କୁପୋଷଣରେ ପୀଡ଼ିତ ଥିବା ପିଲାମାନଙ୍କ ପାଇଁ ନିଜ ଅଫିସର ଏସି ଦାନ କଲେ ଆଇଏଏସ୍‌ ଅଫିସର

ଉମାରିଆ : ମଧ୍ୟପ୍ରଦେଶର ଉମାରିଆରେ ଆଇଏଏସ୍‌ ଅଫିସର ସ୍ୱରୋଚିଷ ସୋମାବଂଶୀଙ୍କ କାମକୁ ନେଇ ସଂପ୍ରତି ଚର୍ଚ୍ଚା ଆରମ୍ଭ ହୋଇଛି । ଲୁହା ରଡ୍‌ରେ ଚେଙ୍କ ଖାଇ ଚିକିତ୍ସିତ ହେଉଥିବା ୧୦୦ପିଲାଙ୍କ ପାଇଁ ଆଇଏଏସ୍‌ ଅଫିସର ସ୍ୱରୋଚିଷ ନିଜ ଅଫିସର ଏସି ଦାନ କରିବା ପରେ ତାଙ୍କର ଏହି କାମକୁ ନେଇ ଲୋକେ ପ୍ରଶଂସା କରିବା ଅରମ୍ଭ କରିଛନ୍ତି । ଖରାତାପ ପାଇଁ ସେମାନଙ୍କ ଯନ୍ତ୍ରଣା ଆହୁରି ବଢ଼ି ଯାଉଥିବା ଜାଣି ସେ ଏପରି କରିଥିବା କହିଛନ୍ତି ।

ତେବେ ଏନେଇ ଆଇଏଏସ୍‌ ଅଫିସର ସ୍ୱରୋଚିଷ ସୋମାବଂଶୀଙ୍କୁ ପଚରାଯିବା ପରେ ସେ ଏହା ପଛରେ ଥିବା ଏକ ବଡ଼ କାହାଣୀ ବିଷୟରେ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିବା ପରେ ସେ ମଧ୍ୟପ୍ରଦେଶର ଉମାରିଆରେ ପ୍ରଚଳିତ ଥିବା ଏକ ଭୟାନକ ପରମ୍ପରା ବିଷୟରେ ଜାଣିବାକୁ ପାଇଥିଲେ । ସେଠାରେ କୌଣସି ଶିଶୁ କୁପୋଷଣର ଶିକାର ହେଲେ ତା’ ଦେହରେ ଲୁହା ରଡ୍‌ରେ ଚେଙ୍କ ଦିଆଯାଇ ଚିକିତ୍ସା କରାଯାଏ ବୋଲି ଜାଣି ଚମକି ପଡ଼ିଥିଲେ ଆଇଏଏସ୍‌ ଅଫିସର ସ୍ୱରୋଚିଷ ।

thebetterindia.com

ଆଇଏଏସ୍‌ ଅଫିସର ସ୍ୱରୋଚିଷଙ୍କ କହିବା ଅନୁଯାୟୀ, ପ୍ରଥମେ ମୁଁ ଚେଙ୍କ ଖାଉଥିବା ୬ବର୍ଷର ଶିଶୁକୁ ଦେଖି ତାଙ୍କ ବାପାଙ୍କୁ ପ୍ରଶ୍ନ କରିଥିଲି । ନିଜ ଆଗରେ ନିଜ ଶିଶୁ ସହ ଏଭଳି ହେଉଥିବା କେମିତି ଦେଖି ପାରୁଛ ବୋଲି ପଚାରିବା ପରେ ବ୍ୟକ୍ତିଜଣଙ୍କ ନିଜ ପୋଷାକ ଖୋଲି ଦେଇଥିଲେ । ଯାହା ପରେ ମୁଁ ତାଙ୍କ ଶରୀରରେ ମଧ୍ୟ ସେଭଳି ଚେଙ୍କ ଥିବା ଚିହ୍ନ ଦେଖିଥିଲି । ଏଭଳି କରି ସେମାନେ ନିଜର କୁପୋଷଣକୁ ଦୂର କରିଥିବାରୁ ନିଜ ଶିଶୁମାନଙ୍କୁ ମଧ୍ୟ ସେ ଲୁହା ଚେଙ୍କ ଦେଉଥିବା କହିଥିଲେ ।

ଏଭଳି ପରମ୍ପରା ବିଷୟରେ ଜାଣିବା ପରେ ଏହାକୁ ମୂଲପୋଛ କରିବା ପାଇଁ ଅଭିଯାନ ସଞ୍ଜିବନୀ ଆରମ୍ଭ କରିଥିଲେ ଆଇଏଏସ୍‌ ଅଫିସର ସ୍ୱରୋଚିଷ । ଏହି ଅଭିଯାନ ମେ’ ମାସରୁ ଆରମ୍ଭ କରାଯାଇଥିଲା । ଏହି ଅଭିଯାନରେ ଏଭଳି କୁପ୍ରଥାକୁ ୩ଟି ପର୍ଯ୍ୟାୟରେ ରୋକାଯିବାକୁ ଚେଷ୍ଟା ଆରମ୍ଭ ହୋଇଥିଲା । ପ୍ରଥମେ, ଯଦି କୌଣସି ମାତା-ପିତା ନିଜ ଶିଶୁକୁ ଲୁହା ରଡ୍‌ରେ ଚେଙ୍କ ଦେଉଥିବାର ସୂଚନା ମିଳେ ତେବେ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯିବ । ଦ୍ୱିତୀୟରେ, ଯଦି କେହି କୁପୋଷଣର ଶିକାର ହେଉଛି, ତେବେ ଲୁହା ରଡ୍‌ ଚେଙ୍କ ନ ଦେଇ ସ୍ଥାନୀୟ ଡ଼ାକ୍ତରଖାନା ନେବା ପାଇଁ ସଚେତନ କରାଯିବ । ତୃତୀୟରେ ଯେଉଁ ଗ୍ରାମ ଏହି ପରମ୍ପରାକୁ ସଂପୂର୍ଣ୍ଣ ଶେଷ କରିବ ତାକୁ ପୁରଷ୍କୃତ କରାଯିବ । ଅଭିଯାନକୁ ଆରମ୍ଭ ହେବାର ମାତ୍ର ମସେ ହୋଇଥିବାରୁ ଶେଷ କାମଟି ହେବା ପାଇଁ ସମୟ ଲାଗିବ ବୋଲି କହିଛନ୍ତି ଆଇଏଏସ୍‌ ଅଫିସର ସ୍ୱରୋଚିଷ । ଅଭିଯାନକୁ ମାସେ ପୂରି ସାରିଥିବା ବେଳେ ଧିରେ ଧିରେ ଲୋକମାନଙ୍କ ମାନସିକତା ବଦଳିବାରେ ଲାଗିଛି ଏବଂ ଲୁହା ଚେଙ୍କ ନ ଦେଇ ଲୋକେ ନିଜ ପିଲମାନଙ୍କୁ ଡ଼ାକ୍ତରଖାନା ଆଣୁଥିବା କହିଛନ୍ତି ଆଇଏଏସ୍‌ ଅଫିସର ସ୍ୱରୋଚିଷ ।

ସମ୍ବନ୍ଧିତ ଖବର