ପ୍ରଥମ ଥର ପାଇଁ ଦୁବାଇରେ ଦୀପାବଳି ପାଳନ; ଭାରତୀୟ ଜାତୀୟ ସଂଗୀତ ଗାନ ପରେ ଆରମ୍ଭ ହେଲା ଉତ୍ସବ

ଦୁବାଇ: ଆଲୋକର ପର୍ବ ଦୀପାବଳି ଏବର୍ଷ କିଛି ନିଆରା ଢଙ୍ଗରେ ପାଳନ ହେଉଛି। ପ୍ରଥମ ଥର ପାଇଁ ଭାରତୀୟଙ୍କର ଏହି ବିଶେଷ ପର୍ବକୁ ପାଳନ କରୁଛି ଦୁବାଇ। ଭାରତର ବାଣିଜ୍ୟ ଦୂତାବାସଙ୍କ ସହ ମିଳିତ ଭାବେ ଦୁବାଇ ସରକାର ପ୍ରଥମ ଥର ପାଇଁ ଏକ ୧୦ ଦିନିଆ ଦୀପାବଳି ପାଳନ କରିବାର ଯୋଜନା କରିଛନ୍ତି।

ଏହି ମେଗା ଉତ୍ସବ ମନାଇବା ପାଇଁ ଦୁବାଇର ବହୁ ଉଚ୍ଚ ସ୍ତରୀୟ ବ୍ୟକ୍ତି ଏକଜୁଟ୍‌ ହୋଇଥିବା ସହ ଭାରତର ବାଣିଜ୍ୟ ଦୂତାବାସ ମଧ୍ୟ ସେମାନଙ୍କ ସହ ହାତ ମିଶାଇ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବାରେ ଅଂଶ ଗ୍ରହଣ କରିଛନ୍ତି।

ଦୁବାଇ ବାସିନ୍ଦାଙ୍କ ପାଇଁ ଏହା ପ୍ରଥମ ଦୀପାବଳି। ଏହି ୧୦ ଦିନିଆ ଉତ୍ସବ ନଭେମ୍ବର ୧ରୁ ଆରମ୍ଭ ହୋଇ ୧୦ରେ ଶେଷ ହେବ। ଉତ୍ସବରେ ଆଲୋକ ସଜ୍ଜା ଓ ଦୀପ ଜାଳିବା ବ୍ୟତୀତ ଆହୁରି ଅନେକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବଲିଉଡ୍‌ ଲାଇଭ୍‌ରୁ ନେଇ, ଭାଙ୍ଗଡ଼ା, ବାଣ ଫୁଟା ଆଦି ଏହି ଉତ୍ସବର ସୌନ୍ଦର୍ଯ୍ୟ।

ଦୁବାଇ ପ୍ରଥମ ଦିନ ଭାରତୀୟ ଜାତୀୟ ସଂଗୀତ ଗାଇ ଦୀପାବଳି ପାଳନ ଆରମ୍ଭ କରିଛି। ଟୁଇଟର୍‌ରେ ପୋଷ୍ଟ୍‍ ହୋଇଥିବା ଭିଡିଓଟିରେ ଦୁବାଇ ପୁଲିସ୍‌ ବ୍ୟାଣ୍ଡ୍‌ ବଜାଇ ସଂଗୀତ ପରିବେଶଷ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଦୁବାଇର ଏପରି ଏକ ଆୟୋଜନ ଭାରତୀୟଙ୍କୁ ପୂରା ବିଶ୍ୱରେ ଗର୍ବିତ ଅନୁଭବ କରାଇଛି।

ସମ୍ବନ୍ଧିତ ଖବର