ଇଣ୍ଡୋନେସିଆ: ମହିଳାମାନଙ୍କୁ ପୁଲିସ୍‌ ବିଭାଗରେ ନିଯୁକ୍ତି ପାଇଁ ଦେବାକୁ ପଡ଼େ ‘କୁମାରୀତ୍ୱ ପରୀକ୍ଷା’!

ଜାକର୍ତ୍ତା: ଏବେ ବି ଇଣ୍ଡୋନେସିଆରେ ମହିଳାମାନଙ୍କୁ ପୁଲିସ୍‌ ବିଭାଗରେ ନିଯୁକ୍ତି ପାଇବାକୁ ହେଲେ ବ୍ରିଟିସ୍‌ ଅମଳରୁ ଚାଲି ଆସିଥିବା ଏକ ଘୃଣ୍ୟ ଓ ଜଘନ୍ୟ ନିଯୁକ୍ତି ପ୍ରକ୍ରିୟାର ସାମନା କରିବାକୁ ପଡ଼ୁଛି। କାନକୁ ଶୁଣିବାକୁ ଅସହଜ ମନେ ହେଉଥିଲେ ବି ସେଇଟି ହେଉଛି, ‘କୁମାରୀତ୍ୱ ପରୀକ୍ଷା’। ଇଣ୍ଡୋନେସିଆରେ ପୁଲିସ୍‌ ବିଭାଗରେ ଚାକାରି ପାଇଁ ଆବେଦନ କରୁଥିବା ପ୍ରତ୍ୟେକ ମହିଳା ପ୍ରର୍ଥୀଙ୍କୁ ‘କୁମାରୀତ୍ୱ ପରୀକ୍ଷା’ର ସାମନା କରିବାକୁ ପଡ଼ିଥାଏ ଏବଂ ଏହି ପରୀକ୍ଷାରେ ସଫଳତା ହାସଲ କଲାପରେ ହିଁ ସେମାନଙ୍କୁ ବିଧିବଦ୍ଧ ନିଯୁକ୍ତି ମିଳିଥାଏ ବୋଲି କହିଛନ୍ତି ଏବେ ସେଠାରେ କାର୍ଯ୍ୟରତ ଥିବା ଅନେକ ମହିଳା ପୁଲିସ୍‌ କର୍ମଚାରୀ।

ତେବେ, ଇଣ୍ଡୋନେସିଆରେ ଚାଲିଥିବା ଏହି ପ୍ରଥାକୁ ଅନ୍ତର୍ଜାତୀୟ ମାନବିକ ଅଧିକାର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବହୁ ଅନ୍ତର୍ଜାତୀୟ ସଂଗଠନ ଘୋର ବିରୋଧ କରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ବିଗତ ତିନି ବର୍ଷ ତଳୁ ପୁଲିସ୍‌ ଚାକିରି ପାଇଁ ‘କୁମାରୀତ୍ୱ ପରୀକ୍ଷା’ର କୌଣସି ପ୍ରକାର ବିଜ୍ଞାନ ସମ୍ମତ ଯଥାର୍ଥତା ନାହିଁ ବୋଲି କହିବା ପରେ ସୁଦ୍ଧା ଇଣ୍ଡୋନେସିଆ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଏହି ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ପୁଲିସ୍‌ ବିଭାଗରେ ମହିଳାମାନଙ୍କୁ ନିଯୁକ୍ତି ପ୍ରଦାନ କାଳରେ ଏପରି କ୍ରୁର ଓ ଅମାନୁଷିକ ଏକ ପରୀକ୍ଷା ନେବା ବଦଳରେ ବରଂ ସେମାନଙ୍କର ମାନସିକ ଓ ଶାରିରୀକ ପରୀକ୍ଷା ନେବାର ଅଧିକ ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।

The Conversation

ମହିଳାମାନଙ୍କର ପୁଲିସ୍‌ ବିଭାଗରେ ନିଯୁକ୍ତି କ୍ଷେତ୍ରରେ ରହିଥିବା ଏହି ଘୃଣ୍ୟ ପ୍ରକ୍ରିୟାକୁ ନିଷିଦ୍ଧ ଘୋଷଣା କରିବା ପାଇଁ ଏକାଧକ ସଂଗଠନ ମିଳିତ ଭାବେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋଙ୍କ ନିକଟରେ ଦାବି ମଧ୍ୟ ଉପସ୍ଥାପିତ କରିଛନ୍ତି। ହେଲେ, କିଛି ବି ହେଲେ ସୁଫଳ ମିଳିପରି ନାହିଁ। ଏକ୍ଷେତ୍ରରେ ଇଣ୍ଡୋନେସିଆ ସରକାରଙ୍କ ଉଦାସୀନତା କାରଣରୁ ଏବେ ବି ବଳବତ୍ତର ରହିଛି ବୋଲି କହିଛନ୍ତି ହ୍ୟୁମାନ ରାଇଟସ୍‌ ଓ୍ଵାଚ୍‌ର ଜନୈକା ବରିଷ୍ଠ ଅଧିକାରୀ ନିଶା ଭାରିଆ।

ହ୍ୟୁମାନ ରାଇଟସ୍‌ ଓ୍ଵାଚ୍‌ ପକ୍ଷରୁ ଯେତେବେଳେ ଇଣ୍ଡୋନେସିଆରେ କାର୍ଯ୍ୟରତ ଏକାଧିକ ଭିନ୍ନ ଭିନ୍ନ ମହିଳା ପୁଲିସ୍‌ କର୍ମଚାରୀମାନଙ୍କର ସାକ୍ଷାତକାର ନିଆଯାଇଥିଲା, ସେତେବେଳେ ସେମାନେ ସମସ୍ତେ ଏହି ପରୀକ୍ଷାର ସାମନା କରିଥିବା ସ୍ୱୀକାର କରିବା ସହ ଏହାର ଘୋର ବିରୋଧ ମଧ୍ୟ କରିଥିଲେ। ଏହି କ୍ରମରେ ନିଜ ନାମକୁ ଗୋପନ ରଖି ପେକାନ୍‌ବାରୁରେ କାର୍ଯ୍ୟରତ ଥିବା ଜନୈକା ମହିଳା ପୁଲିସ୍‌ ଅଧିକାରୀ ହ୍ୟୁମାନ ରାଇଟସ୍‌ ଓ୍ଵାଚ୍‌ କର୍ମକର୍ତ୍ତାଙ୍କୁ ଯାହା କହିଥିଲେ, ତାହା ବାସ୍ତବିକ ଚିନ୍ତାଜନକ। ନିଜ ବକ୍ତବ୍ୟରେ ସେ କହିଥିଲେ, ‘ସେ ଅପମାନଜନକ ଘଟଣାକୁ ମୁଁ ଆଉଥରେ ମନେ ପକାଇବାକୁ ଚାହୁଁନାହିଁ। କାରଣ, ଆମ କୁମାରୀତ୍ୱର ପରୀକ୍ଷା ନେଉଥିବା ବ୍ୟକ୍ତି ବିଶେଷ ଯେଉଁ ଢ଼ଙ୍ଗରେ ପରୀକ୍ଷା ନିଅନ୍ତି, ସେଥିରେ ଆମର କୁମାରୀତ୍ୱ ବରଂ ବିନଷ୍ଟ ହୋଇଯାଏ! ଏହାଛଡ଼ା, ଅଜ୍ଞାତ ବ୍ୟକ୍ତିମାନଙ୍କ ସମ୍ମୁଖରେ ଆମେ କାହିଁକି ଆମର ପୋଷାକ ଖୋଲିବୁ? ଏହାର କୌଣସି ଆବଶ୍ୟତା ନାହିଁ। ଏହା ବନ୍ଦ ହେବା ଦରକାର।’

ସମ୍ବନ୍ଧିତ ଖବର