ଉଚ୍ଚ ଜାତିର ଲୋକଙ୍କ ଜମି ଉପରେ ଯାଇ ପାରିବ ନାହିଁ ଦଳିତଙ୍କ ଶବ, ଦଉଡିରେ ବାନ୍ଧି ତଳକୁ ଖସାଇଲେ ପରିଜନ !

ଭେଲୋର୍ : ଏବେ ବି ଆମ ସମାଜ ଉଚ୍ଚନୀଚ୍ଚ ଭେଦଭାବରୁ ମୁକ୍ତ ନୁହେଁ। ସଂପ୍ରତି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓ  ଏହା ପ୍ରମାଣିତ କରିଛି। ଉଚ୍ଚ ଜାତିର ବ୍ୟକ୍ତିମାନେ ବ୍ୟବହାର କରୁଥିବା ଶ୍ମଶାନରେ ଜଣେ ଦଳିତଙ୍କ ଶବ ସଂସ୍କାରର ଅନୁମତି ନ ଥିବାରୁ ଏବଂ ସେହି ସ୍ଥାନ ଉପର ଦେଇ ଦଳିତଙ୍କ ଶବ ମଧ୍ୟ ନିଆ ଯାଇ ପାରିବ ନାହିଁ ବୋଲି ଏକ ବ୍ରିଜ ଉପରୁ ଶବକୁ ଦଉଡିରେ ବାନ୍ଧି ତଳକୁ ଖସାଯିବା ଘଟଣାକୁ ପଦାରେ ପକାଇଛି ଏହି ଭିଡିଓ।

ଏହି ଭିଡିଓ ଦେଖିଲେ ଆପଣ ଜାଣିପାରିବେ ଯେ ଆଜିର ସମୟରେ ବି କିଛି ଲୋକଙ୍କ ମାନସିକତା ଆଦୌ ପରିବର୍ତ୍ତନ ହୋଇନାହିଁ । ଘଟଣାଟି  ତାମିଲନାଡୁର । ନାରାୟଣପୁରମରେ କୁପ୍ପନ୍ (୫୫) ନାମକ ଜଣେ ବ୍ୟକ୍ତିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଶନିବାର ତାଙ୍କ ଅନ୍ତିମସଂସ୍କାର ପାଇଁ ଯେତେବେଳେ ଶବକୁ ଶ୍ମଶାନ ନିଆଗଲା ତାଙ୍କୁ ରାସ୍ତାରେ ଯିବା ପାଇଁ ଅନୁମତି ମିଳି ନ ଥିଲା । ତେବେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିନାହିଁ । ଗତ ୪ ବର୍ଷ ଧରି ଗାଁ ଶ୍ମଶାନରେ ଜାଗାର ଅଭାବ କାରଣରୁ ଦଳିତ ଲୋକେ ପାଲାର୍ ନଦୀ ପାଖରେ ଥିବା ଶ୍ମଶାନରେ ଶବ ସଂସ୍କାର କରିଆସୁଛନ୍ତି ।

ଶ୍ମଶାନ ଯିବା ବାଟରେ ଚାଷଜମି ପଡୁଥିବାରୁ ଉଚ୍ଚଜାତିର ଲୋକମାନେ ଦଳିତଙ୍କ ଶବ ବୋହିନେବାକୁ ଅଶୁଭ ମନେକରନ୍ତି । ତେବେ ଏହି ପରିସ୍ଥିତିରେ ଶବଙ୍କ ପାଇଁ ମାଧ୍ୟମ ପାଲଟିଛି ଦଉଛି । ଏକ ମୋଟା ଦଉଡି ସାହାଯ୍ୟରେ ଶବକୁ ବାନ୍ଧି ୨୦ ଫିଟ୍ ପୋଲ ତଳକୁ ଅଣାଯାଉଛି ଏବଂ ପୋଲ ତଳେ ଥିବା ଲୋକ ଶବକୁ ନେଇ ନଦୀ ପାଖରେ ଥିବା ଶ୍ମଶାନରେ ଦାହ କରୁଛନ୍ତି । ଗତ ୪ ବର୍ଷ ମଧ୍ୟରେ ଏଭଳି ଚାରୋଟି ଶବକୁ ଦାହ କରାଗଲାଣି । ଦଳିତ ଶ୍ରେଣୀର ଲୋକମାନେ ଏ ନେଇ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ।

ସମ୍ବନ୍ଧିତ ଖବର