ତମାଖୁ ସେବନ ଉପରେ ଲାଗିପାରୁନି ରୋକ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ପ୍ରତି ବର୍ଷ ମେ ମାସ ୩୧ ତାରିଖକୁ ବିଶ୍ବ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି। ତେବେ ଚଳିତ ବର୍ଷ ତମାଖୁ ବର୍ଜନ ଦିବସର ବିଷୟ ରହିଛି ‘କମିଟ ଟୁ କୁଇଟ୍‌’ ବା ଛାଡ଼ିବା ପାଇଁ ପ୍ରତିବଦ୍ଧ’।

ତମାଖୁ ସେବନ ଯୋଗୁଁ କର୍କଟ ରୋଗୀଙ୍କ ସଂଖ୍ୟା ବହୁଳ ଭାବରେ ବଢ଼ି ଚାଲିଛି। ଏ ନେଇ ବିଭିନ୍ନସ୍ତରରେ ଜନ ସଚେତନତା ମଧ୍ୟ କରା ଯାଉଛି। ତମାଖୁ ସେବନ ଦ୍ବାରା ଫୁସ୍‌ଫୁସ୍, ମୁଖ ଗହ୍ବର, ଜିଭ, ବକ୍ ଯନ୍ତ୍ର , ମୂତ୍ରାଶୟ କର୍କଟ ଭଳି ସାଂଘାତିକ ରୋଗ ହୋଇଥାଏ। କେବଳ ସେତିକି ନୁହେଁ ହୃଦ୍‌ରୋଗର ଆଶଙ୍କା ମଧ୍ୟ ରହିଥାଏ।

ଗ୍ଲୋବାଲ ଆଡଲ୍ଟ ଟବାକୋ ପକ୍ଷରୁ କରାରଯାଇଥିବା ଏକ ସର୍ଭେ ଅନୁଯାୟୀ ଓଡ଼ିଶା ଚୋବାଇ ଖାଇ ହେଉଥିବା ତମାଖୁ ସେବନକାରୀଙ୍କ ସଂଖ୍ୟା ଅଧିକ ରହିଛି। ୪୨.୯% ରୁ ଅଧିକ ଲୋକ କେବଳ ଓଡ଼ିଶାରେ ତମାଖୁ ସେବନ କରନ୍ତି। ରାଜ୍ୟରେ ପ୍ରତି ବର୍ଷ ଏହି ତମାଖୁ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟା କମିଛି। ଗତ ୭ ବର୍ଷ ମଧ୍ୟରେ ଏହାର ବ୍ୟବହାର ୧୦%ରୁ ଖସି ୭%ରେ ପହଞ୍ଚିଛି।

କେବଳ ସେତିକି ନୁହେଁ ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି। ପ୍ରତି ବର୍ଷ ୧୦ ହଜାର ନୂଆ ମୁଖ ଗହ୍ବର କର୍କଟ ରୋଗୀ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତି ୨ ଜଣରେ ଜଣେ ତମାଖୁ ଖାଉଥିବା ରୋଗୀ ମୁଖ ଗହ୍ବର ରୋଗରେ ପୀଡ଼ିତ। ଏହାର ବ୍ୟବହାର ଦ୍ବାରା ପ୍ରତିବର୍ଷ ଦେଶରେ ୮ରୁ ୧୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି।

ତମାଖୁ ସେବନର ଏପରି ପରିସଂଖ୍ୟାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାଜନକ। ଏହାକୁ ଦୃଷ୍ଟିରେ ରଖି ୨୦୧୩ ଜାନୁଆରିରେ ତମାଖୁ ସେବନ, ଉତ୍ପାଦନ ଓ ବିକ୍ରି ଉପରେ କଟକଣା ଲଗାଯାଇଥିଲା। ହେଲେ ନିୟମ ଲାଗୁ ହେବାର ୮ ବର୍ଷ ପରେ ମଧ୍ୟ ଏହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। କିଛିଦିନ ଧରି ଚଢ଼ଉ ଧରପଗଡ଼ ଓ ତତ୍ପରତା ପ୍ରକାଶ ପାଇଥିଲା। ଏବେ ସବୁ ଠପ୍‌ ହୋଇ ପଡ଼ିଛି।

ଓଡ଼ିଶାରେ ପ୍ରତିବର୍ଷ ୩୦ ହଜାର ଲୋକଙ୍କ ତମାଖୁଜନିତ କର୍କଟରେ ମୃତ୍ୟୁ ହୋଇଥାଏ
ଭାରତରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରତିବର୍ଷ ତମାଖୁ ଖାଇ ପ୍ରାଣ ହରାଇ ଥାନ୍ତି। ସେଥିମଧ୍ୟରୁ ୩୦ ହଜାର ଲୋକଙ୍କ ଓଡ଼ିଶାରୁ ମୃତ୍ୟୁ ହୋଇଥାଏ। ଓଡ଼ିଶାରେ ମୁଖ୍ୟତଃ ଗୁଟ୍‌ଖା, ଖଇନି, ପାନ, ନାଶ ଆଦି ଲୋକେ ଅଧିକ ମାତ୍ରାରେ ବ୍ୟବହାର କରନ୍ତି। ତମାଖୁରେ ୭୦୦୦ରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ। ତା’ ଭିତରେ ୬୯ଟି ଏପରି ପଦାର୍ଥ ରହିଛି ଯାହା ମଣିଷକୁ କର୍କଟ ମୁହଁକୁ ଟାଣିନିଏ। ଏହାର ସେବନ ଦ୍ବାରା କେବଳ କର୍କଟ ନୁହେଁ ହୃଦ୍‌ଘାତ, ଟେନ୍‌ସନ, ଗ୍ୟାଷ୍ଟ୍ରିକ୍‌, ସିଓପିଡି, ଅସ୍ଥମା, ଆଲର୍ଜି, ଦୃଷ୍ଟିଶକ୍ତି ହରାଇବା ଭଳି ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ ଲୋକମାନେ ନିଜର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ହରାଇ ବସନ୍ତି। ମାଂଶପେସୀ ଜନିତ ରୋଗ, ମାନସିକ ରାଗ ଓ ଗର୍ଭବତୀ ମହିଳାଙ୍କଠାରେ ଗର୍ଭପାତ ଭଳି ସମସ୍ୟା ମଧ୍ୟ ଦେଖାଯାଏ।
ଡାକ୍ତର ନିହାର ରଞ୍ଜନ ସାମଲ, ସିନିୟର୍ କନସଲଟାଣ୍ଟ, ଅଙ୍କୋଲୋଜି ବିଭାଗ, କ୍ୟାପିଟାଲ୍‌ ହସ୍ପିଟାଲ୍‌

ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ପରେ ରୋଗୀଙ୍କ ସଂଖ୍ୟା କମୁଛି
ସରକାରଙ୍କର ତମାଖୁକୁ ନେଇ କାର୍ଯ୍ୟାନୁଷ୍ଠାନ ଓ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ପରେ ପାଖାପାଖି ୧୫% ତମାଖୁ ଜନିତ ରୋଗୀଙ୍କ ସଂଖ୍ୟା କମିଛି। ତମାଖୁ ସେବନ ଦ୍ବାରା ହୃଦ୍‌ରୋଗ, ଶ୍ୱାସ, ଆସ୍ଥମା, ଆଖି ରୋଗ, ରକ୍ତ ନଳୀରେ ସାମସ୍ୟ‌ା ଦେଖା ଦେଇଥିବାରୁ ଏହା ଓଡ଼ିଶାବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଅଧିକାଂଶ ଯୁବପିଢ଼ି ବା ୨୦ ରୁ ୩୦ ବର୍ଷର ବ୍ୟକ୍ତି ତାମାଖୁ ଖାଇଥାନ୍ତି। ତେବେ ପାଖାପାଖି ୧୦ ବର୍ଷ ଲଗାତାର ଭାବେ ଏହାକୁ ସେବନ କରିବା ପରେ ସେମାନେ ତମାଖୁ ଜନିତ ରୋଗରେ ପୀଡ଼ିତ ହେବା ସହିତ ମୃତୁର ସମ୍ମୁଖୀନ ହୁଅନ୍ତି। ଦୃଢ଼ ଇଚ୍ଛାଶକ୍ତି ବଳରେ ତମାଖୁ ଖାଉଥିବା ଲୋକ ଏହାଠାରୁ ଦୂରେଇ ରହି ପାରିବେ।
ଡାକ୍ତର ଅମିତାଭ ଜେନା, ଅଙ୍କୋଲୋଜିଷ୍ଟ, ଅସ୍ପାୟର ଡାକ୍ତରଖାନା

ସମ୍ବନ୍ଧିତ ଖବର