ଶ୍ରୀଜଗନ୍ନାଥଙ୍କ ଦୋଳ ପର୍ବର ଗୋଟିଏ ବିଶେଷ ନୀତି: ‘ମେଣ୍ଢାକୁଡ଼ିଆ ପୋଡ଼ି’

ଶ୍ରୀଜଗନ୍ନାଥଙ୍କ ଦୋଳ ପର୍ବର ଗୋଟିଏ ବିଶେଷ ନୀତି ହେଉଛି ‘ମେଷାମନ୍ଦିର ଦାହ’। ଏହା ‘ମେଣ୍ଢାକୁଡ଼ିଆ ପୋଡ଼ି’ ଭାବରେ ଲୋକ ମୁଖରେ କଥିତ। ଏହାର ଗୋଟିଏ ତାତ୍ପର୍ଯ୍ୟ ମଧ୍ୟ ଆମ ସମସ୍ତଙ୍କ ପାଇଁ ରହିଛି।

ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀରେ ଶ୍ରୀଜଗନ୍ନାଥଙ୍କର ‘ଚାଚେରୀ ବେଶ’ ହୋଇଥାଏ। ତା’ପରେ ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ପ୍ରସିଦ୍ଧ ଦୋଳଯାତ୍ରା ଅନୁଷ୍ଠିତ ହୋଇ ଚୈତ୍ର କୃଷ୍ଣ ପ୍ରତିପଦାର ହୋରି ଉତ୍ସବରେ ତାହା ସଂପୂର୍ଣ୍ଣ ହୁଏ। ଏହି ଯାତ୍ରାର ନୀତିରେ ରତ୍ନସିଂହାସନରେ ଠାକୁରମାନଙ୍କୁ ‘ଚନ୍ଦନ ଫଗୁ’ ଓ ‘ଝିମିର ଫଗୁ’ ଲାଗି ହେବା ସହିତ ଶ୍ରୀଅଙ୍ଗରେ ‘ଚନ୍ଦନ ଫଗୁ ମୁଣି’ ଲାଗି ଆଦି ହୋଇଥାଏ।

ଅନ୍ୟ ଏକ ନୀତିରେ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦ ଲକ୍ଷ୍ମୀ ମନ୍ଦିରଠାରେ ବିଜେ ହୁଅନ୍ତି ଏବଂ ସେଠାରେ ଲକ୍ଷ୍ମୀ–ନାରାୟଣଙ୍କ ମଧ୍ୟରେ ହୋରି ଫଗୁ ଖେଳ ହୋଇଥାଏ। ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖ ଅଞ୍ଚଳରେ ‘ଦୋଳ ମଣ୍ତପ ସାହି’ ନାମରେ ଗୋଟିଏ ସାହି ଅଛି। ଇତିହାସର ସୂତ୍ର ଅନୁସାରେ, ତ୍ରୟୋଦଶ ଶତାବ୍ଦୀରେ ନବନିର୍ମିତ ମନ୍ଦିରରେ ଦାରୁବିଗ୍ରହମାନେ ପ୍ରତିଷ୍ଠା ହେବା ପରେ, ରାଜା ଅନଙ୍ଗଭୀମ ଦେବ ସେଠାରେ ଗୋଟିଏ ମଣ୍ତପ ନିର୍ମାଣ କରାଇଥିଲେ।

ସେହି ମଣ୍ତପରେ ଦୋଳୋତ୍ସବ ହେଉଥିଲା। ଏପରିକି, ୧୪୮୧ ମସିହାରେ, ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟରେ, ଦାରୁ ବିଗ୍ରହମାନେ ସେହି ସାହିରେ ଥିବା ଦୋଳମଣ୍ତପରେ ବିଜେ ହେଉଥିଲେ। ‘ମାଦଳା ପାଞ୍ଜି’ ଅନୁସାରେ, ୧୫୬୧ରେ ଗୌଡ଼ିଆ ଗୋବିନ୍ଦ ଦେବଙ୍କ ରାଜତ୍ବ କାଳରେ, ଦୋଳବେଦୀର ଦୋଳା ଛିଣ୍ତି ଯିବାରୁ ଶ୍ରୀଜଗନ୍ନାଥଙ୍କର ଶ୍ରୀଭୁଜ ବିଘ୍ନ ହୋଇଥିଲା। ତା’ ପରଠାରୁ ଦାରୁବିଗ୍ରହମାନେ ଆଉ ଦୋଳବେଦୀରେ ବିଜେ ହେଉ ନାହାନ୍ତି। ଆଜ୍ଞାମାଳ ପାଇ ଦୋଳଗୋବିନ୍ଦଙ୍କ ପ୍ରତିମା ଦୋଳବେଦୀରେ ବିଜେ ହେଉଛନ୍ତି।

ପରବର୍ତ୍ତୀ କାଳରେ, ଦୋଳୋତ୍ସବପାଇଁ ଶ୍ରୀମନ୍ଦିରର ମେଘନାଦ ପାଚେରି ବାହାରେ, ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଗୋଟିଏ ନୂଆ ଦୋଳବେଦୀ ନିର୍ମାଣ କରାଯାଇଛି।

ଏହି ଦୋଳବେଦୀର ଅଗ୍ନିକୋଣରେ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ‘ମେଷାମନ୍ଦିର ଦାହ’ ବା ‘ମେଣ୍ଢାକୁଡ଼ିଆ ପୋଡ଼ି’ ନୀତି ଅନୁଷ୍ଠିତ ହୋଇଥାଏ। ଏହା ଉତ୍ତର ଭାରତ, ନେପାଳ ଓ ଦକ୍ଷିଣ ଭାରତର ‘ହୋଲିକା ଦହନ’ ପ୍ରଥାର ଅନୁରୂପ।

ପୁରାଣ ପ୍ରସଙ୍ଗ ଅନୁସାରେ, ଦୈତ୍ୟ ହିରଣ୍ୟକଶିପୁର ଭଉଣୀ ଥିଲା ହୋଲିକା। ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ହୋଲିକାକୁ ନିହତ କରିଥିଲେ। ତେଣୁ ଦଶହରାର ‘ରାବଣପୋଡ଼ି’ ପରି, ବସନ୍ତ ଉତ୍ସବର ‘ହୋଲିକା ଦହନ’ ମନ୍ଦ ଉପରେ ଭଲର ବିଜୟର ଏକ ବାର୍ତ୍ତା।

ଏହି ‘ହୋଲିକା’ର ଓଡ଼ିଶୀ ନାଆଁ ହେଉଛି ‘ମେଷା’।

ପୁରାଣ ସୂତ୍ର ଅନୁସାରେ, ଏହି ରାକ୍ଷସୀ ଦେବତାମାନଙ୍କର ବସନ୍ତ ଉତ୍ସବରେ ବିଘ୍ନ ଘଟାଇବାକୁ ଉଦ୍ୟମ କରୁଥିଲା। ତେଣୁ ରାଧା, କୃଷ୍ଣ ଓ ଗୋପାଙ୍ଗନାମାନଙ୍କର ମିଳନକୁ ଆଧାର କରି ଦେବତାମାନେ ମର୍ତ୍ତ୍ୟରେ ଏହି ବସନ୍ତ ଉତ୍ସବର ପ୍ରବର୍ତ୍ତନ କଲେ। କିନ୍ତୁ ମର୍ତ୍ତ୍ୟରେ ମଧ୍ୟ ମେଷା ଉତ୍ପାତ କଲା। ମାୟା ବଳରେ ବିସ୍ଫୋଟକ (ବସନ୍ତ, ହାଡ଼ଫୁଟି, ମିଳିମିଳା ଆଦି) ରୋଗ ସୃଷ୍ଟି କରି, ଋଷି, ମୁନି ଓ ମଣିଷମାନଙ୍କୁ କଷ୍ଟ ଦେଲା। ଶ୍ରୀକୃଷ୍ଣ ତାହାର ପ୍ରତିକାର କରିବା ପାଇଁ ଫାଲଗୁନ ଶୁକ୍ଳ ଦଶମୀଠାରୁ ଚର୍ଚ୍ଚରୀ ଯାତ୍ରା (ନଗରଭ୍ରମଣ) କଲେ। ସେହି ଯାତ୍ରା କାଳରେ ସେମାନେ ନାନାଦି ଭେଷଜ (ଔଷଧୀୟ) ଗୁଣ ଥିବା ରଙ୍ଗ ବେରଙ୍ଗର ଫଲଗୁ (ଫଗୁ) ପବନରେ ଉଡ଼ାଇଲେ ଓ ପରସ୍ପରର ଦେହରେ ବୋଳିଲେ। ଫଳରେ ରୋଗର ଉପଦ୍ରବ ଦୂର ହେବା ସହିତ ପରିବେଶ ଶୁଦ୍ଧ ଓ ରୋଗମୁକ୍ତ ହେଲା।

ଦୋଳବେଦୀର ଅଗ୍ନିକୋଣରେ ହେଉଥିବା ‘ମେଣ୍ଢାକୁଡ଼ିଆ ପୋଡ଼ି’ ନୀତି ସହିତ ଏହାର ସଂପର୍କ ରହିଛି। ବିଶ୍ବାସ ଅଛି ଯେ ସେହି ଫଗୁ ଉଡ଼ାଯିବା ଫଳରେ, ମେଷା ଆସି ଦୋଳବେଦୀ ନିକଟରେ ଥିବା ନିଜ କୁଡ଼ିଆ ଭିତରେ ଲୁଚେ। ଏହା ‘ଅଗ୍ନିଘର’ ବା ସ୍ଥାନୀୟ ଭାଷାରେ ‘ଅଇଘରା’ ଭାବରେ ପରିଚିତ। ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଦୋଳଗୋବିନ୍ଦ ସେଠାକୁ ଆସନ୍ତି ଏବଂ ସେହି କୁଡ଼ିଆକୁ ପୋଡ଼ି ଦିଅନ୍ତି। ଫଳରେ ମେଷା ବି ତା’ର କୁଡ଼ିଆ ସହିତ ପୋଡ଼ିଯାଏ। ହାଡ଼ଫୁଟି, ବସନ୍ତ, ମିଳିମିଳା ଆଦି ରୋଗର ବିନାଶ ଘଟେ।

ଏହି ନୀତିର ଆଉ ଗୋଟିଏ ବିଶେଷ ତାତ୍ପର୍ଯ୍ୟ ମଧ୍ୟ ରହିଛି। ଏହି ଉତ୍ସବରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚ ଶିବ (ଲୋକମୁଖରେ ପଞ୍ଚୁପାଣ୍ତବ) ମଧ୍ୟ ସାମିଲ ହୋଇଥାଆନ୍ତି। ସେମାନେ ହେଉଛନ୍ତି– ଲୋକନାଥ, ଯମେଶ୍ବର, ମାର୍କଣ୍ଡେଶ୍ବର, ନୀଳକଂଠ ଓ କପାଳମୋଚନ।

‘ଶ୍ରୀମନ୍ଦିର ସମାଚାର’ର ମାର୍ଚ୍ଚ ୧୯୭୦ ସଂଖ୍ୟାରେ ଏ ସଂପର୍କରେ ନିର୍ଦ୍ଦିଷ୍ଟ ଉଲ୍ଲେଖ ଅଛି। ତାହା ଅନୁସାରେ, ସେଠାରେ ଯେଉଁ ଅଗ୍ନି ଦ୍ବାରା ଏହି ‘ମେଷାମନ୍ଦିର ଦାହ’ ଉତ୍ସବ ଅନୁଷ୍ଠିତ ହୁଏ, ତାହା ହେଉଛି ବିଷ୍ଣୁ ଓ ରୁଦ୍ରଙ୍କ ଠାରୁ ସୃଷ୍ଟି ହୋଇଥିବା ହୁତାଶନ।

ଏହାର ତାତ୍ପର୍ଯ୍ୟ ହେଉଛି, ଏ ସଂସାରର ପାଳନକର୍ତ୍ତା ବିଷ୍ଣୁ ଓ ସଂହାରକର୍ତ୍ତା ଶିବ ମିଳିତ ଭାବରେ ବସନ୍ତକାଳରେ ଦେଖା ଦେଉଥିବା ଏହିସବୁ ରୋଗର ନାଶ କରି ଲୋକସମାଜର କଲ୍ୟାଣ କରିଥାଆନ୍ତି।

ସମ୍ବନ୍ଧିତ ଖବର