେତୃତ୍ୱରେ ଦେଶର ୨୩ଟି ରାଜ୍ୟର ଗାନ୍ଧୀବାଦୀମାନେ ଏକଜୁଟ ହୋଇ ୧୯୭୨ ମସିହାର ସେଇ ଐିତିହାସିକ ମୁହୂର୍ତ୍ତର ସ୍ମୃତିଚାରଣ କରିଛନ୍ତି। ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଏସ୍‌.ଏନ୍‌. ସୁବାରାଓଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଔପଚାରିକ ଭାବେ ଚମ୍ବଲ ଦସ୍ୟୁମାନେ ନିଜନିଜର ବନ୍ଧୁକ ତ୍ୟାଗ କରି ସାଧାରଣ ଜୀବନଯାପନ ଆରମ୍ଭ କରିଥିଲେ।

ଅକ୍ଟୋବର ୨୭, ୨୦୨୧ରେ ଆରପାରିକୁ ଚାଲିଯାଇଥିବା ସୁବାରାଓ ଓରଫ ଭାଇଜୀ ୧୯୬୪ ମସିହାରେ ଚମ୍ବଲର ଜୌରା ଗାଆଁରେ ୧୦ ମାସ ପର୍ଯ୍ୟନ୍ତ ଶିବିର ଚଳାଇଥିଲେ। ଏହି ପ୍ରୟାସର ଫଳ ସ୍ୱରୂପ ୧୯୭୨ରେ କୁଖ୍ୟାତ ଦସ୍ୟୁ ମୋହର ସିଂହ ଓ ମାଧୋ ସିଂହଙ୍କ ସମେତ ୧୨ ଜଣ ଦସ୍ୟୁ ଆତ୍ମସମର୍ପଣ କରିଥିଲେ। ଏହିପରି ଭାବେ ପଛକୁ ପଛ ସମୁଦାୟ ୬୫୪ ଜଣ ଦସ୍ୟୁ ବନ୍ଧୁକ ଓ ହିଂସା ଛାଡ଼ି ସମାଜର ମୁଖ୍ୟ ଧାରାରେ ସାମିଲ ହୋଇ ଶାନ୍ତିମାର୍ଗକୁ ବାଛିଥିଲେ। ଏ ଘଟଣାକ୍ରମ ଦେଶବିଦେଶରେ ଚହଳ ସୃଷ୍ଟି କରିଥିଲା।

 ୫୦ ବର୍ଷ ମଧ୍ୟରେ ସେହି ଆତ୍ମସମର୍ପଣକାରୀ ଦସ୍ୟୁମାନଙ୍କ ମଧ୍ୟରୁ ଅନେକ ଆରପାରିକୁ ଚାଲିଗଲେଣି। ଜୀବିତ ଥିବା ୧୮ ଜଣ ଆତ୍ମସମର୍ପଣକାରୀ ନାଗରିକଙ୍କୁ ଏପ୍ରିଲ ୧୪ରେ ସମ୍ବର୍ଦ୍ଧିତ କରାଯାଇଛି। ଅହିଂସା ଓ ଶାନ୍ତି ପରସ୍ପରର ଅନୁପୂରକ; ଏଇ କଥାଟିକୁ ବିଶ୍ୱବ୍ୟାପୀ ପ୍ରସାର କରିବା ଉଦ୍ଦେଶ୍ୟରେ ଗାନ୍ଧିବାଦ ବିଶ୍ୱାସୀ ବିଭିନ୍ନ ବୟସର ହଜାରେ ଜଣରୁ ଅଧିକ ମହିଳା ଓ ପୁରୁଷ ଏକ ସମ୍ମିଳନୀରେ ଏକାଠି ହୋଇ ସ୍ୱରାଜ, ସ୍ୱାବଲମ୍ବନ ଓ ଶିକ୍ଷା ବିଷୟରେ ଚର୍ଚ୍ଚା କରିଥିଲେ। ଏହି ସମ୍ମିଳନୀରେ ମୋରୈନା ଲୋକସଭା ସଦସ୍ୟ ତଥା କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ତିନିଦିନିଆ ସମ୍ମିଳନୀ ଏପ୍ରିଲ୍‌ ୧୬ରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଭାଇଜୀଙ୍କ ପ୍ରତିଷ୍ଠିତ ଜାତୀୟ ଯୁବା ପ୍ରକଳ୍ପର ଏ ତିନିଦିନିଆ ଯୁବ ତାଲିମ ଶିବିର ଅନୁଷ୍ଠିତ ହେବା ସହ ପି.ଭି. ରାଜଗୋପାଳଙ୍କ ‘‘ଏକତା ପରିଷଦ’’ର ଏକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ନ୍ୟାୟ ଓ ଶାନ୍ତି ପ୍ରସଙ୍ଗରେ ବିଭିନ୍ନ ରାଜ୍ୟ ସରକାରଙ୍କର କ’ଣ ଆଭିମୁଖ୍ୟ ଓ ପ୍ରାଶାସନିକ ଦୃଷ୍ଟିଭଙ୍ଗୀ ରହିଛି, ତାହାକୁ ଅନୁଧ୍ୟାନ କରିବାକୁ ଏଠାରେ ସମବେତ ନାଗରିକମାନେ ନିଜନିଜର ପରବର୍ତ୍ତୀ କାର୍ଯ୍ୟସୂଚୀ ରୂପେ ଗ୍ରହଣ କରି ସ୍ୱସ୍ଥାନ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର