ହେରା ଯାତ୍ରା

ଡକ୍ଟର ତୁଳସୀ ଓଝା

ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ହେଉଥିବା ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚାଯାତ୍ରାର ପଞ୍ଚମ ଦିନ ‘ହେରା ପଞ୍ଚମୀ’ ଭାବରେ ପ୍ରସିଦ୍ଧ। ଏହିଦିନ ଅନୁଷ୍ଠିତ ହୁଏ ହେରାପଞ୍ଚମୀର ଯାତ୍ରା ବା ‘ହେରା ଯାତ୍ରା’। ଏଥିରେ ଦେବୀ ଲକ୍ଷ୍ମୀଙ୍କର ବିଶେଷ ଭୂମିକା ରହିଥାଏ। ‘ହେରା’ର ଅର୍ଥ ଦେଖିବା ବା ଦର୍ଶନ କରିବା। ଏହିଦିନ ଦେବୀ ଲକ୍ଷ୍ମୀ, ରଥରେ ଚଢ଼ି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ଶ୍ରୀଜଗନ୍ନାଥଙ୍କ ଦର୍ଶନପାଇଁ ଯାଇଥାନ୍ତି। ‘ବାମଦେବ ସଂହିତା’ର ବର୍ଣ୍ଣନା ଅନୁସାରେ, ନିର୍ବିଘ୍ନରେ ଏହି ଯାତ୍ରା ସମାପନ କରିବା ନିମିତ୍ତ “ହରଂ ଚ ମନସାକୃତ୍ୱା ହେରେତି ନାମ ଯୋଗତଃ” ଅର୍ଥାତ୍‌, ହରଙ୍କୁ ମନରେ ଧ୍ୟାନ କରି ମହାଲକ୍ଷ୍ମୀ ଏହି ଗୋପନ ଯାତ୍ରା କରୁଥିବାରୁ ଏହାର ନାମ ହେରାପଞ୍ଚମୀ ଯାତ୍ର୍ରା ହୋଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଋକ୍ମିଣୀ (ମହାଲକ୍ଷ୍ମୀ)ଙ୍କୁ ହରଣ କରି, ବିବାହ କରିଥିଲେ। ତା’ ପର ଠାରୁ କିନ୍ତୁ ପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଏକାନ୍ତବାସ କରି ନଥିଲେ। ନିଜର ଜନ୍ମ ଦିନ, ଜ୍ୟେଷ୍ଠପୂର୍ଣ୍ଣିମୀରେ ସେ ସ୍ନାନ କରି ଜ୍ୱରରେ ପୀଡ଼ିତ ହେଲେ ଏବଂ ଅଣସର ଗୃହରେ ନିଭୃତବାସ କଲେ। ପୁଣି ସୁସ୍ଥ ହେବା ସଂଗେ ସଂଗେ ଭାଇଭଉଣୀଙ୍କ ସହିତ ରଥରେ ବସି ଘୋଷଯାତ୍ରାରେ ନିଜର ଜନ୍ମବେଦୀ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ଚାଲିଗଲେ। ଏହା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପୀଡ଼ିତ କରିଥିଲା। ନିଜର ଦୁଃଖ ସେ ଦେବୀ ବିମଳାଙ୍କୁ କହନ୍ତେ, ଦେବୀ ବିମଳା ତାଙ୍କୁ ଉଚ୍ଚାଟନକ୍ଷମ ଏକ ଚୂର୍ଣ୍ଣ ପ୍ରଦାନ କରି, ସ୍ୱାମୀଙ୍କ ଅନୁଗମନ କରିବାକୁ ପରାମର୍ଶ ଦେଲେ।

ସେହି ପରାମର୍ଶ ଅନୁସାରେ, ଅଭିମାନିନୀ ମହାଲକ୍ଷ୍ମୀ, ଘୋଷଯାତ୍ରାର ପଞ୍ଚମ ଦିନରେ, ସ୍ୱାମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ନିମିତ୍ତ ଗୋପନରେ ଯାତ୍ରା କଲେ। ଏହି ଦିନଟି ରଥଯାତ୍ରାର ପଞ୍ଚମ ଦିନରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ‘ହେରା ପଞ୍ଚମୀ’ କୁହାଯାଏ। ଏହି ଯାତ୍ରାରେ ଦେବୀ ଲକ୍ଷ୍ମୀ ଘଣ୍ଟ, ଛତା ଓ କାହାଳୀ ଆଦି ସହିତ, ବିମାନରେ ବସି ପଟୁଆରରେ ଯିବା ବେଳେ, ଫେରିବା ସମୟରେ ବିନା ପଟୁଆରରେ, ଲୁଚିବା ପରି ଅନ୍ୟ ବାଟରେ ଫେରିଆସନ୍ତି। ଯିବା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ବାଟେ ଯାଇଥିବାବେଳେ, ଫେରିବା ବେଳେ ନାକଚଣା ଦ୍ୱାର ବାଟେ ଫେରିଥାଆନ୍ତି। ସେଥିପାଇଁ ସେହି ଫେରିବା ବାଟର ନାମ ‘ହେରା ଗୋହିରୀ’ ହୋଇଛି।

‘ଚୈତନ୍ୟ ଚରିତାମୃତ’ରେ ଏ ସଂପର୍କରେ ବର୍ଣ୍ଣନା ଅଛି- ଶ୍ରୀଚୈତନ୍ୟ ଯେତେବେଳେ ସୁନ୍ଦରାଚଳ (ଗୁଣ୍ଡିଚା ଘର) ଗମନ କଲେ, ସେଠାର ସାଜସଜ୍ଜା ଦେଖି ତାହା ତାଙ୍କୁ ବୃନ୍ଦାବନ ସଦୃଶ ପ୍ରତୀୟମାନ ହେଲା। କିନ୍ତୁ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ସେଠାକୁ ଯାତ୍ରା କରିଥିବା ଦେଖି, ଦୁଃଖିତ ହୋଇ ସେ ସ୍ୱରୂପଙ୍କୁ ପଚାରିଥିଲେ- ଏହା ତ ବୃନ୍ଦାବନ ସଦୃଶ; କିନ୍ତୁ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସଂଗରେ ନ ନେଇ କାହିଁକି ଆସିଲେ?

ଏହାର ଏକ କାରଣ ଦର୍ଶାଇ ସ୍ୱରୂପ ତାଙ୍କୁ କହିଥିଲେ- ଏହି ସ୍ଥାନ ମହାପ୍ରଭୁଙ୍କର ନିତ୍ୟ ବୃନ୍ଦାବନ। ବୃନ୍ଦାବନରେ ମହାପ୍ରଭୁ ଗୋପ ଓ ଗୋପୀମାନଙ୍କ ସହିତ ରାସଲୀଳା କରିଥାନ୍ତି। ତେଣୁ ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କର ସେଠାରେ ପ୍ରବେଶ ନିଷେଧ। କିନ୍ତୁ ଲକ୍ଷ୍ମୀ ଏହା ବୁଝିବାକୁ ପ୍ରସ୍ତୁତ ନଥିଲେ। କାରଣ, ସେ ଶ୍ରୀଜଗନ୍ନାଥଙ୍କୁ ବିଷ୍ଣୁ ରୂପରେ ଦେଖୁଥିଲେ ମଧ୍ୟ, ରସରାଜ ଶ୍ରୀକୃଷ୍ଣ ରୂପରେ ଦେଖିବାକୁ ସର୍ବଦା ବ୍ୟାକୁଳ। ନିଜକୁ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ ଲକ୍ଷ୍ମୀ ଜାଣନ୍ତି, ନୀଳାଚଳ ଲକ୍ଷ୍ମୀଙ୍କର ଘର ଏବଂ ସୁନ୍ଦରାଚଳ ଶ୍ରୀଜଗନ୍ନାଥଙ୍କର ଜନ୍ମ ସ୍ଥାନ। ଏହା ବୃନ୍ଦାବନ ସ୍ୱରୂପ। ଶ୍ରୀମନ୍ଦିରରେ ବହୁ ଐଶ୍ୱର୍ଯ୍ୟ ଲୀଳା କଲେ ମଧ୍ୟ ବର୍ଷରେ ଥରେ ମହାପ୍ରଭୁ ତାଙ୍କର ଜନ୍ମଭୂମି, ନିତ୍ୟ ବୃନ୍ଦାବନକୁ ଯାତ୍ରା କରନ୍ତି ଏବଂ ସେଠାରେ ମାଧୁର୍ଯ୍ୟ ଲୀଳା କରନ୍ତି। ପତ୍ନୀ ହୋଇ ମଧ୍ୟ, ସେ ସେହି ସୁଖଦ ଅନୁଭୂତିରୁ ବଂଚିତ।

ଏହା ମହାଲକ୍ଷ୍ମୀଙ୍କୁ ଦୁଃଖିତ କରିବା ସହିତ କ୍ରୋଧାନ୍ୱିତ କରେ। ଅତ୍ୟନ୍ତ ଅଭିମାନ ଓ କ୍ରୋଧରେ ଜର୍ଜରିତ ହୋଇ ସେ ତେଣୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ସେ ସଂପର୍କରେ ବର୍ଣ୍ଣନା ଅଛି-
ସ୍ୱରୂପ କହେ ପ୍ରେମବତୀର ଏହିତ ସ୍ୱଭାବ
କାନ୍ତେର ଔଦାସ୍ୟ ଲେଶେ ହୟ କ୍ରୋଧଭାବ।

କିନ୍ତୁ ‘ଚୈତନ୍ୟ ଚରିତାମୃତ’ରେ ବର୍ଣ୍ଣିତ ହେରା ପଞ୍ଚମୀ ନୀତିଠାରୁ, ଏବେ ଅନୁଷ୍ଠିତ ହେଉଥିବା ନୀତିରେ କେତେକ ଭିନ୍ନତା ଦେଖାଯାଏ। ଏବେ ହେଉଥିବା ନୀତିରେ, ଏହାର ଭିନ୍ନ ବ୍ୟାଖ୍ୟା ମଧ୍ୟ ଅଛି। ତାହା ହେଉଛି- ଦେବୀ ଲକ୍ଷ୍ମୀ ବିମାନରେ ଯାଇ ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ, ଶରଧାବାଲିରେ ଥିବା ଶ୍ରୀଜଗନ୍ନାଥଙ୍କ ରଥକୁ ଚିହ୍ନଟ କରନ୍ତି। ସେ ନିଶ୍ଚିତ ହୁଅନ୍ତି ଯେ ଶ୍ରୀଜଗନ୍ନାଥ ସେହିଠାରେ ହିଁ ଅଛନ୍ତି। ସେ ରଥ ନିକଟରେ, ତାଙ୍କର ବିମାନରେ ବସି ରହିଥିବା ବେଳେ, ପତି ମହାପାତ୍ର ତାଙ୍କୁ ବନ୍ଦାପନା କରନ୍ତି। ତା’ପରେ ସେ ସେହି ବିମାନରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ଜୟ ବିଜୟ ଦ୍ୱାର ନିକଟକୁ ଯାଆନ୍ତି। ସାଙ୍ଗରେ ଆଣିଥିବା ‘ମୋହନ ଚୂର୍ଣ୍ଣ’ ଶ୍ରୀଜଗନ୍ନାଥଙ୍କ ଉପରକୁ ଛାଟି ଦିଅନ୍ତି। ତାହାର ତୁରନ୍ତ ଫଳ ସ୍ୱରୂପ ଶ୍ରୀଜଗନ୍ନାଥ ତାଙ୍କୁ ଆଜ୍ଞାମାଳ ଦିଅନ୍ତି। ତାହାର ଅର୍ଥ- “ମୁଁ ତୁରନ୍ତ ଫେରିବି”, କିନ୍ତୁ ସେହି ସମୟରେ ସଂଧ୍ୟା ଧୂପ ପାଇଁ ଟେରା (କନାର ଏକ ଆବରଣ) ପଡ଼ିଯିବାରୁ, ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ଦର୍ଶନରୁ ବଂଚିତ ହୋଇ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି। ତେଣୁ ଫେରିବାବେଳେ ସେ ‘ନନ୍ଦିଘୋଷ’ ରଥରୁ ଖଣ୍ଡିଏ କାଠ ଭାଙ୍ଗିଦିଅନ୍ତି।

ଏଥିରୁ ସୂଚିତ ହୁଏ ଯେ ଏହା ତାଙ୍କର କ୍ରୋଧର ପରିପ୍ରକାଶ ନୁହେଁ; ତାଙ୍କ ପତି-ପ୍ରୀତିର ନିଦର୍ଶନ। କାରଣ, ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ସହିତ ଫେରିବାର ପ୍ରତିଶ୍ରୁତି ପାଇବା ପରେ, ଆଉ କ୍ରୋଧର ଅବକାଶ ନଥାଏ। କିନ୍ତୁ ‘ବାମଦେବ ସଂହିତା’ରେ ଏହା ତାଙ୍କର କ୍ରୋଧର ପରିପ୍ରକାଶ ବୋଲି ଉଲ୍ଲେଖ ଅଛି। ଏଣୁ ସାମୟିକ କ୍ଷୋଭରୁ ‘ନନ୍ଦିଘୋଷ’ର ରଥକାଠ ଖଣ୍ଡିଏ ଭାଙ୍ଗି ଦେଇଥିବାରୁ, ସେ ଏହା ଉଚିତ ହୋଇନାହିଁ ଭାବି ଗ୍ଳାନି ବୋଧ କରନ୍ତି। ସେଥିପାଇଁ ବିନା ପଟୁଆରରେ, ଅପରାଧୀଟିଏ ପରି ଲୁଚିଲା ପରି ହୋଇ, ହେରାଗୋହିରୀ ସାହି ବାଟେ ଶ୍ରୀମନ୍ଦିରକୁ ଫେରନ୍ତି ଏବଂ ଶ୍ରୀଜଗନ୍ନାଥଙ୍କ ଫେରିବା ବାଟକୁ ନିରବରେ ପ୍ରତୀକ୍ଷା କରନ୍ତି।

ମୋ: ୯୪୩୭୪ ୨୨୪୧୧

ସମ୍ବନ୍ଧିତ ଖବର