ଭବିଷ୍ୟତରେ ପିଲାଏ ବିଲକ୍ଷଣଯୁକ୍ତ ହେବେ କି, ନାହିଁ ଆଗୁଆ ଡିଏନ୍‌ଏ ଟେଷ୍ଟ୍‍ କରାଉଛନ୍ତି ଚୀନ୍‌ର ବାପାମାଆ

ବେଜିଙ୍ଗ୍‌: ପିଲାଏ ବିଲକ୍ଷଣଯୁକ୍ତ ହେବେ କି, ନାହିଁ ଜାଣିବାକୁ ଚୀନ୍‌ ବାପାମାଆମାନେ ସେମାନଙ୍କ ପିଲାମାନଙ୍କର ଡିଏନ୍‌ଏ ପରୀକ୍ଷା କରାଉଛନ୍ତି ବୋଲି ବ୍ଲୁମ୍‌ବର୍ଗ ରିପୋର୍ଟ କରିଛି। ପିଲାଟି ଡାଇପର୍‌ ପିନ୍ଧିବା ଆଗରୁ କେତେକ ବାପାମାଆ ଜାଣିବାକୁ ଚାହୁଁଛନ୍ତି କି ପ୍ରକାର ବୃତ୍ତି ପିଲାଟିକୁ ସୁହାଇବ।

କ୍ରିସ୍‌ ଜଙ୍ଗ୍‌ ସିଇଓ ଥିବା ହଙ୍ଗ୍‌ କଙ୍ଗ୍‌ର ଆସ୍ଥେଟିକ୍‌ ମେଡିକାଲ୍‌ ଇକ୍ୱିପ୍‌ମେଣ୍ଟ୍‌ କମ୍ପାନି ‘ଗୁଡ୍‌ ୟୁନିୟନ୍‌ କର୍ପୋରେସନ୍‌’ର ରହିଛି ‘ଜିନ୍‌ ଡିସ୍‌କଭରି’। ଗୁଣସୂତ୍ର ପରୀକ୍ଷା ମାଧ୍ୟମରେ ସେମାନଙ୍କର ପିଲାମାନଙ୍କ ଭବିଷ୍ୟତକୁ ରୂପ ଦେବାରେ ସାହାଯ୍ୟ କରିବା ପାଇଁ ପିତାମାତାଙ୍କୁ ପ୍ରତିଶ୍ରୁତି ଦେଉଥିବା କମ୍ପାନିଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଏଠାରେ ଗ୍ରାହକଙ୍କ ଯଥେଷ୍ଟ ଚାହିଦା ରହିଛି।

ଜନ୍ମ ହେବା କ୍ଷଣି କ୍ରିସ୍‌ ଜଙ୍ଗ୍‌ ନିଜ ଝିଅର ଲାଳ ‘ଜିନ୍‌ ଡିସ୍‌କଭରି’କୁ ପରୀକ୍ଷା ନିମନ୍ତେ ଦେଲେ।

Image Source: Hindustan Times

ସେ କହନ୍ତି: ପ୍ରଥମରୁ ମୁଁ ଚାହୁଁଥିଲି ଝିଅ ଡାକ୍ତର କିଂବା ଓକିଲ ହେଉ। କିନ୍ତୁ, ପରୀକ୍ଷା ଫଳ ଦେଖିବା ପରେ ଜଣାପଡ଼ିଲା ତା’ ସ୍ମୃତିଶକ୍ତି ଅତି ମନ୍ଦ। ତେଣୁ ମୁଁ ମୋର ଆଶା ବଦଳାଇଲି। କାରଣ ଡାକ୍ତର କି, ଓକିଲ ହେଲେ ତାକୁ ଅନେକ ପଢ଼ାପଢ଼ି କରିବାକୁ ପଡ଼ିବ ଓ ବହୁତ କଥା ମନେରଖିବାକୁ ପଡ଼ିବ।

ଡିଏନ୍‌ଏ ପରୀକ୍ଷା କରି ପିଲାଙ୍କୁ ତଦନୁଯାୟୀ ଲାଳନପାଳ କରିବାରେ ଜଙ୍ଗ୍‌ ଏକମାତ୍ର ବ୍ୟକ୍ତି ନୁହନ୍ତି।

ସଙ୍ଘାଇର ଜଣେ ମାଆ କହନ୍ତି: ମୁଁ ମୋ ପୁଅର ଭବିଷ୍ୟତ ମେଧା ଜାଣି ସେ ଅନୁସାରେ ତାକୁ ନିର୍ଦେଶ ଦେବାକୁ ଚାହୁଁଛି। ଫଳାଫଳକୁ ବିଶ୍ୱାସ କଲେ ସେ ତାହାକୁ ଉଦାହରଣ ଭାବେ ଉପଯୋଗ କରିହେବ। ବିଶ୍ୱାସ ନ କଲେ ବି ଭଲ, କାରଣ ଏଇଟା କିଛି କ୍ଷତି କରୁନି।

ସମଗ୍ର ବିଶ୍ୱରେ, ବିଶେଷ ଭାବେ ଯୁକ୍ତରାଷ୍ଟ୍ରରେ ଗୁଣସୂତ୍ର ପରୀକ୍ଷଣ ଲାଗି ବିପୁଳ ପରିମାଣରେ ଗ୍ରାହକ ବଢ଼ି ଚାଲିଛନ୍ତି। ସେଠାରେ କମ୍ପାନି ସବୁ ଡିଏନ୍‌ଏ ପରୀକ୍ଷଣ କିଟ୍‌ ବିକ୍ରୟ କରୁଛନ୍ତି।

କେତେକ ଏହି ପରୀକ୍ଷଣରେ ସନ୍ଦେହ ମଧ୍ୟ ପ୍ରକଟ କରୁଛନ୍ତି। ଆଲ୍‌ବର୍ଟା ବିଶ୍ୱବିଦ୍ୟାଳୟର ବାୟୋଟେକ୍‌ସିଟ୍‌ ଟିମୋଥି କଲ୍‌ଫିଲ୍‌ଡ୍‌ କହନ୍ତି: ଡିଏନ୍‌ଏ ପରୀକ୍ଷଣ ଯେ ଜଣଙ୍କର ଜଟିଳ ବୈଶିଷ୍ଟ୍ୟ ବିଷୟରେ କିଛି ତାତ୍ପର୍ଯ୍ୟପୂର୍ଣ୍ଣ କଥା କହିବ ତାହା ଜାଣିବାର ବାଟ ନାହିଁ। ଏଇ ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ଜୀବନ ଯାହା ବଦଳାଇ ଦେଉଛନ୍ତି।

ସମ୍ବନ୍ଧିତ ଖବର