ଇତି ଊଣେଇଶ (ଶିକ୍ଷା) : ଛାଟ

ପ୍ରାଥମିକରୁ ଉଚ୍ଚଶିକ୍ଷା ହେଉ, ଅଥବା ବୈଷୟିକ ଶିକ୍ଷା। ସବୁଠି ବାଜିଛି ସରକାରୀ ଛାଟ। ଅଧ୍ୟାପକଙ୍କ ପାଇଁ ୭ ଘଣ୍ଟା କାର୍ଯ୍ୟ ବାଧ୍ୟତାମୂଳକ ହୋଇଛି। ବାୟୋମେଟ୍ରିକ୍‌ ‌ଉପସ୍ଥାନକୁ ବି କଡ଼ାକଡ଼ି କରାଯାଇଛି। ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀଗୃହରେ ୭୫% ଉପସ୍ଥାନ ଲାଗୁ, ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷାରେ କପି ରୋକିବା ପାଇଁ ସିସିଟିଭି ବ୍ୟବସ୍ଥା, ‘ଜି‌େରା’ ରେଜଲ୍ଟ କରିଥିବା ସ୍କୁଲ ଓ କଲେଜ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ବର୍ଷ ସାରା କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ସଫଳ ହୋଇଛନ୍ତି। ପିଲାଙ୍କ କଅଁଳ କାନ୍ଧରୁ ସ୍କୁଲ ବ୍ୟାଗ୍‌ ବୋଝ କମାଇବାକୁ ଚଢ଼ା‌ଉ କରାଯାଇଛି। ଘରୋଇ ବିଦ୍ୟାଳୟଗୁଡ଼ିକର ମନଇଚ୍ଛା ଫି’ ଆଦାୟ ଉପରେ ରୋକ ଓ ଏନସିଇଆରଟି ବହି ପ୍ରଚଳନକୁ ବାଧ୍ୟତାମୂଳକ କରିବାକୁ ନାଲିଆଖି ଦେଖାଯାଇଛି। ମନ୍ତ୍ରୀ, ସଚିବମାନେ ସ୍କୁଲକୁ ଘନ ଘନ ଗସ୍ତ କରି ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଦୁର୍ଘଟଣା ଏଡ଼ାଇବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବାଇକ୍‌ ବାରଣ ହୋଇଛି। ବଡ଼ଧରଣର ଶିକ୍ଷକ ଆନ୍ଦୋଳନକୁ ଏଡ଼ାଇ ଦେବାରେ ବି କିଛି ମାତ୍ରାରେ ସଫଳ ହୋଇଛନ୍ତି ସରକାର।

ଉପସ୍ଥାପନା: କେଶବ ପାଣି, ଅଳଙ୍କରଣ:ରବି

କ୍ୟାମ୍ପସରେ ନିର୍ବାଚନ ବନ୍ଦ
ଏବର୍ଷ ବି କଲେଜ, ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଚୟନ ହୋଇ ପାରି ନାହାନ୍ତି ଛାତ୍ରନେତା। ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା, ପିଲାଙ୍କ ପାଠପଢ଼ା ଉପରେ ଧ୍ୟାନ ଦେବା, କ୍ଲାସ ପାଇଁ ଅଧିକ ସମୟ ମିଳୁ ନଥିବାରୁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍‌ କରାଯାଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ବିରୋଧର ସ୍ବର ଉଠିଥିଲେ ମଧ୍ୟ ନିଷ୍ପତ୍ତିକୁ ଓହରି ନଥିଲା ଉଚ୍ଚଶିକ୍ଷା ବିଭାଗ। ଯେଉଁ ସମୟରେ ନିର୍ବାଚନ ହେବା କଥା ସେତେବେଳେ ‌ପାଠପଢ଼ା ଚାଲିଥିଲା। କିଛି ଶିକ୍ଷାନୁଷ୍ଠାନ ପରୋକ୍ଷରେ କ୍ୟାମ୍ପସ ପାଇଁ ଛାତ୍ରନେତା ମନୋନୟନ କରିଥିଲେ।

ଇଞ୍ଜିନିୟରିଂକୁ ନା
ପାଠପଢ଼ା ପରେ ନିଯୁକ୍ତି ସୁଯୋଗ ନ ଥିବାରୁ ଇଞ୍ଜିନିୟରିଂ ଓ ଡିପ୍ଲୋମା ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ ମୁହଁ ମୋଡ଼ିଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ନାମଲେଖା ବେଳେ ୪ ହଜାର ୭୩ଟି ବି.ଟେକ୍‌ ସିଟ୍‌ ହ୍ରାସ କରାଯାଇଥିଲା। ଦୁଇଟି ସରକାରୀ ଇଞ୍ଜିନିୟରିଂ କଲେଜରୁ ବି ୧୨୦ ସିଟ୍‌ କମିଥିଲା। ତା’ପରେ ବି ୩୪ ହଜାର ୨୨୩ ସିଟ୍‌ ମଧ୍ୟରୁ ପାଖାପାଖି ୨୦ ହଜାର ସିଟ୍‌ ଖାଲି ପଡ଼ିଥିଲା। ପଲିଟେକନିକ୍‌ରେ ୫୭୦ ସିଟ୍‌ ହ୍ରାସ କରାଯାଇଛି। ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ୨୨ଟି ପାଠ୍ୟକ୍ରମ ବନ୍ଦ ହୋଇଛି।

ସ୍ନାତକରେ ସଂସ୍କାର
ଚଳିତବର୍ଷ ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌) ଢାଞ୍ଚାରେ ସ୍ନାତକ ପାଇଁ ନୂଆ ସିଲାବସ୍‌, ପରୀକ୍ଷା ଓ ପ୍ରଶ୍ନପତ୍ର ବ୍ୟବସ୍ଥାରେ ସଂସ୍କାର, ଉତ୍ତର ଖାତା ମୂଲ୍ୟାୟନରେ ସ୍ବଚ୍ଛତା ଆଣିବା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ଓ ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିଛି। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷାକୁ ନିଷ୍ପତ୍ତି ନିଆଯାଇଛି। ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନାକ୍‌ ମାନ୍ୟତା ପାଇବା କ୍ଷେତ୍ରରେ ସହଯୋଗ କରିବାକୁ ସୋଆ ଓ କିଟ୍‌ ବିଶ୍ବବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ ଦାୟିତ୍ବ ଦେଇଛି ୟୁଜିସି।

ସମ୍ବନ୍ଧିତ ଖବର