ବିଦ୍ୟାଳୟ ଚଳାଇବା ପାଇଁ ଜୋତା ପଲିସ୍‌

ଅନେକ ମହାନ୍‌ ମଣିଷ ଜୀବନରେ ସେବାକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ଜଣେ ନିଆରା ସ୍ବେଚ୍ଛାସେବୀ ହେଉଛନ୍ତି, ତମିଳ ନାଡ଼ୁର ଏସ୍‌ ସେଲଭାକୁମାର। ସେ ଅନାଥ ପିଲାଙ୍କ ନିମନ୍ତେ ‘ମଦର‌୍‌ ଟେରେସା ନର୍ସରି ଆଣ୍ତ୍‌ ପ୍ରାଇମେରି ସ୍କୁଲ୍‌’ ଚଳାଉଛନ୍ତି। ପିଲାଙ୍କ ଖାଦ୍ୟ-ପାନୀୟ, ବହି-ପତ୍ର ତଥା ରହଣି ବ୍ୟୟ ଆଦି ନିଜେ ବହନ କରୁଛନ୍ତି। ସେଲଭାଙ୍କ ସ˚ପର୍କରେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ସେ ଅନାଥ ପିଲାଙ୍କ ଯତ୍ନ ନିମନ୍ତେ ଦାନ, ଭିକ୍ଷା ଆଦି ଉପରେ ନିର୍ଭର କରୁନାହାନ୍ତି। ସେ ଜୋତା ପଲିସ୍‌ରୁ ମିଳୁଥିବା ଅର୍ଥରେ ବିଦ୍ୟାଳୟ ଚଳାଉଛନ୍ତି। ସେଲଭା ମୋଚି ନୁହନ୍ତି। ସେ ଚେନ୍ନଈର ଲୟଲା କଲେଜ୍‌ରୁ ସ୍ନାତକ ପରେ ମାଡ୍ରାସ୍‌ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରିଥିଲେ। ଏବେ ଏକ ଘରୋଇ କଲେଜ୍‌ରେ ଅଧ୍ୟାପନା କରୁଛନ୍ତି। ତେବେ, କେବଳ ଦରମା ଟଙ୍କାରେ ସ୍କୁଲ୍‌ ଚଳାଇବା ଓ ଅନାଥ ପିଲାଙ୍କ ମୁହଁରେ ଦାନା ଦେବା ସମ୍ଭବ ନୁହେଁ। ତେଣୁ, ଅବସର ସମୟରେ ଜୋତା ପଲିସ୍‌ କରୁଛନ୍ତି। ଜୋତା ପଲିସ୍‌ କରୁଥିବା ବେଳେ ସେ ଏକ ବ୍ୟାନର‌୍‌ ଟାଙ୍ଗୁଛନ୍ତି। ବ୍ୟାନର‌୍‌ରେ ଲେଖାଅଛି- ‘ମୋତେ କାମ କରିବାକୁ ସୁଯୋଗ ଦିଅନ୍ତୁ। କାମ ପାଇଁ ପାରିଶ୍ରମିକ ଦିଅନ୍ତୁ। ମୁଁ ଆପଣଙ୍କ ଜୋତା ପୋଛି ସଫାକରିଦେବି। ଆପଣ, ମୋର ପିଲାଙ୍କ ଆଖିରୁ ଲୁହ ପୋଛିବାରେ ସାହାଯ୍ୟ କରନ୍ତୁ।’ ସେଲଭାଙ୍କ ସେବା ମନୋବୃତ୍ତି ଦେଖି କେହି କେହି ଜୋତା ସଫା ବାବଦକୁ ବିପୁଳ ପାରିଶ୍ରମିକ ଦେଉଥିବାରୁ, ତାଙ୍କ ଶିକ୍ଷାନୁଷ୍ଠାନ ଚାଲିବାରେ କୌଣସି ଅସୁବିଧା ହେଉନାହିଁ।

ସମ୍ବନ୍ଧିତ ଖବର