ପତ୍ନୀ କହିଲେ ମଦ, ସିଗାରେଟ୍‌ ନା ଘର? ୧୪ ବର୍ଷ ହେଲା ବିମାନବନ୍ଦରରେ ରହୁଛନ୍ତି ପତି

ନୂଆଦିଲ୍ଲୀ: ମଦ ଓ ସିଗାରେଟ୍‌ ଛାଡ଼ିବା ଅପେକ୍ଷା ଘର ଛାଡ଼ିବାକୁ ବେଶି ଉପଯୁକ୍ତ ବୋଲି ମଣି ଦୀର୍ଘ ୧୪ ବର୍ଷ ହେଲା ଘର ଛାଡ଼ି ଇୟାଡ଼େ ସିଆଡ଼େ ରହୁଛନ୍ତି ଜଣେ ୬୦ ବର୍ଷୀୟ ବ୍ୟକ୍ତି। ଆଜ୍ଞା ହଁ, କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବ୍ୟକ୍ତି ଜଣକ ଏହି କଥାକୁ ନିଜ ମୁହଁରେ କହିଛନ୍ତି। ‌ବ୍ୟକ୍ତି ଜଣକ ଏବେ ଏକ ବିମାନବନ୍ଦରରେ ରହୁଛନ୍ତି। ପ୍ରଥମରୁ ସେ ରେଳ ଷ୍ଟେସନ୍‌ରେ ରହୁଥିଲେ। ବ୍ୟକ୍ତିଙ୍କ ନାମ ଜିଆନଗୁଓ। ସେ ଚୀନର ବାସିନ୍ଦା। ତେବେ ତାଙ୍କୁ ଘରକୁ ଫେରିବା କଥା ପଚାରିବାରୁ ସେ କହନ୍ତି କି ଘରେ କୌଣସି ସ୍ବାଧୀନତା ନଥିବାରୁ ସେ ଆଉ କେବେ ବି ଘରକୁ ଫେରିବେ ନାହିଁ।

ସେ ଏବେ ବେଜିଂ ଅନ୍ତର୍ଜାତୀୟ ବିମାନବନ୍ଦରର ବୋଟିଂ ଏରିଆରେ ରହୁଛନ୍ତି। ତାଙ୍କ କହିବା କଥା ହେଉଛି ବିମାନ ବନ୍ଦରରେ ସେ ନିଜ ଇଚ୍ଛାରେ ଖିଆପିଆ ଓ ଶୋଇବାଉଠିବା କରି ପାରୁଛନ୍ତି। ସେପରି ସ୍ବାଧୀନତା ତାଙ୍କୁ ଘରେ ମିଳେ ନାହିଁ। ଘରେ ମଦ ଓ ସିଗାରେଟ୍‌ ଛାଡ଼ିଲେ ହିଁ ତାଙ୍କୁ ରହିବାକୁ ମିଳିବ ବୋଲି ସର୍ତ୍ତ ଲାଗୁ ହେବା ପରେ ସେ ଘର ଛାଡ଼ି ବା‌ହାରେ ରହିବାର ନିଷ୍ପତ୍ତି ନେଇଥିଲେ।

 

ଜାଣିବାକୁ ମିଳିଛି ଯେ ଜିଆନଗୁଓଙ୍କ ଘର ସେ ରହୁଥିବା ବିମାନବନ୍ଦରଠାରୁ ୧୯ କିଲୋମିଟର ଦୂର। ସେ ୨୦୦୮ ମସିହାରୁ ନିଜ ଘର ଛାଡ଼ିଛନ୍ତି ଯେ ଆଉ ଘରକୁ ଫେରିନାହାନ୍ତି।

ସେ କହନ୍ତି ବିମାନବନ୍ଦରରେ ରହିବାକୁ ତାଙ୍କୁ ଖୁବ୍‌ ଭଲ ଲାଗୁଛି। ସେଠାରେ ଥଣ୍ଡା ବି ଲାଗିନଥାଏ। ସେଠାରେ ସେ ଏକ ଛୋଟ ରୋଷେଇଘର ବି କରିଛନ୍ତି। ସରକାରଙ୍କଠାରୁ ମିଳୁଥିବା ମାସିକ ଭତ୍ତାରେ ତାଙ୍କର ଗୁଜୁରାଣ ମେଣ୍ଟି ଯାଉଛି।

 

ସମ୍ବନ୍ଧିତ ଖବର