ଚଳଚ୍ଚିତ୍ରରେ ଗାନ୍ଧୀ

ଶୈଳେନ୍ଦ୍ର ଦ୍ୱିବେଦୀ

୧୯୮୨ରେ ମୁକ୍ତି ଲାଭ କରିଥିବା ‘ଗାନ୍ଧୀ’ ଚଳଚ୍ଚିତ୍ରରେ ନିର୍ମାତା ରିଚାର୍ଡ ଆଟେନ୍‌ବରୋ ଆଉ ନାହାନ୍ତି, ତେବେ ଚଳଚ୍ଚିତ୍ରଟି ମହାତ୍ମାଙ୍କୁ ଆନ୍ତର୍ଜାତିକ ସ୍ତରରେ ଏକ ନୂଆ ପରିଚୟ ଦେବାରେ ଆଶାତୀତ ଭାବେ ସଫଳ ହୋଇଛି। ଗାନ୍ଧୀଙ୍କ ସହିତ ନୂଆ ପିଢ଼ିମାନଙ୍କର ପ୍ରଜନ୍ମର ଦୂରତ୍ୱକୁ ଅନ୍ତତଃ ହ୍ରାସ କରିଛି। ଗାନ୍ଧୀଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି ଚଳଚ୍ଚିତ୍ର ନିର୍ମାଣ ହୋଇପାରନଥିଲା। ୧୯୫୩ରେ ତାଙ୍କ ଉପରେ ପ୍ରସ୍ତୁତ ଏକ ଆମେରିକୀୟ ବୃତ୍ତ ଚିତ୍ର ଥିଲା :‘‘ମହାତ୍ମା ଗାନ୍ଧୀ ଟେ୍ଵଂଟିଏଥ୍‌ ସେଞ୍ଜୁରି ପ୍ରଫେଟ୍‌।’’ ‘ୟୁନାଇଟେଡ୍‌ ଆଟିଷ୍ଟିସ’ ପ୍ରଯୋଜନାରେ ନିର୍ମିତ ଏଇ ବୃତ୍ତ ଚିତ୍ରର ନିର୍ଦ୍ଦେଶକ ଥିଲେ ଷ୍ଟାନ୍‌ଲେ ନିଲ୍‌। ତେବେ ଗାନ୍ଧୀ ବଞ୍ଚିଥିବା ସମୟରେ ତାଙ୍କ ଉପରେ ଏକ ବୃତ୍ତ ଚିତ୍ର ନିର୍ମାଣ କରିଥିଲେ ଭାରତୀୟ ଲେଖକ ତଥା ସାମ୍ବାଦିକ ଏ.କେ.ଚେଟ୍ଟିୟାର। କୁହାଯାଏ, ଅଗଷ୍ଟ ୧୫, ୧୯୪୭ରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଥିବା ବିରଳ ଫଟୋ ସମ୍ବଳିତ ଏଇ ଚିତ୍ର ତେଣିକି ୧୯୫୯ ପର୍ଯ୍ୟନ୍ତ ରହସ୍ୟମୟ ଭାବରେ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ସେ ସମୟରେ ଗାନ୍ଧୀଙ୍କ ଫଟୋ ଏବଂ ଭିଡ଼ିଓ ସଂଗ୍ରହ କରିବା ପାଇଁ ଚେଟ୍ଟିୟାର ଦେଶ ଦେଶ ବୁଲିଥିଲେ। ତିନିବର୍ଷ ସମୟ ଲାଗିଥିଲା ଫଟୋ ସଂଗ୍ରହ କରିବା ପାଇଁ। ତେବେ ଚେଟ୍ଟିୟାରଙ୍କ ଛବି ‘ଗାନ୍ଧୀ: ଦି ଟେ୍ଵଂଟିଏଥ୍‌ ସେଞ୍ଚୁରି ପ୍ରଫେଟ୍‌’ ଦେଖିବାର ସୁଯୋଗ ଖୁବ୍‌ କମ୍‌ ଲୋକ ପାଇଥିଲେ। ପରେ ଭାରତରେ କଂଗ୍ରେସ ସରକାରଙ୍କ ନେତୃତ୍ୱ ନେଇଥିଲେ ଜବାହରଲାଲ ନେହରୁ। ଉଲ୍ଲେଖ ଅଛି, ଡିସେମ୍ବର ୧୯୨୩ରେ ରାଜ୍ୟସଭାରେ ଏକ ଆଲୋଚନାରେ ଭାଗ ନେଇ ନେହରୁ ସଦନକୁ ଜଣେଇଥିଲେ ଯେ ଗାନ୍ଧୀଙ୍କ ମୃତ୍ୟୁର ପନ୍ଦର ବର୍ଷ ପୂରିଥିଲେ ହେଁ ଭାରତରେ ତାଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇ ପାରିନାହିଁ।

ସଂଯୋଗକୁ ସେଇ ବର୍ଷ (୧୯୬୩) ଗାନ୍ଧୀଙ୍କ ଉପରେ ନିର୍ମିତ ହୋଇଥିବା ଏକ ଚଳଚ୍ଚିତ୍ର ଥିଲା ‘‘ନାଇନ୍‌ ଆଓ୍ଵାରସ୍‌ ଟୁ ରାମ’’। ଗାନ୍ଧୀଙ୍କ ମୃତ୍ୟୁର (ହତ୍ୟା) ୯ ଘଣ୍ଟା ପୂର୍ବର କମ୍‌ ଐତିହାସିକ ଅଧିକ କାଳ୍ପନିକ ଅବତାରଣା। ଏହାର କାହାଣୀ ଆଧାରିତ ଥିବା ଷ୍ଟାନ୍‌ଲେ ଉଲ୍‌ପଟିଙ୍କ ପୁସ୍ତକ ଉପରେ। ସିନେମାର ଅବଧି ଥିଲା ୧୨୪ ମିନିଟ୍‌। ‘ମହାତ୍ମା: ଲାଇଫ୍‌ ଅଫ୍‌ ଗାନ୍ଧୀ, ୧୮୬୯-୧୯୪୮’ ମୁକ୍ତିଲାଭ କରିଥିଲା ୧୯୬୮ ମସିହାରେ। ଗାନ୍ଧୀଙ୍କ ଜୀବନକୁ ଭିତ୍ତି କରିଥିବା ୩୩୦ ମିନିଟ୍‌ର ଏଇ ବୃତ୍ତଚିତ୍ରକୁ ପ୍ରସ୍ତୁତ କରିଥିଲେ ଗାନ୍ଧୀ ନ୍ୟାସନାଲ ମେମୋରିଆଲ୍‌ ଫଣ୍ଡ। ସହାୟତା ଦେଇଥିଲେ ଫିଲ୍ମି ଡିଭିଜନ ଅଫ୍‌ ଇଣ୍ଡିଆ। ନିର୍ଦ୍ଦେଶନା: ବିଥଲ୍‌ ଭାଇ ଜାଭେରୀ ଏଥିରେ ମଧ୍ୟ ଗାନ୍ଧୀଙ୍କ ବିରଳ ଫଟୋ ସାମିଲ ଥିଲା ଏବଂ ସେ ସମୟରେ ବି ଏକାଧିକ ଭାଷାରେ (ଜର୍ମାନୀ ଓ ଇଂରାଜୀ ସମେତ) ଏହାର ସଂସ୍କରଣ ପ୍ରସ୍ତୁତ ହୋଇଥିଲା। ତେଣୁ ଚଳଚ୍ଚିତ୍ର ଉପରେ ଦର୍ଶକଙ୍କ ମତାମତ ସାଧାରଣ ଥିଲା। ୧୯୯୬ରେ ପ୍ରଦର୍ଶିତ ହେଲା ଶ୍ୟାମ ବେନିଗଲ୍‌ ନିର୍ଦ୍ଦେଶିତ ‘ଦି ମେକିଂ ଅଫ୍‌ ମହାତ୍ମା’। ଭାରତ ଓ ଦକ୍ଷିଣ ଆଫ୍ରିକାର ଯୁଗ୍ମ ସଂଯୋଗରେ ପ୍ରସ୍ତୁତ ହୋଇଥିଲା ଏଇ ଚଳଚ୍ଚିତ୍ର। ଗାନ୍ଧୀଙ୍କ ଭୂମିକାରେ ରଞ୍ଜିତ କପୂର ଏବଂ କସ୍ତୁରବାଙ୍କ ଭୂମିକାରେ ପଲ୍ଲବୀ ଯୋଶୀଙ୍କ ଅଭିନୟ ଉଚ୍ଚକୋଟୀର ଥିଲା। ଭାରତକୁ ଫେରିବା ଆଗରୁ ଦକ୍ଷିଣ ଆଫ୍ରିକାରେ ୨୧ ବର୍ଷର ରହଣି, ସତ୍ୟାଗ୍ରହ ଏବଂ ଅହିଂସା ଆନ୍ଦୋଳନ ସହିତ ଟିକିନିଖି ପରୀକ୍ଷା ଗାନ୍ଧୀଙ୍କୁ ସାଧାରଣରୁ ଅସାଧାରଣରେ ପରିବର୍ତ୍ତିତ କରି ସାରିଥିଲା। ଚିତ୍ରଟି ଆଧାରିତ ଥିଲା ଫତିମା ମୀର୍‌ଙ୍କ ପୁସ୍ତକ ‘ଦି ଆପ୍ରେଟିନ୍ସିସିପ୍‌ ଅଫ ମହାତ୍ମା’ ଉପରେ। ତେଣୁ ପାଠକେ ଜାଣନ୍ତି, ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ବେଳକୁ ଗାନ୍ଧୀ ଆଉ ଶିକ୍ଷାନବୀଶ ହୋଇ ନ ଥିଲେ। ଓସ୍ତାଦ ପାଲଟି ସାରିଥିଲେ। ୨୦୦୦ ମସିହାରେ ଆସିଥିଲା ‘ହେ ରାମ’। ରଚନା, ପ୍ରଯୋଜନା, ନିର୍ଦ୍ଦେଶନା ଦେଇଥିଲେ କମଲ୍‌ ହାସନ୍‌। ଭାରତ ବିଭାଜନ ଏବଂ ଗାନ୍ଧୀଙ୍କ ହତ୍ୟା ପୃଷ୍ଠଭୂମିରେ ନିର୍ମିତ ‘ହେ ରାମ’ ରେ ଗାନ୍ଧୀଙ୍କ ଦୃଶ୍ୟାୟନ ସୀମିତ ଥିଲା ତେବେ ଚଳଚ୍ଚିତ୍ର ପ୍ରଶଂସିତ ହୋଇଥିଲା ଏଇଥିପାଇଁ ଯେ ସାମ୍ପ୍ରତିକ ଭାରତରେ ଧର୍ମକୁ ନେଇ ବିଭାଜନ, ବିଦ୍ୱେଷ ଓ ହିଂସାକୁ ଇଙ୍ଗିତ କରୁଥିଲା ଚିତ୍ରଟି। ୬ ଡିସେମ୍ବର ୧୯୯୨ରେ ଷୋଡଶ ଶତାବ୍ଦୀର ବାବ୍ରି ମସ୍‌ଜିଦ୍‌କୁ ଭାଙ୍ଗି ଦିଆଯାଇଥିଲା। ‘ହେ ରାମ’ ଚଳଚ୍ଚିତ୍ରର ପ୍ରଥମ ଦୃଶ୍ୟ ଆଧାରିତ ଥିଲା ୬ ଡିସେମ୍ବର ୧୯୯୯ ଉପରେ, ଯେଉଁଦିନ ବାବ୍ରି ମସ୍‌ଜିଦ୍‌ ଧ୍ୱଂସର ସପ୍ତମ ବାର୍ଷିକୀ ଥିଲା। ୨୦୦୫ରେ ଜାହ୍ନ ବରୁଆଙ୍କ ନିର୍ଦ୍ଦେଶିତ ‘ମୈନେ ଗାନ୍ଧୀକୋ ନେହିଁ ମାରା’ ଥିଲା ପୃଥକ୍‌ ସ୍ୱାଦର ଚଳଚ୍ଚିତ୍ର। ଚମତ୍କାର ମନସ୍ତାତ୍ତ୍ୱିକ ଅନୁଶୀଳନ। ଅବସରପ୍ରାପ୍ତ ପ୍ରଫେସର ଉତ୍ତମ ଚୌଧୁରୀଙ୍କ ଭୂମିକାରେ ଅନୁପମ ଖେର୍‌ଙ୍କ ବଳିଷ୍ଠ ଅଭିନୟ ଦର୍ଶକକୁ ହଲଚଲ କରି ଦେବା ପାଇଁ ଯଥେଷ୍ଟ ଥିଲା। ପ୍ରଫେସର ଉତ୍ତମଙ୍କର ପଛ କଥା ଠିକ୍‌ ଠିକ୍‌ ମନେ ରହୁନି, ତେବେ ପିଲାଦିନର ଏକ ଅଭିଜ୍ଞତା ତାଙ୍କୁ ମନେ ପକାଇ ଦେଉଛି ଯେ ନାଥୁରାମ୍‌ ଗଡ୍‌ସେ ନୁହେଁ, ସେ ନିଜେ ହିଁ ଗାନ୍ଧୀଙ୍କ ହତ୍ୟାକାରୀ। ତେବେ ଜାଣିଜାଣି ସେ ମହାତ୍ମାଙ୍କୁ ହତ୍ୟା କରିନାହାନ୍ତି। ସେଥିପାଇଁ ସେ ଅନୁତପ୍ତ ଏବଂ କହିବା ପାଇଁ ଚେଷ୍ଟା କରୁଛନ୍ତି ଯେ ଗାନ୍ଧୀଙ୍କୁ ସେ ହତ୍ୟା କରିନାହାନ୍ତି।

୨୦୦୬ରେ ମୁକ୍ତିଲାଭ କରିଥିଲା ରାଜକୁମାର ହିରାନୀଙ୍କ ‘ଲଗେ ରହୋ ମୁନ୍ନାଭାଇ’। ଯେଉଁମାନେ କେବଳ ସମାନ୍ତରାଳ ସିନେମା ନଚେତ୍‌ ବୃତ୍ତଚିତ୍ରରେ ଖାସ୍‌ ରୁଚି ରଖନ୍ତି, ସେମାନେ ମଧ୍ୟ ବଲିଉଡ଼ର ଏଇ ମୁଖ୍ୟସ୍ରୋତର ଛବିକୁ ତାରିଫ ନ କରି ରହିପାରିନଥିଲେ। ବିଶୁଦ୍ଧ ମନୋରଂଜନ ପରିବେଷଣ ପାଇଁ ପ୍ରୟାସୀ, ଅଥଚ ଆବେଗଧର୍ମୀ ଏଇ ଚିତ୍ରରେ ନାୟକ ମୁନ୍ନାଭାଇ (ଅଭିନୟରେ ସଂଜୟ ଦତ୍ତ) ପ୍ରଥମେ ଦାଦାଗିରି କରୁଛନ୍ତି। ଗାନ୍ଧୀ ନାୟକର ବୋହେମିଆନ୍‌, ବିନ୍ଦାସ ଜୀବନଚର୍ଯ୍ୟାରେ ଆସୁଛନ୍ତି ଏକ ‘ଭ୍ରମ’ ହୋଇ। ଅତ୍ୟନ୍ତ ନାଟକୀୟ ଭାବରେ ଅବଚେତନରେ। ଏକଥା ସତ, ଗାନ୍ଧୀ ନାୟକ ଭିନ୍ନ ଆଉ କାହାକୁ ଦିଶୁ ନାହାନ୍ତି, ତାଙ୍କ କଥା ଆଉ କେହି ଶୁଣି ପାରୁନାହାନ୍ତି, ମାତ୍ର ଥରେ ଆସିଯିବା ପରେ ବାପୁ ମୁନ୍ନାଭାଇର ହୃଦୟରେ ରାଜ କରୁଛନ୍ତି। ନାୟକ ଦାଦାଗିରି କରିବା ଏକାବେଳକେ ବନ୍ଦ କରୁନାହାନ୍ତି, କିନ୍ତୁ ଜୀବନକୁ ସରଳ ଓ ସତ୍ୟନିଷ୍ଠ ଭାବରେ ସାମ୍‌ନା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ହିଂସା ନୁହେଁ, ଶାନ୍ତିର ହାତ ଧରୁଛନ୍ତି। ପ୍ରେକ୍ଷାପଟ୍ଟର ଅଣନାଟକୀୟତା ଏବଂ ନାୟକର କ୍ରମବିବର୍ତ୍ତନ ଚଳଚ୍ଚିତ୍ରର ଗୁରୁତ୍ୱପୂର୍ଣ୍ଣ ବିଭବ। ସିନେମାରେ ଗାନ୍ଧୀ ପଦଯାତ୍ରା କରି ନାହାନ୍ତି, ଅନଶନରେ ବସିନାହାନ୍ତି, ସତ୍ୟ ଉପରେ ଭାଷଣ ଦେଉନାହାନ୍ତି, ଚରଖାରେ ସୂତା ବି କାଟୁନାହାନ୍ତି। ସବୁଠୁ ମଜା କଥା ହେଲା, ଚଳଚ୍ଚିତ୍ରରେ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାର ଦିଲ୍ଲୀପ ପ୍ରଭାକରଙ୍କ ଚେହେରା ଆଦୌ ଗାନ୍ଧୀଙ୍କ ପରି ଲାଗୁନାହିଁ: ତଥାପି ଗାନ୍ଧୀଙ୍କ ଯାଦୁ ଦର୍ଶକଙ୍କୁ ଅଭିଭୂତ କରୁଛି। ଏକ ନିରୋଳା ବ୍ୟାବସାୟିକ ସିନେମାକୁ ନିର୍ଦ୍ଦେଶକ ରାଜକୁମାର ହିରାନୀ ଗାନ୍ଧୀ ବିଚାରର ନବ୍ୟ ନମୂନା ଭାବରେ ଗ୍ରହଣ କରିବାରେ ନିର୍ଣ୍ଣାୟକ ହୋଇଛି ଗାନ୍ଧୀ ବିଚାରର ଏକଦମ ଅଣନାଟକୀୟ, ଅଣ ପାରମ୍ପରିକ ପରିବେଷଣ। ସତ୍ୟାଗ୍ରହୀ ହେବା ପାଇଁ ସ୍ୱତନ୍ତ୍ର ତାଲିମର ପ୍ରୟୋଜନ ନାହିଁ, ଖଦଡ଼/ଟୋପି ପିନ୍ଧିବା ବାଧା ଜମାରୁ ନୁହେଁ- ସତ୍ୟ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ଯାହା ଲୋଡ଼ା। ଦର୍ଶକମାନଙ୍କୁ ଖୁବ୍‌ ଭେଦିଥିବା ଚଳଚ୍ଚିତ୍ରଟି। ଅବଶ୍ୟ ସମାଲୋଚନା ମଧ୍ୟ ହୋଇଥିଲା ଯେ ଦାଦାଗିରି ପରି ଗାନ୍ଧୀଗିରିକୁ ପ୍ରୋତ୍ସାହନ ମିଳୁଛି ଚିତ୍ରରେ, ତେଣୁ ମତମତାନ୍ତର ଗୁରୁତ୍ୱପୂର୍ଣ୍ଣ ନ ଥିବା ଚଳଚ୍ଚିତ୍ରର ସାମଗ୍ରିକ ଆବେଦନ ତୁଳନାରେ। ଗାନ୍ଧୀଗିରି ଗାନ୍ଧୀ ପ୍ରବର୍ତ୍ତିତ ଜୀବନଚର୍ଯ୍ୟାର ନୂଆ ସଂସ୍କରଣ ହୋଇପାରେ, କିନ୍ତୁ ଗାନ୍ଧୀବାଦର ବିରୋଧ ବିଲକୁଲ ନୁହେଁ।

ଏ ପର୍ଯ୍ୟନ୍ତ ଆମେ ଆଲୋଚନା କରୁଥିଲେ ଗାନ୍ଧୀଙ୍କ ଉପରେ ନିର୍ମିତ ପ୍ରମୁଖ ଭାରତୀୟ ଚଳଚ୍ଚିତ୍ରମାନଙ୍କ ଉପରେ। ତେବେ ବିଶ୍ୱ ସମ୍ଭବତଃ ଯେଉଁ ଚଳଚ୍ଚିତର ଅପେକ୍ଷା ରଖିଥିଲା, ତାହା ମୁକ୍ତିଲାଭ କରିଥିଲା ୧୯୮୨ରେ। ‘ଗାନ୍ଧୀ’। ଏହାର କାହାଣୀ କିଛି କମ୍‌ ରୋଚକ ନୁହେଁ। କୁହାଯାଏ, ଇଂଲଣ୍ଡରେ ରହୁଥିବା ଜଣେ ଭଦ୍ରବ୍ୟକ୍ତିଙ୍କ ଠାରୁ ଟେଲିଫୋନ ପାଇଲେ ରିଚାର୍ଡ଼ ଆଟେନ୍‌ବରୋ ୧୯୬୨ ମସିହାର କୌଣସି ଏକ ଦିନରେ। ତାଙ୍କୁ ଅନୁରୋଧ କରାଯାଇଥିଲା ଗାନ୍ଧୀଙ୍କୁ ନେଇ ରିଚାର୍ଡ଼ ଏକ ଚଳଚ୍ଚିତ୍ର ନିର୍ମାଣ କରନ୍ତୁ। ପ୍ରଥମେ ଆଟେନ୍‌ବରୋ ରାଜି ନ ଥିଲେ। ତେବେ ଭଦ୍ରବ୍ୟକ୍ତି ନିଜ ଅନୁରୋଧରେ ଅଟଳ ଥିଲେ। ସେ ପ୍ରସ୍ତାବ ଦେଲେ, ପ୍ରଥମେ ଆଟେନ୍‌ବରୋ ଲୁଇ ଫିସର୍‌ ଲେଖିଥିବା ଗାନ୍ଧୀଙ୍କ ଜୀବନୀ ପଢ଼ନ୍ତୁ। ଏହାହିଁ ଆରମ୍ଭ କରିଥିଲା ଚଳଚ୍ଚିତ୍ର ନିର୍ମାଣର ଅସର କାହାଣୀ। ‘ଗାନ୍ଧୀ’ ଛବି ପାଇଁ ୨୦ ବର୍ଷର ଦୀଘଯାତ୍ରା ତାଙ୍କୁ ଯଥେଷ୍ଟ ଅଭିଜ୍ଞ କରାଇ ସାରିଥିଲା। ସବୁଠୁ ବଡ଼ ପ୍ରତିବନ୍ଧ ଥିଲା ସିନେସା ପାଇଁ ଅର୍ଥ ଯୋଗାଡ଼ କରିବା। ମଝିରେ ଏମିତି ସମୟ ଆସିଲା ଯେତେବେଳେ ଆଟେନ୍‌ବରୋ ଭାବିଲେ ଯେ ସେ ଦେବାଳିଆ ହୋଇ ସାରିଛନ୍ତି! ଚଳଚ୍ଚିତ୍ରରେ ଅଦ୍ଭୁତ ଅଭିନୟ କରିଥିଲେ ଗାନ୍ଧୀ ଭୂମିକାରେ ବେନ୍‌ କିଙ୍ଗସେ୍‌ଲେ। ଛବିର ନିୟମିତ ଅଭିନେତା ଅଭିନେତ୍ରୀଙ୍କୁ ବାଦ ଦେଲେ ନିର୍ମାତା ୩ ଲକ୍ଷରୁ କିଛି ଅଧିକ ଲୋକଙ୍କୁ ଅଭିନୟରେ ସାମିଲ କରିଥିଲେ। (ଏମାନଙ୍କୁ କୁହାଯାଏ ଏକ୍ସଟ୍ରା)। ଜଣେ ବି କେହି ପେସାଦାର ଅଭିନେତା ଏକ୍ସଟ୍ରା ମଧ୍ୟରୁ ନ ଥିଲେ। ମହାତ୍ମାଙ୍କ ହତ୍ୟା ଦୃଶ୍ୟର ଚିତ୍ରୋତ୍ତଳନ ପାଇଁ ତିନିଦିନ ସମୟ ଲାଗିଥିଲା। ଶେଷଦିନ ଅନ୍ତତଃ ୧୦ ଥର ରିଟେକ ପରେ ସବୁ ଠିକ୍‌ ହେଲା ବୋଲି ମୋହର ମାରିଥିଲେ ନିର୍ଦ୍ଦେଶକ। ନାଥୁରାମ ଗଡ଼୍‍ସେ ଗାନ୍ଧୀଙ୍କ ଉପରକୁ ଗୁଳି ଚଳେଇବା ଆଗରୁ ଅଭିନେତା ବେନ୍‌ କିଙ୍ଗସେ୍‌ଲେଙ୍କ ପ୍ରତିକ୍ରିୟା (ମୁଖମଣ୍ଡଳ) ବଦଳି ଯାଉଥିଲା। ଆଟେନ୍‌ବରୋ ବେନ୍‌ଙ୍କୁ କହୁଥିଲେ ‘ଗୁଳି ଶବ୍ଦ ଶୁଭିବା ଆଗରୁ ତୁମର ମୁହଁର ଭାବଭଙ୍ଗୀ ସ୍ୱାଭାବିକ ରହିବା ଦରକାର। ଗାନ୍ଧୀଙ୍କ ସମୟର ବ୍ରିଟିସ୍‌ ପରିଧାନ ଏବଂ ଅନ୍ୟାନ୍ୟ ଆସବାବ ପତ୍ର ଯୋଗାଡ଼ କରିବା ପାଇଁ ନାକେ ଦମ୍‌ ହୋଇଥିଲେ ଟିମ୍‌। ୧୯୮୦ରୁ ୧୯୪୦ ଭିତରେ ବ୍ୟବହୃତ ୬୫୦ ହଳ ବିଲାତି ପୋଷାକ, ଶହ ଶହ ହଳ ହାତମୋଜା, ହ୍ୟାଣ୍ଡ ବ୍ୟାଗ୍‌, ୨୫୦ ହଳ ଜୋତା, ଆର୍ମି ପୋଷାକ/ୟୁନିଫର୍ମ- ଏସବୁ ବ୍ରିଟେନ୍‌ରୁ ଅଣା ଯାଇଥିଲା ଭାରତକୁ। ସୁଟିଂ ପାଇଁ। ଚଳଚ୍ଚିତ୍ରରେ ଯେଉଁ ବିଶିଷ୍ଟ ଘଟଣାବଳୀ ନିଖୁଣ ଭାବରେ ପ୍ରଦର୍ଶିତ କରିବା ପାଇଁ ଚେଷ୍ଟା କରାଯାଇଥିଲା ସେସବୁ ଭିତରେ ଥିଲା ଚୌର-ଚୌରା ଥାନା ପୋଡ଼ି, ଦାଣ୍ଡିଯାତ୍ରା, ୧୯୧୬ର ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନ ଏବଂ ଗାନ୍ଧୀଙ୍କ ଅନ୍ତିମ ଯାତ୍ରା। ସିନେମାରେ ପାଞ୍ଚ ହଜାରରୁ କିଛି ଅଧିକ ଲୋକଙ୍କୁ ଖଦୀ ପିନ୍ଧିବା ପାଇଁ ପଡ଼ିଥିଲା। ଆଠଟି ‘ଓସ୍କାର’ ସହିତ ଆଟେନ୍‌ବରୋଙ୍କ ‘ଗାନ୍ଧୀ’ ସେତେବେଳେ ଚଳଚ୍ଚିତ୍ର ଜଗତରେ ରେକର୍ଡ଼ କରିଥିଲା। ଜଣେ ସମୀକ୍ଷକ ଲେଖିଥିଲେ ଆଟେନ୍‌ବରୋଙ୍କ ‘ଗାନ୍ଧୀ’ ସଫଳ ହେବା ପଛରେ ରହିଥିବା ଗୋଟିଏ ବଡ଼ କାରଣ। ‘‘ଯେଉଁମାନେ ଗାନ୍ଧୀଙ୍କୁ ପ୍ରକୃତରେ ଭଲ ପାଉଥିଲେ ସେଇମାନେ ହିଁ ଚଳଚ୍ଚିତ୍ରଟି ସହିତ ସମ୍ପୃକ୍ତ ଥିଲେ।’’ ଆଉ ଯେଉଁମାନେ ଦିନେ ଆଟେନ୍‌ବରୋଙ୍କୁ ଥଟ୍ଟା କରିଥିଲେ, ‘‘ଜଣେ କଳା, ଅନାକର୍ଷଣୀୟ, କମ୍‌ ଉଚ୍ଚତାର ଭାରତୀୟ ଉପରେ ଏମିତି କ’ଣ ସିନେମା ତୁମେ କରିବା ପାଇଁ ଚାହୁଁଛ?’’, ସେମାନେ ନୀରବ ହୋଇ ସାରିଥିଲେ।

ପାଠକେ, ଯାହାଙ୍କ ଉପରେ ସାମାନ୍ୟ ବିଳମ୍ବରେ ହେଲେ ହେଁ ଏତେ ସଫଳ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ସେ କୁଆଡ଼େ ତାଙ୍କ ଜୀବନ କାଳ ଭିତରେ ମାତ୍ର ଦୁଇଟି ସିନେମା ଦେଖିଥିଲେ। ୧୯୪୩ରେ ‘ମିସନ୍‌ ଟୁ ମସ୍କୋ’ ଏବଂ ୧୯୪୪ରେ ବିଜୟ ଭଟ୍ଟଙ୍କ ‘ରାମରାଜ୍ୟ’। ଯୋଡ଼ିଏରୁ ଗୋଟିଏ ବି ଛବି ସେ ପୂରା ଦେଖିନଥିଲେ। ତେବେ ସମ୍ବାଦପତ୍ରରେ ସେତେବେଳେ ଖବର ପ୍ରକାଶ ପାଇଥିଲା, ‘ରାମରାଜ୍ୟ’ ଦେଖିବା ପରେ ଗାନ୍ଧୀ ଆପାତତଃ ଖୁସି। ତେଣୁ ଏଇଠି କହିଥିଲେ, ଯେ ଚଳଚ୍ଚିତ୍ର ଏକ ବଳିଷ୍ଠ ମାଧ୍ୟମ (ଗଣ)- ଏଥିରେ ତାଙ୍କର ବିଶ୍ୱାସ ନ ଥିଲା। ଗାନ୍ଧୀଙ୍କ ସହିତ ସେ ସମୟର ଅନ୍ୟତମ ଚର୍ଚ୍ଚିତ ଚେହେରା ଚାର୍ଲି ଚାପଲିନ୍‌ଙ୍କ ସହିତ ମୁଖ୍ୟ ସାକ୍ଷାତ ହୋଇଥିଲା। ୨ୟ ଗୋଲ ଟେବୁଲ୍‌ ବୈଠକ ଅବସରରେ ଗାନ୍ଧୀଙ୍କ ସହିତ କଥାବାର୍ତ୍ତା ପରେ ଚାପଲିନ୍‌ ଏବେ ପ୍ରଭାବିତ ହୋଇ ପଡ଼ିଥିଲେ ଯେ ପରବର୍ତ୍ତୀ ସମୟରେ ଚାପଲିନ୍‌ଙ୍କ ଚଳଚ୍ଚିତ୍ର ‘ମର୍ଣ୍ଣେ ଟାଇମ୍‌ସ’ ଗାନ୍ଧୀଙ୍କ ଚିନ୍ତନକୁ ପ୍ରତିଫଳିତ କରିଥିଲା। ଉଭୟ ଚାହୁଁଥିଲେ, ଆଧୁନିକ ଯନ୍ତ୍ରପାତି ମଣିଷ ଜାତିର କଲ୍ୟାଣ କରୁ, କିନ୍ତୁ ମଣିଷ ମେସିନ୍‌ ପାଇଁ ନିଯୁକ୍ତି ସୁଯୋଗରୁ ବଞ୍ଚିତ ନ ହେଉ। ଗାନ୍ଧୀଙ୍କ ଜନ୍ମର ୧୫୦ ବର୍ଷ ପରେ ଆଜି ବି ସେ ପ୍ରାସଙ୍ଗିକ ହୋଇ ରହିଛନ୍ତି। ହୁଏତ ପର୍ଯ୍ୟାବରଣ, ସାମାଜିକ ନ୍ୟାୟ ଏବଂ ଗାଣତାନ୍ତ୍ରିକ ପ୍ରତିବାଦ ପରି କ୍ଷେତ୍ରମାନଙ୍କର ଅଧିକ ପ୍ରାସଙ୍ଗିକ ହୋଇ ରହିଛନ୍ତି। ନିଜ ଜୀବନକାଳରେ ଗାନ୍ଧୀ ଉଭୟ ବ୍ୟକ୍ତିଗତ ଏବଂ ରାଜନୈତିକ/ସାମାଜିକ ଜୀବନରେ କିଛି କମ୍‌ ବିତର୍କିତ ନ ଥିଲେ। ଆଜି ବି ଗାନ୍ଧୀଙ୍କ ନିନ୍ଦୁକମାନଙ୍କ ସଂଖ୍ୟା କିଛି କମ୍‌ ନାହିଁ। ବ୍ରହ୍ମଚର୍ଯ୍ୟକୁ ନେଇ ପରୀକ୍ଷା ନିରୀକ୍ଷା, ଅନଶନକୁ ରୀତିମତ ଧମକ ଭାବରେ ବ୍ୟବସାୟ କରି ପରୋକ୍ଷରେ ହିଂସାକୁ ପ୍ରଶ୍ରୟ ଦେବା, ଦଳିତ ମାନଙ୍କୁ ‘ହରିଜନ’ ଆଖ୍ୟା ଦେଲେ ବି ବର୍ଣ୍ଣାଶ୍ରମ ପ୍ରଥାକୁ ପରୋକ୍ଷ ସମର୍ଥନ କରିବା, ଜଗତ୍‌ସିଂହଙ୍କ ଫାଶୀ ପ୍ରସଙ୍ଗରେ ସନ୍ଦିଗ୍ଧ ନୀରବତା ଅବଲମ୍ବନ ଓ ଭାରତ ବିଭାଜନରେ ଗାନ୍ଧୀଙ୍କ ଭୂମିକାକୁ ନେଇ ତାଙ୍କ ସମୟରେ ଓ ତାଙ୍କ ପରେ କି ବିରୋଧ, ବିତର୍କ ଏବଂ ବିଷୋଦ୍‌ଗାର ସବୁ ଅବ୍ୟାହତ ରହିଛି। ତଥାପି, ଏସବୁ ସତ୍ତ୍ୱେ ବି ଚାହିଁଲେ ଆପଣ ଗାନ୍ଧୀଙ୍କୁ ଆବିଷ୍କାର କରିବେ ଏକ ଉଦ୍‌ଭାସିତ, ଅନନ୍ୟ ଏବଂ ଅନ୍ତରଙ୍ଗ ଚକଡ଼ାରେ। ସେକଥା ଆପଣଙ୍କ ଉପରେ ନିର୍ଭର କରେ।

ମୋ-୯୪୩୭୧୩୭୦୬୦

ସମ୍ବନ୍ଧିତ ଖବର