ଆତଙ୍କିତ ହୁଅନି, କରୋନା ବିରୋଧରେ ଲଢ଼: ରାଜ୍ୟପାଳ

ସରକାର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ନେଇଛନ୍ତି

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ପୃଥିବୀର ମାନବଜାତି ପାଇଁ ଏକ ଆହ୍ବାନ ଭାବେ ଦେଖାଦେଇଛି। ଏହାର ସଫଳ ମୁକାବିଲା ନିମନ୍ତେ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଦରକାର। ଓଡ଼ିଶା ସରକାର ଅନେକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ନେଇଛନ୍ତି। ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ନିୟମିତ ସମୀକ୍ଷା ଓ ଆବଶ୍ୟକତା ମୁତାବକ ତ୍ବରିତ ପ‌ଦକ୍ଷେପ ନେଉଛନ୍ତି। ନିଜକୁ ତଥା ଅନ୍ୟମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ସହଯୋଗ ଓ ସକରାତ୍ମକ କ୍ରିୟାଶୀଳତା ପ୍ରଦର୍ଶନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି।

ରାଜ୍ୟପାଳ କହିଛନ୍ତି, ପ୍ରକୃତି ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଦାୟିତ୍ବପୂର୍ଣ୍ଣ ଜୀବନଶୈଳୀ ହେଉଛି ସୃଷ୍ଟିର ମୂଳମନ୍ତ୍ର। ଏଥିରେ ବିଚ୍ୟୁତି ହେଲେ ଅନେକ ବିଭ୍ରାଟ ସୃଷ୍ଟି ହୁଏ ଓ କରୋନା ପରି ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ। ଆଧ୍ୟାତ୍ମିକତା ହେଉଛି ଭାରତୀୟତାର ଆତ୍ମା। ଏହାକୁ ଆଧାର କରି ଜୀବନଯାପନ କରିବା ବିଧେୟ। ଓଡ଼ିଶା ହେଉଛି ଦିବ୍ୟଭୂମି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେସ୍ଥାନ। ଓଡ଼ିଶାର ଜନଜୀବନ ଆଧ୍ୟାତ୍ମିକ ଭାବଧାରାରେ ପରିଚାଳିତ। ମହାପ୍ରଭୁଙ୍କ ଛତ୍ରଛାୟାରେ ରହିଛି ଓଡ଼ିଶା। ଏଠାରେ କୌଣସି ପ୍ରାକୃତିକ ବିପର୍ଯ୍ୟୟର ଆଶା କରାଯାଇ ନ ପାରେ। ଯେ କୌଣସି ବିପଦକୁ ସାମ୍ନା କରିବାକୁ ଓଡ଼ିଶାବାସୀଙ୍କ ନିକଟରେ ନୈତିକ ଶକ୍ତି ଓ ମାନସିକ ସାମର୍ଥ୍ୟ ରହିଛି। ଏଣୁ ଆତଙ୍କିତ ନ ହୋଇ ଏହି ମହାମାରୀ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ପ୍ରଫେସର ଲାଲ ପରାମର୍ଶ ଦେଇଛନ୍ତି।

ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲ‌‌ଢ଼ି ବିଜୟ ହାସଲ କରିଛି ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି। କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଦର୍ଶ ଭୂମିକା ନେବ। ଏଥି ପାଇଁ ସମ୍ମିଳିତ ପ୍ରୟାସ ଓ ପ୍ରତିରୋଧମୂଳକ ବ୍ୟବସ୍ଥାର ପ୍ରୟୋଗ ଆବଶ୍ୟକ। ତେବେ ଏହି ସ୍ଥିତିରେ ମାନବ ସମାଜ ପାଇଁ ଯେଉଁ ବାର୍ତ୍ତା ରହିଛି, ତାହାକୁ ଗ୍ରହଣ କରି ଭବିଷ୍ୟତର କାର୍ଯ୍ୟପନ୍ଥା, ଜୀବନଶୈଳୀ ଓ ପ୍ରକୃତି ଅନୁକୂଳ ଭାବଧାରାକୁ ଆପଣାଇବାକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର