ଏମ୍ବିଏ ପାଠ ପଢ଼ି ବଡ଼ କମ୍ପାନିରେ ଚାକିରି କରିଥିଲେ ମଧ୍ୟ ମୁମ୍ବାଇରେ ପୋହା ଷ୍ଟଲ ଖୋଲିଛନ୍ତି ଦମ୍ପତି, ଜାଣନ୍ତୁ କାରଣ…
ମୁମ୍ବାଇ: ମୁମ୍ବାଇର କାନ୍ଦିବାଲି ଷ୍ଟେସନ ବାହାରେ ସବୁଦିନ ସକାଳୁ ଜଣେ ଦମ୍ପତି ପୋହା ଷ୍ଟଲ ଲଗାଇଥାନ୍ତି । ଭୋର୍ ୪ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଏହି ଦମ୍ପତି ଲୋକଙ୍କୁ ପୋହା ଖାଇବାକୁ ଦେବା ପରେ ଦୁହେଁ ନିଜ ନିଜର କର୍ମସ୍ଥାନକୁ ଚାଲି ଯାଆନ୍ତି । ଦୁହେଁ ଏମ୍ବିଏ କରିଥିବା ବେଳେ ବଡ଼ କମ୍ପାନିରେ ଚାକିରି କରୁଥିବା ଜଣା ପଡ଼ିଛି । ଏତେ ବଡ଼ କମ୍ପାନିରେ ଚାକିରି କରି ମଧ୍ୟ ଦୁହେଁ କ’ଣ ପାଇଁ ପୋହା ଷ୍ଟଲ ଚଳାଉଛନ୍ତି, ତାହା ଆପଣ ଭାବୁଥିବେ ନିଶ୍ଚୟ । ତେବେ ସେ ନିଜର ୫୫ବର୍ଷୀୟ ଗୃହ ସହାୟିକାଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି କରୁଥିବା ଜଣା ପଡ଼ିଛି । ପୋହା ଷ୍ଟଲରୁ ହେଉଥିବା ସମସ୍ତ ଆୟ ସେ ନିଜର ସହାୟିକାଙ୍କୁ ଦେଇଥାନ୍ତି ବୋଲି ସାମ୍ନାକୁ ଆସିଛି । ଅଶ୍ୱିନୀ ରୋନୟ ଶାହା ଓ ତାଙ୍କ ସ୍ୱାମୀ ସକାଳ ୪ଟାରୁ ୧୦ଟା ପର୍ଯ୍ୟନ୍ତ ପୋହା, ଉପମା ଓ ପରଟା ବିକ୍ରି କରିଥାନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଦିପାଲୀ ଭାଟିଆ ନାମକ ଜଣେ ଫେସ୍ବୁକ୍ ବ୍ୟବହାରକାରୀ ଏହି ଦମ୍ପତିଙ୍କ କାହାଣୀ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ନିଜ ପୋଷ୍ଟରେ ଦିପାଲୀ ଲେଖିଛନ୍ତି, ମୁମ୍ବାଇ ଭଳି ଚଳଚଞ୍ଚଳ ଭରା ସହରରେ ଯେଉଁଠି ଲୋକମାନଙ୍କୁ ଅଟକିବା ବା କାହା ବିଷୟରେ ଚିନ୍ତା କରିବା ପାଇଁ ସମୟ ନାହିଁ, ସେହି ସହରରେ ଏହି ଦମ୍ପତି ନିଜଠାରୁ ଅଧିକ ଅନ୍ୟ ବିଷୟରେ ଭାବୁଛନ୍ତି । ଅକ୍ଟୋବର ୨ରେ ମୁଁ କିଛି ସ୍ୱାଦିଷ୍ଟ ଖାଇବା ଖୋଜୁଥିଲି । ଏହି ସମୟରେ ମୁଁ ଏକ ଛୋଟ ପୋହା ଷ୍ଟଲରେ ପହଞ୍ଚିଥିଲି । ଯେଉଁଠି ପୋହା, ଉପମା,ପରଟା ଓ ଇଡ୍ଲୀ ବିକ୍ରି ହେଉଥିଲା । ସେଠାରେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ରାସ୍ତା ଉପରେ କାହିଁକି ବିକ୍ରି କରୁଛ ବୋଲି ପଚାରିଥିଲି । ଯାହା ପରେ ପୂରା କାହାଣୀ ସାମ୍ନାକୁ ଆସିଥିଲା ।
ଷ୍ଟଲରେ ବିକ୍ରି ହେଉଥିବା ଖାଦ୍ୟ ଦମ୍ପତିଙ୍କ ଘରେ ଥିବା ଗୃହ ସହାୟିକା ତିଆରି କରନ୍ତି । ପୂର୍ବରୁ ଗୃହ ସହାୟିକାଙ୍କ ସ୍ୱାମୀ ଏହାକୁ ବିକ୍ରି କରୁଥିବା ବେଳେ ପରେ ତାଙ୍କର ପକ୍ଷାଘାତ ହେବାରୁ ସେ ରାସ୍ତା କଡ଼ରେ ବିକ୍ରି କରି ପାରି ନଥିଲେ । ଏହା ଜାଣି ଦମ୍ପତି ନିଜେ ଯାଇ ରାସ୍ତା କଡ଼ରେ ଖାଦ୍ୟ ବିକ୍ରି ତାଙ୍କୁ ଆର୍ଥିକ ସହାୟତା ଯୋଗାଇବେ ବୋଲି ନିଷ୍ପତ୍ତି ନେଇଥିଲେ ।