୧୭୦ ବର୍ଷ ତଳେ ଭାରତକୁ ଆସିଥିଲା ଚା
ସଂପ୍ରତି ଦୈନନ୍ଦିନ ଜୀବନର ସ୍ୱାଭାବିକ ଅଂଶ ପାଲଟି ଯାଇଥିବା ଚା’ର ଉତ୍ପତ୍ତିସ୍ଥଳ ଚୀନ୍ ବୋଲି ଉଦ୍ଭିଦ ବିଜ୍ଞାନୀମାନେ କହନ୍ତି। କିନ୍ତୁ ବ୍ରିଟିଶ୍ମାନେ ଏହାକୁ ଭାରତୀୟଙ୍କ ସହ ପରିଚୟ କରାଇଥିଲେ। ପ୍ରାୟ ୧୭୦ ବର୍ଷ ତଳେ ବ୍ରିଟିଶ୍ ସରକାର ଭାରତକୁ ଚା ଆଣିଥିଲେ। ଚୀନ୍ର ଏକଚାଟିଆ ଚା ବ୍ୟବସାୟରେ ବାଧା ଦେବା ପାଇଁ ବ୍ରିଟିଶ୍ମାନେ ହିଁ ଭାରତରେ ଚା ଚାଷ ଆରମ୍ଭ କରିଥିଲେ। ଭାରତରେ ଚା’ ଚାଷ ପାଇଁ ଉଦ୍ୟମ କରିବା ପୂର୍ବରୁ ବ୍ରିଟିଶ୍ ସରକାର ଶ୍ରୀଲଙ୍କା ସମେତ ଅନ୍ୟନ୍ୟ ଉପନିବେଶରେ ମଧ୍ୟ ଚା’ ଚାଷ ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ସେମାନଙ୍କୁ ଚୀନ୍ରୁ ଚା ମଞ୍ଜି ଚୋରା ଚାଲାଣ କରିବାକୁ ପଡ଼ିଥିଲା। କିନ୍ତୁ, ଏହି ପ୍ରଚେଷ୍ଟା ସଫଳ ହୋଇ ନ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଚା ଚାଷ ପାଇଁ ଭାରତର ଆସାମ ଉପତ୍ୟକା ଏବଂ ଦାର୍ଜିଲିଂର ପାର୍ବତ୍ୟ ଅଞ୍ଚଳର ମୃତ୍ତିକା ଅନୁକୂଳ ବୋଲି ବ୍ରିଟିଶ୍ ଉଦ୍ଭିଦ ବିଜ୍ଞାନୀମାନେ ନିରୂପଣ କରିଥିଲେ। ଚା’ ପ୍ରଜାତିର ଏକ ସ୍ଥାନୀୟ ଉଦ୍ଭିଦକୁ ସେ ଅଞ୍ଚଳରେ ଦେଖି ଉଦ୍ଭିଦ ବିଜ୍ଞାନୀମାନଙ୍କର ହୃଦ୍ବୋଧ ହୋଇଥିଲା ଯେ ଏଠାରେ ଚୀନ୍ର ଚା ଗଛ ବଢ଼ି ପାରିବ। କିନ୍ତୁ, ଏଥିପାଇଁ ଚାଲିଥିଲା ଦୀର୍ଘ ୧୪ ବର୍ଷର ଅସଫଳ ପ୍ରୟାସ। କାରଣ ଆସାମ ମୃତ୍ତିକାରେ ଚୀନ୍ର ଚା ମଞ୍ଜି ଗଛ ହୋଇ ନ ଥିଲା କି, ଚୀନ୍ରୁ ଅଣାଯାଇଥିବା ଚା ଚାରା ମଧ୍ୟ ଉଧେଇ ନ ଥିଲା। ଅନେକ ଗବେଷଣା ପରେ ଚୀନ୍ ଚା’ର ଗୁଣସୂତ୍ର ସାମାନ୍ୟ ପରିବର୍ତ୍ତନ କରାଯାଇ ତାହାକୁ ଭାରତୀୟ ମୃତ୍ତିକା ଉପଯୋଗୀ କରାଯାଇଥିଲା।
ଏହା ପରେ ଯାଇ ଭାରତରେ ପ୍ରଥମେ ବ୍ୟାବସାୟିକ ଚା ଚାଷ ଆରମ୍ଭ କରିଥିଲେ ବ୍ରିଟିଶ୍ ସରକାର। ୧୮୩୭ ମସିହାରେ ଉପର ଆସାମର ଚାବୁଆ ଠାରେ ଆରମ୍ଭ ହୋଇଥିଲା ଚା ଚାଷ। ପରେ ପରେ ୧୮୪୦ ବେଳକୁ ଭାରତରେ ଚା ଶିଳ୍ପ ଚାଲୁ ହେବା ଆରମ୍ଭ ହୋଇଥିଲା। ଆସାମ ପରେ ୧୮୪୧ ମସିହାରେ ଦାର୍ଜିଲିଂରେ ଆନୁଷ୍ଠାନିକ ଭାବେ ଚା ଚାଷ ଆରମ୍ଭ ହୋଇଥିଲା। ୧୮୪୭ ମସିହାଯାଏଁ ସେଠାରେ ଚା ଗଛର ପ୍ରଜାତି ଉପରେ ଚାଲିଥିଲା ପରୀକ୍ଷା ନିରୀକ୍ଷା। ଶେଷରେ ୧୮୫୦ରେ ଆରମ୍ଭ ହେଲା ‘ତୁକବର ଟି ଇଷ୍ଟେଟ୍’।
ବ୍ରିଟିଶ୍ ସରକାର ଭାରତ ଛାଡ଼ି ଚାଲିଗଲେ ସତ କିନ୍ତୁ, ଭାରତରୁ ଚା ଶିଳ୍ପ ଗଲାନାହିଁ। ଚୀନ୍ ପରେ ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ ଚା ଉତ୍ପାଦନକାରୀ ଦେଶ। ଏବେ ସମଗ୍ର ଆସାମରେ ପ୍ରାୟ ୪୩, ୨୯୩ଟି ଚା ବଗିଚା ରହିଛି। ନୀଳଗିରିରେ ଅଛି ୬୨, ୨୧୩ଟି ଚା ବଗିଚା। କିନ୍ତୁ, ଦାର୍ଜିଲିଂରେ ରହିଛି ମାତ୍ର ୮୫ଟି ଚା ବଗିଚା।