କରୋନାକୁ ନେଇ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଇନଜୀବୀ ସଂଘ ନିର୍ବାଚନ ଘୁଞ୍ଚିଲା, ମାର୍ଚ୍ଚ ୨୮ ପରିବର୍ତ୍ତେ ଏପ୍ରିଲ ୨୫ରେ ହେବ

କଟକ : କରୋନାକୁ ନେଇ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୮‌ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ ରାଜ୍ୟର ବିଭିନ୍ନ ଆଇନଜୀବୀ ସଂଘ କର୍ମକର୍ତ୍ତା ନିର୍ବାଚନ ସ୍ଥଗିତ ରଖାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ସ୍ବୀକୃତିପ୍ରାପ୍ତ ଆଇନଜୀବୀ ସଂଘଗୁଡିକର ନିର୍ବାଚନ ମାର୍ଚ୍ଚ ୨୮ ତାରିଖ ପରିବର୍ତ୍ତେ ଏପ୍ରିଲ ୨୫ ତାରିଖରେ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ଗ୍ରହଣ କରିଛି। ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟି ବୈଠକରେ ଆଜି ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଏ ନେଇ ରାଜ୍ୟର ସମସ୍ତ ଆଇନଜୀବୀ ସଂଘକୁ ଅବଗତ କରାଯାଇଛି। ସ୍ବତନ୍ତ୍ର କମିଟି ଅଧ୍ୟକ୍ଷ ତଥା ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର ଓ ଅଜୟ କୁମାର ବରାଳ ଯୋଗଦେଇ ଏହି ପ୍ରସଂଗରେ ଆଲୋଚନା କରିବା ପରେ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

‘ୱାନ୍ ବାର୍ ୱାନ୍ ଭୋଟ୍ ନିୟମ ଲାଗୁ କରି ରାଜ୍ୟର ସମସ୍ତ ଆଇନଜୀବୀ ସଂଘ ନିର୍ବାଚନ ଗୋଟିଏ ତାରିଖରେ କରାଯାଉଛି। ଚଳିତବର୍ଷ ମାର୍ଚ୍ଚ ୨୮ ତାରିଖ ଦିନ ସମସ୍ତ ଆଇନଜୀବୀ ସଂଘ ନିର୍ବାଚନ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ‌ଘୋଷଣା କରିଥିଲା। ଏହା ପରେ ହାଇକୋର୍ଟ ବାର୍ ସହିତ ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ କର୍ମକର୍ତ୍ତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଓ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପ୍ରକ୍ରିୟା ସରିଥିବା ବେଳେ ମାର୍ଚ୍ଚ ୨୮ରେ ଭୋଟ ଗ୍ରହଣର ଦିନ ଧାର୍ଯ୍ୟ କରାଯାଇଥିଲା। ଏହା ଭିତରେ କରୋନା ଭୂତାଣୁକୁ ନେଇ ଆତଙ୍କର ବାତାବରଣ ଦେଖା ଦେଇଥିଲା। ମାର୍ଚ୍ଚ ୧୫ରେ ରାଜ୍ୟ ଆଇନଜୀବୀ ପରିଷଦ କେତେକ ମାର୍ଗଦର୍ଶିକା ଜାରି କରିବା ସହିତ ଭିଡ ଏଡ଼ାଇବା ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ପ୍ରସ୍ତାବ ଗ୍ରହଣ କରିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ସୁପ୍ରିମକୋର୍ଟ ଓ ହାଇକୋର୍ଟ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। କରୋନକୁ ନେଇ ଦେଖା ଦେଇଥିବା ଜରୁରି ପରିସ୍ଥିତିରେ କର୍ମକର୍ତ୍ତା ନିର୍ବାଚନ ସ୍ଥଗିତ ରଖିବାକୁ କେତେକ ଆଇନଜୀବୀ ସଂଘ ରାଜ୍ୟ ଆଇନଜୀବୀ ପରିଷଦକୁ ଅନୁରୋଧ କରିଥିଲେ। ଜନସମାଗମ ଉପରେ ଅଙ୍କୁଶ ସହିତ ଭିଡ଼ ନ କରିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ କେତେକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଥିବା ପ୍ରସଂଗରେ ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟି ବୈଠକରେ ଆଲୋଚନା କରାଯାଇଥିଲା। ଏପରି ପରିସ୍ଥିତିରେ ମାର୍ଚ୍ଚ ୨୮ ତାରିଖ ପରିବର୍ତ୍ତେ ଆଇନଜୀବୀ ସଂଘ ନିର୍ବାଚନ ଏପ୍ରିଲ ୨୫ରେ କରିବା ପାଇଁ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଦେଇଛି। ବିଭିନ୍ନ ବାର୍ ଆସୋସିଏସନର ନିର୍ବାଚନ ଅଧିକାରୀ ସଂପୃକ୍ତ ସଂଘର ଭୋଟର ତାଲିକା ସହିତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ସିଲ୍ ବାକ୍ସରେ ରଖିବେ। ବାର୍ ସଭାପତି ଓ ସଂପାଦକଙ୍କ ଦସ୍ତଖତ ସହିତ ଏପରି ବାକ୍ସ ସଂପୃକ୍ତ ଆଇନଜୀବୀ ସଂଘ କାର୍ଯ୍ୟାଳୟରେ ରଖାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର