ମୃତ୍ୟୁ ଏମିତି ବି ଆସେ ! ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ନାଚୁନାଚୁ  ଅଚାନକ ଉଡ଼ିଗଲା ପ୍ରାଣବାୟୁ

ବରେଲି : ମୃତ୍ୟୁ କେଉଁ ସମୟରେ ଆସିପାରେ କିଏ ଅବା ଜାଣେ ? ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲିର ଏକ ହୋଟେଲରେ। ଜଣେ ବ୍ୟକ୍ତି ଜନ୍ମଦିନ ପାର୍ଟିରେ ଡିଜେର ତାଳେତାଳେ ଆନନ୍ଦରେ ନାଚୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ନାଚୁନାଚୁ  ସେ ହଠାତ୍  ତଳେ ପଡ଼ିଗଲେ ଏବଂ ମୃତ୍ୟୁ ତାଙ୍କୁ କୋଳରେ ନେଇଗଲା । ଏଭଳି ଏକ ଦୁଃଖଦାୟକ ଘଟଣାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ୪୫ ବର୍ଷୀୟ ଲ୍ୟାବ ଟେକ୍ନିସିଆନ ପ୍ରଭାତ ପ୍ରେମୀ ବରେଲିରେ ଏକ ହୋଟେଲରେ ଆୟୋଜିତ ଏକ ଜନ୍ମଦିନ  ପାର୍ଟିରେ ନାଚୁଥିଲେ । ପାର୍ଟିରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ନାଚର ଭିଡିଓ କରୁଥିଲେ ଏବଂ ତାଙ୍କର ଉତ୍ସାହ ବଢ଼ାଉଥିଲେ । ଡିଜେରେ ନାଚୁଥିବା ସମୟରେ ପ୍ରଭାତ ହଠାତ୍ ଚେତାଶୂନ୍ୟ ହୋଇଗଲେ । ତା’ପରେ ସେ ତଳେ ପଡ଼ି ଯାଇଥିଲେ  ଆଉ ଉଠି ନଥିଲେ । ପାର୍ଟିରେ ଉପସ୍ଥିତ ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରଭାତ ତାଙ୍କ ବନ୍ଧୁ ଵିଶାଲଙ୍କ ଜନ୍ମଦିନ ଉତ୍ସବକୁ ଆସିଥିଲେ ।

ପାର୍ଟିରେ ନାଚୁଥିବା ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଭାତ ଆନନ୍ଦରେ ନାଚୁଥିବାର ନଜର ଆସିଛନ୍ତି । ୧ ମିନିଟ୍ ୩୨ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି କି ପ୍ରଭାତଙ୍କ ମୁହଁରେ ୧ମିନିଟ୍ ୨୪ ସେକେଣ୍ଡ ଯାଏଁ କୌଣସି  ଥକ୍କାପଣ ନଥିଲା । କିନ୍ତୁ ୧ମିନିଟ୍ ୨୫ ସେକେଣ୍ଡରେ ସେ ହଠାତ୍ ତଳେ ପଡ଼ିଯାଇଥିଲେ । ପାର୍ଟିର ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଆଉ ଉଠି ନଥିଲେ ।

ସମ୍ବନ୍ଧିତ ଖବର