ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟ କର୍ମଚାରୀମାନଙ୍କୁ ଦରମା ମିଳିବାରେ ଆଉ ବିଳମ୍ବ ହେବନି

ଭୁବନେଶ୍ବର : ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାରଙ୍କୁ କର୍ମଚାରୀମାନଙ୍କୁ ଦରମା ମିଳିବାରେ ଆଉ ବିଳମ୍ବ ହେବନାହିଁ। ୨୦୨୦-୨୧ ଆର୍ଥିକ ବର୍ଷରୁ ଡ୍ରଇଙ୍ଗ୍‌ ଆଣ୍ଡ୍‌ ଡିଷ୍ଟ୍ରିବ୍ୟୁଟିଂ ଅଫିସର (ଡିଡିଓ)ମାନେ ବିନା ଆବଣ୍ଟନରେ (ଆଲଟ୍‌ମେଣ୍ଟ୍‌ରେ) ଟଙ୍କା ଉଠାଇପାରିବେ। ରାଜ୍ୟରେ ସମନ୍ବିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇଏଫ୍‌ଏମ୍‌ଏସ୍‌) ଓ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚ୍‌ଆର୍‌ଏମ୍‌ଏସ୍‌) ଭଳି ପ୍ରଯୁକ୍ତି ବ୍ୟବସ୍ଥାକୁ ସଫଳତାର ସହ ଲାଗୁ କରାଯାଇଥିବାରୁ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା ଦେବା ଲାଗି ସୁଯୋଗ ସୃଷ୍ଟି ହୋଇଛି। କର୍ମଚାରୀମାନେ ମାସର ପ୍ରଥମ ଦିନରେ ଦରମା ପାଇପାରିବେ। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା ସମସ୍ତ ବିଭାଗର ସଚିବମାନଙ୍କୁ ପଠାଇଥିବା ଏକ ଚିଠିରୁ ଜଣାପଡ଼ିଛି ଯେ ଡିଡିଓମାନେ ଆବଣ୍ଟନ ଉପସ୍ଥାପନ ନକରି ବେତନ ବାବଦ ଖର୍ଚ୍ଚ, ଉତ୍ସବ ଅଗ୍ରୀମ ଏବଂ ସୁଧ ବହନ କରୁଥିବା ଅଗ୍ରୀମ ବାବଦ ଅର୍ଥରାଶିକୁ ହାସଲ କରିପାରିବେ। କେନ୍ଦ୍ରୀୟ ଆବଣ୍ଟନରୁ ସିଧାସଳଖ ଏହି ଅର୍ଥ ହାସଲ କରିହେବ। ଡିଡିଓମାନେ ଯେତିକି ଟଙ୍କା ଉଠାଇବେ ସେହି ଅନୁସାରେ ତାହା କେନ୍ଦ୍ରୀୟ ଆବଣ୍ଟନରୁ କଟି ଚାଲିବ। ବାସଗୃହ କୋଠା, କାର୍ ଓ ମୋଟରସାଇକଲ୍ କିଣିବା ଓ କମ୍ପ୍ୟୁଟର କିଣିବା ଲାଗି ଅଗ୍ରୀମ ରାଶିକୁ ବିନା ଆବଣ୍ଟନରେ ଡିଡିଓମାନେ ହାସଲ କରିପାରିବେ।

ସମ୍ବନ୍ଧିତ ଖବର